34.1 C
Bhubaneswar
Thursday, May 9, 2024
Homeଅପରାଧନାବାଳକକୁ ନରବଳି!; ସାଧିକାଙ୍କ ସହ ୩ ପୁଅ ଗିରଫ

ନାବାଳକକୁ ନରବଳି!; ସାଧିକାଙ୍କ ସହ ୩ ପୁଅ ଗିରଫ

ଅନୁଗୁଳ: ନାବାଳକ ସଞ୍ଜିତ ବିଶ୍ୱାଳକୁ ନରବଳି ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କ ସମେତ ମୋଟ୍ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ପୁଲିସ ଟୁସର ଗାଁର ରୀତାଞ୍ଜଳି ବାଘ, ତାଙ୍କ ୩ ପୁଅ ସୌମ୍ୟ ରଞ୍ଜନ ବାଘ, ଦିବ୍ୟରଞ୍ଜନ ବାଘ ଓ ଜ୍ୟୋତିରଞ୍ଜନ ବାଘ । ତେବେ ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଏଭିଡେନ୍ସ ମିଳିବା ପରେ ଏହା ସ୍ପଷ୍ଟ ହେବ । ଏ ସବୁ ମିଳିବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରିବ ବୋଲି ଅନୁଗୁଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ସଞ୍ଜିତ କିଛିଦିନ ହେଲା ଅସୁସ୍ଥ ଥିଲେ । ଦେହ ସବୁବେଳେ ଖରାପ ହେଉଥିବାରୁ ସଞ୍ଜିତଙ୍କୁ ତାଙ୍କ ମା’ ବାସନ୍ତୀ ବିଶ୍ୱାଳ ଗତ ୨୨ ତାରିଖରେ ଟୁସର ଗାଁର ରୀତାଞ୍ଜଳି ବାଘଙ୍କ ପାଖକୁ ନେଇଥିଲେ । ରୀତାଞ୍ଜଳି ମଙ୍ଗଳା ଠାକୁରାଣୀଙ୍କୁ ପୂଜା କରନ୍ତି । ମା’ ମଙ୍ଗଳାଙ୍କ ପାଖରେ ଅଧିଆ ପଡ଼ିଲେ ଦେହ ସୁସ୍ଥ ହୋଇଯିବ ବୋଲି ସେ କହିଥିଲେ । ପରେ ମଙ୍ଗଳା କୋଠିରେ ସଞ୍ଜିତ ରାତିରେ ଅଧିଆ ପଡ଼ିଥିଲେ । ତାଙ୍କ ମା’ ଅନ୍ୟ ଏକ କୋଠରୀରେ ଶୋଇଥିଲେ । ହେଲେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅ କୋଠରୀରେ ନଥିଲା । ଏଥିନେଇ ରୀତାଞ୍ଜଳିଙ୍କୁ ଜଣାଇବା ପରେ ଗାଁ ଠାକୁର ପୁଅକୁ ଲୁଚାଇ ରଖିଥିବା ସେ କହିଥିଲେ । ତେଣୁ ଗାଁକୁ ଯାଇ ପୂଜା କରିବାକୁ ପରାମର୍ଶ ଦେଇଥିଲେ । ଏପଟେ ଗାଁରେ ପୂଜା କରିବା ସହ ବିଭିନ୍ନ ସ୍ଥାନରେ ପୁଅକୁ ଖୋଜାଖୋଜି କରିଥିଲେ ।

ଏହାସତ୍ତ୍ୱେ ସଞ୍ଜିତ ନ ମିଳିବାରୁ ମା’ ବାସନ୍ତୀ କିଆକଟା ଥାନାରେ ପୁଅ ନିଖୋଜ ନେଇ ଗତ ୨୪ ତାରିଖରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ତାଙ୍କୁ ଉଦ୍ଧାର କରିବା ନେଇ ବିଶେଷ ଆଗ୍ରହ ପ୍ରକାଶ କରି ନଥିଲା । ପରେ ଏଥିନେଇ ଅନୁଗୁଳ ଏସପିଙ୍କ ପାଖରେ ମଧ୍ୟ ଫେରାଦ୍ ହୋଇଥିଲେ । ଏହାପରେ ୨୮ ତାରିଖ ଦିନ ଜଙ୍ଗଲରୁ ତାଙ୍କ ଖଣ୍ଡିତ ମୃତଦେହ ଉଦ୍ଧାର ହେବା ପରେ ଏହାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି । ତାଙ୍କୁ ବଳି ଦିଆଯାଇଥିବା ସନ୍ଦେହ କରିଛନ୍ତି । ଗୁପ୍ତଧନ ପାଇବା ଲୋଭରେ ଠାକୁରାଣୀଙ୍କ ପୂଜା କରୁଥିବା ରୀତାଞ୍ଜଳି ଏଭଳି କାଣ୍ଡ ଭିଆଇଥିବା ଲୋକମାନେ ଅଭିଯୋଗ କରି ରାସ୍ତାରୋକ କରିଥିଲେ । ଏହି ଘଟଣା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ସେମାନେ କହିଛନ୍ତି । ଏହାକୁ ନେଇ ଟୁସର, କିଆକଟା ଓ ବାସୁଦେବପୁର ପଞ୍ଚାୟତର ହଜାର ହଜାର ଲୋକ ଏକାଠି ହୋଇ ବାରେଣି ଛକରେ ରାସ୍ତା ଅବରୋଧ କରିଥିଲେ । ସେହିପରି ଏକ ପୁଲିସ ଭ୍ୟାନକୁ ଉତ୍ତ୍ୟକ୍ତ ଲୋକ ଜାଳି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking