25.1 C
Bhubaneswar
Wednesday, October 28, 2026
Homeଓଡିଶାଷଷ୍ଠ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା; ବାରଣାସୀ-ଅଯୋଧ୍ୟା ଟ୍ରେନ୍‌ର ଶୁଭାରମ୍ଭ

ଷଷ୍ଠ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା; ବାରଣାସୀ-ଅଯୋଧ୍ୟା ଟ୍ରେନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଚଳିତ ଆର୍ଥିକ ବର୍ଷର ଷଷ୍ଠ ବାରଣାସୀ-ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ ହୋଇଛି । ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସି ସହଯୋଗରେ ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନ ଠାରେ ଆଜି ପୂର୍ବାହ୍ନ ସମୟରେ ଶୁଭାରମ୍ଭ ଏହି ଟ୍ରେନରେ ୭୭୫ ଜଣ ତୀର୍ଥଯାତ୍ରୀ ଓ ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ଯାତ୍ରା କରିଛନ୍ତି । ସେମାନେ ବାରଣାସୀ ଓ ଅଯୋଧ୍ୟାରେ ତୀର୍ଥାଟନ ଆସନ୍ତା ୨ ତାରିଖରେ ଓଡିଶା ଫେରିବେ ।

ଚଳିତ ଆର୍ଥିକ ବର୍ଷର ଷଷ୍ଠତମ ବରିଷ୍ଠ ନାଗରିକମାନଙ୍କର ବାରଣାସୀ-ଅଯୋଧ୍ୟା ଟ୍ରେନ୍‌ର ଶୁଭାରମ୍ଭ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ଲିଙ୍ଗରାଜଙ୍କ ପୀଠରୁ କାଶୀ ବିଶ୍ୱନାଥ ଓ ଅଯୋଧ୍ୟା ପୀଠ ରାମଲାଲାଙ୍କ କ୍ଷେତ୍ରକୁ ଏହି ଯାତ୍ରା ସଫଳ ହେଉ । ଏହି ଯାତ୍ରା ଦ୍ୱାରା ବରିଷ୍ଠ ନାଗରିକମାନେ ଗଙ୍ଗା ଆଳତି, କାଶୀ ବିଶ୍ୱନାଥ ଦର୍ଶନ ଓ ଶ୍ରୀରାମଲାଲାଙ୍କ ସାନିଦ୍ଧ ଲାଭ କରିପାରିବେ । ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଜିଲ୍ଲାର ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ତୀର୍ଥସ୍ଥାନ ଯାତ୍ରା କରିବାର ସୌଭାଗ୍ୟ ହାସଲ କରିବା ସହ ସେହି ସ୍ଥାନର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଗୁରୁତ୍ୱ ସମ୍ପର୍କରେ ଜାଣିପାରିବେ ବୋଲି ସେ ଉଲ୍ଲେଖ କରିବା ସହ ସମସ୍ତ ତୀର୍ଥଯାତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଥିବା ସେ କହିଛନ୍ତି ।

ଏହି ଷଷ୍ଠ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ଜଣ, ଜଗତସିଂହପୁର ଜିଲ୍ଲାର ୮୫, କଟକ ଜିଲ୍ଲାର ୧୯୭, ପୁରୀରୁ ୧୨୭, କେନ୍ଦ୍ରାପଡ଼ାରୁ ୧୦୮ ଓ ଢେଙ୍କାନାଳ ଜିଲ୍ଲାର ୮୯ ଜଣଙ୍କୁ ମିଶାଇ ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ଓ ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ସାମିଲ ହୋଇଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ତୀର୍ଥଯାତ୍ରୀମାନଙ୍କୁ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ । ଏହି ଅବସରରେ ତୀର୍ଥଯାତ୍ରୀ ମାନଙ୍କୁ ପ୍ରତୀକାତ୍ମକ ଭାବେ ରେଲୱେ ଟିକେଟ୍‌ ଓ କିଟ୍‌ ବ୍ୟାଗ୍‌ ପ୍ରଦାନ କରାଯାଇଥିଲା ।

ପର୍ଯ୍ୟଟନ ବିଭାଗର ଭରପ୍ରାପ୍ତ କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ଖୋରଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଖୋର୍ଦ୍ଧା ରୋଡ୍‌ ଡିଭିଜନ୍‌ର ବରିଷ୍ଠ ଡିସିଏମ ଶ୍ରୀ ଆର. ମନୋଜ ବାବୁ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ସୂଚନାଯୋଗ୍ୟଯେ, ୨୦୨୬-୨୭ ବର୍ଷରେ ମୋଟ ୧୦ ଟି ପର୍ଯ୍ୟାୟରେ ୮,୦୦୦ ବରିଷ୍ଠ ନାଗରିକ ଅଯୋଧ୍ୟା, ବାରାଣାସୀ, ହରିଦ୍ୱାର, ଋଷିକେଶ, ରାମେଶ୍ୱରମ ଓ ମଦୁରାଇ ଭ୍ରମଣ କରିବାକୁ ଥିବା ବେଳେ ଏହି ଯୋଜନାରେ ଚଳିତବର୍ଷ ଏପର୍ଯ୍ୟନ୍ତ ପ୍ରାୟ ୪ ହଜାର ବରିଷ୍ଠ ନାଗରିକ ବିଭିନ୍ନ ସ୍ଥାନକୁ ଯାଇ ତୀର୍ଥ କରିସାରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking