ଭୁବନେଶ୍ୱର: ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର ! ଦୁଇ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ରୁଜୁ ହେବ ମାମଲା । ଓଡିଶା ବିଧାନସଭାର ଉପପବାଚସ୍ପତି ଭବାନୀ ଶଙ୍କର ଭୋଇ ଙ୍କ ଦସ୍ତଖତ ଜାଲି କରିବା , ସରକାରୀ ଡି.ଓ ପ୍ୟାଡର ଦୁରୁପଯୋଗ କରିବା ଏବଂ ଜାଲ ଦସ୍ତଖତ ବ୍ୟବହାର କରି ବଦଳି ହାସଲ କରିବା ଉଦ୍ଦେଶ୍ୟରେ ଷଡଯନ୍ତ୍ର ରଚାଯାଇଥିବା ଅଭିଯୋଗରେ ଦୁଇ ଜଣ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ସା କ୍ୟାପିଟାଲ ଥାନାର ଆଇଆଇସିଙ୍କୁ ଲେଖିଥିବା ଚିଠିରେ ବାଂଶପାଳ ବ୍ଲକର ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଏବଂ ହରିଚନ୍ଦନପୁର ବ୍ଲକର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ , ଉଭୟ ଅଧିକାରୀ ଉପବାଚସ୍ପତିଙ୍କ ଜାଲ ଦସ୍ତଖତ ଏବଂ ତାଙ୍କ କାର୍ଯ୍ୟାଳୟର ଅଧିକୃତ ଡି.ଓ ପ୍ୟାଡ ବ୍ୟବହାର କରି ଜାଲ ଦସ୍ତାବେଜ ପ୍ରସ୍ତୁତ କରିଥିଲେ । ପରେ ସେହି ଦସ୍ତାବେଜକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିକଟରେ ଦାଖଲ କରି ସୁନ୍ଦରଗଡ ଜିଲ୍ଲାର ବରଗାଁ ଓ ସଦର ବ୍ଲକକୁ ବଦଳି ପାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଉପବାଚସ୍ପତିଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି ଯେ, ଉକ୍ତ ଚିଠିଗୁଡିକ କେବେ ବି ତାଙ୍କ କାର୍ଯ୍ୟାଳୟରୁ ଜାରି କିମ୍ବା ଅନୁମୋଦିତ ହୋଇନଥିଲା । ତେଣୁ ଏହା ସରକାରୀ ଦସ୍ତବେଜ ଜାଲିଆତି, ପରିଚୟ ଜାଲିଆତି, ଅପରାଧିକ ଷଡଯନ୍ତ୍ର ଓ ସୂଚନା ପ୍ରଯୁକ୍ତି ଆଇନ ଉଲ୍ଲଙ୍ଘନ ଭଳି ଗୁରୁତର ଅପରାଧର ଶ୍ରେଣୀରେ ଆସୁଥିବା ଅଭିଯୋଗ କରାଯାଇଛି । ଏହି ଘଟଣାରେ ତୁରନ୍ତ ଏଫଆଇଆର ରୁଜୁ କରି ଆଇନ ଅନୁଯାୟୀ, କଡା ପଦକ୍ଷେପ ନେବାକୁ କ୍ୟାପିଟାଲ ଥାନା ପୋଲିସକୁ ଅନୁରୋଧ କରାଯାଇଛି ।










