ପାଟନା: ବିହାରରେ ରହିଛି ଏମିତି ଏକ ଗାଁ ଯେଉଁଠି ହୋଲି ଏକ ଭିନ୍ନ ତରିକାରେ ପାଳିଥାନ୍ତି । ଏହି ପରମ୍ପରା ଶହଶହ ବର୍ଷ ପୁରୁଣା ଯାହାକି ଏବେ ଯାଏଁ ଚାଲି ଆସିଛି । ଏହି ଗାଁର ଲୋକେ ହୋଲି ପୂର୍ବଦିନ ଭଗବାନ ବୁଦ୍ଧଙ୍କ ସହ ପ୍ରଥମେ ହୋଲି ଖେଳିଥାନ୍ତି । ଏହାପରେ ଗାଁରେ ପରସ୍ପରକୁ ରଙ୍ଗ ଲଗାଇ ଧୂମଧାମରେ ହୋଲି ପାଳିଥାନ୍ତି । ଭଗବାନ ବୁଦ୍ଧଙ୍କ ସହ ହୋଲି ଖେଳୁଥିବା ଏହି ଗାଁ ବିହାରର ନାଳନ୍ଦା ଜିଲ୍ଲା ମୁଖ୍ୟାଳୟ ବିହାରଶରିଫ ଠୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି । ଏହି ଗାଁର ନାମ ତେତରାମ୍ବା ।
ଏଠାରେ ସନ୍ଥ ବାବାଙ୍କ ମନ୍ଦିର ରହିଛି ଯେଉଁଠାରେ କଳା ପଥର ନିର୍ମିତ ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ରହିଛି । ସ୍ଥାନୀୟ ଲୋକେ ପ୍ରଥମେ ଏଠାରେ ଭଗବାନ ବୁଦ୍ଧଙ୍କ ସହ ହୋଲି ଖେଳିଥାନ୍ତି । ଭଗବାନ ବୁଦ୍ଧ ଏଠାରେ ବାବା ଭୈରବଙ୍କ ନାମରେ ପୂଜା ପାଉଛନ୍ତି । ତେତରାମ୍ବା ଗାଁରେ ଭଗବାନ ବୁଦ୍ଧଙ୍କ ସାଢେ ୭ ଫୁଟ ଉଚ୍ଚତା ବିଶିଷ୍ଟ ବିଶାଳ ପ୍ରତିମା ରହିଛି । ଏହି ପ୍ରତିମା ବହୁ ପୁରାତନ । ସ୍ଥାନୀୟ ବାସିନ୍ଦା ରାଜୀବ ରଞ୍ଜନ ପାଣ୍ଡେ କହିଛନ୍ତି ଯେ ନାଳନ୍ଦା ବିଶ୍ୱବଦ୍ୟାଳୟରେ ଯେବେ ପାଠ ପଢାଯାଉଥିଲା ସେହି ସମୟରେ ମୂର୍ତ୍ତିକଳା ବିଷୟରେ ଏହି ଗାଁ ତେତରାମ୍ବାରେ ପାଠ ପଢାଯାଉଥିଲା ।
ଭୂମି ସ୍ପର୍ଶ ମୁଦ୍ରାରେ କଳାରଙ୍ଗର ନିର୍ମିତ ବୁଦ୍ଧ ପ୍ରତିମା ବୋଧେ ଏକମାତ୍ର ଥିବ । ୧୯୯୨-୯୩ ମସିହାରେ ଏଠାରେ ଏକ ବୈଠକ ବସିଥିଲା । ଯେଉଁ ବୈଠକରେ କୁହାଯାଇଥିଲା ଯେ ବୋଧହୁଏ ବସିଥିବା ଭଗବାନଙ୍କ ଏତେ ବଡ ମୂର୍ତ୍ତି ବିରଳ । ରାଜସ୍ଥାନୀ ମାନେ ବାବା ଭୈରବ ରୂପେ ବୁଦ୍ଧଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଛଟ ପୂଜା ଓ ହୋଲି ଦୁଇଟି ଯାକ ପର୍ବ ଭଗବାନ ବୁଦ୍ଧଙ୍କ ସହ ପାଳନ କରାଯିବା ସହ ତାଙ୍କ ସହ ସମାପନ ହୋଇଥାଏ । ସେହିପରି ଏଠାରେ ଯଦି କୌଣସି ଶୁଭକାର୍ଯ୍ୟ ହୋଇଥାଏ ତେବେ ଭଗବାନ ବୁଦ୍ଧଙ୍କ ପ୍ରତିମା ପାଖରେ ଆସି ସମାପନ ହୋଇଥାଏ । ଲୋକେ ଯାହା ବି ମାନସିକ କରିଥାନ୍ତି ତାହା ଏଠାରେ ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଥାଏ । ଏଣୁ ହୋଲିର ଦିନକ ପୂର୍ବରୁ ଏଠାରେ ଭଗବାନଙ୍କ ସହ ହୋଲି ଖେଳାଯାଏ । ସ୍ଥାନୀୟ ବାସିନ୍ଦା ଏଠାରେ କୌଣସି ଶୁଭକାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଥମେ ଭଗବାନ ବୁଦ୍ଧଙ୍କ ପ୍ରତିମାକୁ ବିଧିବଦ୍ଧ ଭାବେ ସଫାସୁତୁରା କରିଥାନ୍ତି । ଏହା ପରେ ଭଗବାନଙ୍କୁ ମିଠା ସୁଜିର ଲେପ ଲଗାଯାଇଥାଏ । ଏହାପରେ ଦେଶୀ ଘିଅର ବି ଲେପ ଲଗାଯାଇଥାଏ ।