ନୂଆଦିଲ୍ଲୀ: ଆମାଜନ ଫାଉଣ୍ଡର ଜେଫ୍ ବେଜୋସ ସିଇଓ ପଦ ଛାଡିବା ପାଇଁ ଘୋଷଣା କରିଛନ୍ତି । ତାଙ୍କ ସ୍ଥାନରେ ଏବେ ଆଣ୍ଡେ ଜେସି କମ୍ପାନୀର ନୂଆ ସିଇଓ ପଦ ସମ୍ଭାଳିବେ । ହେଲେ ଆମେ କହିରଖୁଛୁ ଯେ, ଜେଫ ବେଜୋସ ଅବସର ନେଉନାହାନ୍ତି । ସେ ଏବେ ଅନ୍ୟ କିଛି କାର୍ଯ୍ୟ ଉପରେ ଫୋକସ କରିବାକୁ ଯାଉଛନ୍ତି । ଆମାଜନ ସିଇଓ ପଦ ଛାଡିବା ନେଇ ଘୋଷଣା କରିବା ସହ ସେ ଆମାଜନରୁ ଦୂରେଇ ଯାଉ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ସେ ଆମାଜନ ଏକ୍ସିକ୍ୟୁଟିଭ ବୋର୍ଡ ପାଇଁ ଏକ୍ସିକ୍ୟୁଟିଭ ଚେୟାରମ୍ୟାନ ପଦ ସମ୍ଭାଳିବେ ବୋଲି କହିଛନ୍ତି । ୫୭ ବର୍ଷୀୟ ବେଜୋସ୍ ୧୯୯୪ରେ ନିଜ ଗ୍ୟାରେଜରେ ଆମାଜନର ପ୍ରତିଷ୍ଠା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହାକୁ ସେ ଅନଲାଇନ୍ ରିଟେଲ୍ ଭାବେ ସାରା ଦୁନିଆରେ ପରିଚିତ କରାଇଥିଲେ। ଏହି ୨୭ ବର୍ଷର ଯାତ୍ରାକୁ ନେଇ ବେଜୋସ୍ କହିଛନ୍ତି, ଆମାଜନ କେବଳ ଏକ ବିଚାର ଥିଲା ଏବଂ ଏହାର କୌଣସି ନାମକରଣ ନଥିଲା। ଆଜି ଆମେ ୧.୩ ମିଲିୟନ ପ୍ରତିଭାଶାଳୀ, ସମର୍ପିତ ଲୋକଙ୍କୁ ରୋଜଗାର ଦେଉଛୁ।