25.1 C
Bhubaneswar
Wednesday, October 28, 2026
Homeଓଡିଶାଜଳେଶ୍ୱର ନାବାଳିକା ହତ୍ୟା ମାମଲା: ଓଡିଶା ମାନବାଧିକାର ଅଧ୍ୟକ୍ଷଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ; କ୍ରାଇମବ୍ରାଞ୍ଚ...

ଜଳେଶ୍ୱର ନାବାଳିକା ହତ୍ୟା ମାମଲା: ଓଡିଶା ମାନବାଧିକାର ଅଧ୍ୟକ୍ଷଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ; କ୍ରାଇମବ୍ରାଞ୍ଚ ତଦନ୍ତ ଓ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ର ପଶ୍ଚିମବାଡ଼ ଗ୍ରାମର ୧୪ ବର୍ଷୀୟା ନବମ ଶ୍ରେଣୀର ଛାତ୍ରୀଙ୍କ ନିଖୋଜ ଓ ନିର୍ମମ ହତ୍ୟା ଘଟଣାରେ ନ୍ୟାୟ ପ୍ରଦାନ ଦାବି କରି ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC)ର ଏକ ପ୍ରତିନିଧି ଦଳ ଓଡ଼ିଶା ମାନବାଧିକାର ଆୟୋଗର (OHRC) ମାନ୍ୟବର ଅଧ୍ୟକ୍ଷ ଶ୍ରୀ ଶତ୍ରୁଘ୍ନ ପୂଜାରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛି।

ଗତ ୧୬ ଅକ୍ଟୋବରରେ ନାବାଳିକା ନିଖୋଜ ହେବା ପରେ ପରିବାର ଓ ଗ୍ରାମବାସୀ ପୁଲିସକୁ ଖବର ଦେବା ସହ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ଦେଇଥିବା ସତ୍ତ୍ୱେ ପୁଲିସ ତୁରନ୍ତ ପଦକ୍ଷେପ ନେଇ ନଥିବା ନେଇ ପ୍ରତିନିଧି ଦଳ ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ୧୭ ଅକ୍ଟୋବରରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିବା ବେଳେ ୨୨ ଅକ୍ଟୋବରରେ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା।

ସ୍ଥାନୀୟ ପୁଲିସର ତଦନ୍ତ ପ୍ରକ୍ରିୟା ଓ ନିରପେକ୍ଷତାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇବା ସହ ଘଟଣାରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିଲେ ମଧ୍ୟ ଯେପରି ସେ ଆଇନରୁ ଖସି ନଯାଆନ୍ତି, ସେଥିପାଇଁ ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିମନ୍ତେ କଂଗ୍ରେସ ଦାବି କରିଛି।

ମାନବାଧିକାର ଆୟୋଗର ମାନ୍ୟବର ଅଧ୍ୟକ୍ଷଙ୍କ ସହ ଆଲୋଚନା ସନ୍ତୋଷଜନକ ରହିଥିଲା। ପ୍ରତିନିଧି ଦଳର ଦାବି ଓ ଉଦ୍‌ବେଗକୁ ବିଚାରକୁ ନେଇ ଉପଯୁକ୍ତ ତଦନ୍ତ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଏବଂ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିବା ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି।

କଂଗ୍ରେସର ପ୍ରମୁଖ ଦାବି

୧. ମାମଲାର ନିରପେକ୍ଷ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ।

୨. ତଦନ୍ତର ଅଗ୍ରଗତି, ଫରେନ୍ସିକ୍ ରିପୋର୍ଟ ଓ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୟବଦ୍ଧ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ATR) ଦାଖଲ କରାଯାଉ।

୩. ତଦନ୍ତରେ ପୁଲିସର ଅବହେଳା ବା କର୍ତ୍ତବ୍ୟରେ ଖିଲାପ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉ।

୪. ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ।

୫. ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ପ୍ରଚଳିତ ନିୟମ ଅନୁଯାୟୀ ଉପଯୁକ୍ତ ନିଯୁକ୍ତି ବା ଜୀବିକା ସହାୟତା ଦିଆଯାଉ।

୬. ସମସ୍ତ ପ୍ରମାଣ ସୁରକ୍ଷିତ ରଖିବା ସହ ପୀଡ଼ିତ ପରିବାରକୁ ଆବଶ୍ୟକ ଆଇନଗତ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇ ଦିଆଯାଉ।

ଏହି ପ୍ରତିନିଧି ଦଳରେ ବରିଷ୍ଠ ଆଇନଜୀବୀ ତଥା ଓପିସିସି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ପଞ୍ଚାୟତିରାଜ ସଂଗଠନ ଓଡ଼ିଶାର ସଭାପତି ଶ୍ରୀ ସୁଦର୍ଶନ ଦାସ, ଓପିସିସି ସାଧାରଣ ସମ୍ପାଦକ ଶ୍ରୀ ବାଙ୍କନିଧି ବେହେରା, ଓପିସିସି ମୁଖପାତ୍ର ଡ. ମନିଷା ଦାସ ପଟ୍ଟନାୟକ, ଆଇନଜିବୀ ଆଲୋକ ନନ୍ଦ ସାମିଲ ଥିଲେ।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ନାବାଳିକାଙ୍କୁ ନ୍ୟାୟ ପ୍ରଦାନ, ଦୋଷୀଙ୍କୁ ଦଣ୍ଡ ଏବଂ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ମିଳିବା ପର୍ଯ୍ୟନ୍ତ ଦଳ ଏହି ମାମଲାକୁ ଦୃଢ଼ତାର ସହ ଉଠାଇ ଚାଲିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking