25.1 C
Bhubaneswar
Wednesday, October 28, 2026
Homeଓଡିଶାସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ପଦ୍ମପୁର ବ୍ଲକରେ ପ୍ରସ୍ତୁତି ଓ ରିଲିଫ୍ ବ୍ୟବସ୍ଥା ସମୀକ୍ଷା...

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ପଦ୍ମପୁର ବ୍ଲକରେ ପ୍ରସ୍ତୁତି ଓ ରିଲିଫ୍ ବ୍ୟବସ୍ଥା ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ରାୟଗଡା,ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପ୍ରଭାବରେ ସୃଷ୍ଟି ହେବାକୁ ଥିବା ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ରାୟଗଡ ଜିଲ୍ଲାର ପଦ୍ମପୁର ବ୍ଲକ ଗସ୍ତ କରି ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ରିଲିଫ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଗସ୍ତ ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଜୟପଙ୍ଗା ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ଏଠାରେ ମୁଟୁକୁଣି ଗ୍ରାମରୁ ସ୍ଥାନାନ୍ତରିତ ହୋଇ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଉପଲବ୍ଧ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ୨୬ ଜଣ ଆଶ୍ରିତଙ୍କୁ ଶୁଖିଲା ରାସନ ପ୍ୟାକେଟ୍ ବଣ୍ଟନ କରିଥିଲେ। ଆଶ୍ରୟସ୍ଥଳରେ ପ୍ରସ୍ତୁତ ଖାଦ୍ୟର ମାନ ନିଜେ ଯାଞ୍ଚ କରିବା ସହ ଆଶ୍ରିତମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଆଶ୍ରୟସ୍ଥଳରେ ଥିବା ଶିଶୁମାନଙ୍କ ସହ ଭାବ ବିନିମୟ କରି ସେମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଖିଥିବା ଗୀତ ଗାଇବାକୁ କହିଥିଲେ। CDPOଙ୍କ ସହ ଆଲୋଚନା କରି ମୁଟୁକୁଣି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି, କେନ୍ଦ୍ରର ସ୍ଥିତି ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଉପଲବ୍ଧତା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ପରବର୍ତ୍ତୀ ସମୟରେ ଉପ-ମୁଖ୍ୟମନ୍ତ୍ରୀ ହରଭଙ୍ଗୀ ଜଳସେଚନ ଡିଭିଜନ ଅନ୍ତର୍ଗତ ବଡ଼ନାଳ ଜଳଭଣ୍ଡାର ପରିଦର୍ଶନ କରି ବର୍ତ୍ତମାନର ଜଳସ୍ତର ଏବଂ ସମ୍ଭାବ୍ୟ ବାତ୍ୟାଜନିତ ବର୍ଷା ପରିସ୍ଥିତିର ସମୀକ୍ଷା କରିଥିଲେ। ଏଥିସହ ଜଳଭଣ୍ଡାର ନିକଟରେ ଏକ ନିରୀକ୍ଷଣ ବଙ୍ଗଳା ନିର୍ମାଣ ପାଇଁ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବାତ୍ୟା ପରିସ୍ଥିତିରେ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା, ଆଶ୍ରିତଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ଼ କରିବା ଉପରେ ଏହି ଗସ୍ତରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking