26.1 C
Bhubaneswar
Sunday, July 6, 2025
Homeଓଡିଶାଗଞ୍ଜାମକାର୍ଯ୍ୟକ୍ଷମ ହେଲା ଅନୁସୁଚିତ ଜାତି,ଜନଜାତି ବିଦ୍ୟାର୍ଥୀଙ୍କ ଛାତ୍ରାବାସ

କାର୍ଯ୍ୟକ୍ଷମ ହେଲା ଅନୁସୁଚିତ ଜାତି,ଜନଜାତି ବିଦ୍ୟାର୍ଥୀଙ୍କ ଛାତ୍ରାବାସ

ବ୍ରହ୍ମପୁର: କାର୍ଯ୍ୟକ୍ଷମ ହୋଇଛି ଅନୁସୁଚିତ ଜାତି,ଜନଜାତି ବିଦ୍ୟାର୍ଥୀଙ୍କ ଛାତ୍ରାବାସ । ରାଜ୍ୟର ଅନୁସୁଚିତ ଜାତି ଏବଂ ଜନଜାତିର ବିଦ୍ୟାର୍ଥୀଙ୍କୁ ସିବିଏସଇ ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରିବା ସହ ସେମାନଙ୍କୁ ଛାତ୍ରାବାସର ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ଗତ ୨୦୧୭ ମସିହାରେ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ଗଞ୍ଜାମରେ ବ୍ୟାପକ ପଦକ୍ଷେପ ନେଇଥିଲେ। ବ୍ରହ୍ମପୁର ସହର ଉପକଣ୍ଠସ୍ଥ ପାଲୁରଠାରେ ଏ ନେଇ ଏକ ମେଗା ଏଜୁକେସନ କମ୍ପେ୍ଳକ୍ସ ନିର୍ମାଣ କାର୍ଯ୍ୟ କରିଛନ୍ତି । ସେହିଭଳି ଅନୁସୁଚିତ ଜାତି,ଜନଜାତିର ବିଦ୍ୟାର୍ଥୀଙ୍କ ପାଇଁ ସହର ନିକଟ ଭାବିନାରାୟଣପୁର ଠାରେ ବଡ଼ ଧରଣର ଛାତ୍ରାବାସର ନିର୍ମାଣ କରିଛନ୍ତି । ଏହି ଛାତ୍ରାବାସ ଦୁଇଟିକୁ ଗତ ୨୦୨୧ ମସିହା ମାର୍ଚ୍ଚ ମାସରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । କିନ୍ତୁ ଏହା କାର୍ଯ୍ୟକ୍ଷମ ହୋଇଛି ଚଳିତ ବର୍ଷ ଜୁଲାଇ ମାସରୁ ।

ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ପୁରୁଷୋତ୍ତମ ସେଠୀଙ୍କ ଠାରୁ ପ୍ରାପ୍ତ ସୁଚନା ଅନୁଯାୟୀ ଭାବିନାରାୟଣପୁର ଠାରେ ଦୁଇଟି ଛାତ୍ରାବାସ “ଆକାଂକ୍ଷା’ ଏବଂ “ଅନ୍ୱେଷା’ର ନିର୍ମାଣ ହୋଇଛି । ଏଥି ମଧ୍ୟରୁ ଆକାଂକ୍ଷା ଛାତ୍ରାବାସରେ ଯୁକ୍ତ ୨ରୁ ଊର୍ଦ୍ଧ୍ୱ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀର ରହିବା ବ୍ୟବସ୍ଥା ହୋଇଛି । ଏଠାରେ ଛାତ୍ରବାସର ସମସ୍ତ ସୁବିଧା ଉପଲବ୍‌ଧ ରହିଛି । ଅନ୍ୟାନ୍ୟ ହଷ୍ଟେଲ ଭଳି ୱାଡେନ୍‌, ମାଟ୍ରନ, ସୁପରିଟେଣ୍ଟେଣ୍ଟ୍ ଦାୟିତ୍ୱରେ ରହିଛନ୍ତି । ଏଠାରେ ବିଦ୍ୟାର୍ଥୀମାନେ ସୁରକ୍ଷିତ ରହିବା ସହ ସମସ୍ତ ସୁବିଧା ମାଗଣାରେ ପାଉଛନ୍ତି ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଛାତ୍ରାବାସର ୩୦ କିି.ମି ପରିଧି ଭିତରେ ରହିଥିବା ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ବିଦ୍ୟାର୍ଥୀମାନେ ଏଠାରେ ରହିପାରିବେ । ଏଠାରେ ମୋଟ ୪୫୦ ଜଣ ବାଳକ ଏବଂ ୪୫୦ ଜଣ ବାଳିକାଙ୍କ ପାଇଁ ସୁବିଧା ରହିଛି ।

ସମ୍ପ୍ରତି ଏଠାରେ ରହିଛନ୍ତି ୨୧୫ ଜଣ ବାଳକ ଏବଂ ୧୭୮ ଜଣ ବାଳିକା । ଏଠାରେ ରହିଥିବା ଅନ୍ୟ ଏକ ଛାତ୍ରାବାସ “ଅନ୍ୱେଷା’ରେ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ରହିବା ସୁବିଧା ରହିଛି । ଉଲ୍ଲେଖ ଯୋଗ୍ୟ ଯେ ଗତ ୨୦୧୭ରେ ତତ୍କାଳୀନ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ବ୍ରହ୍ମପୁର ଗସ୍ତ କରି ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ଛାତ୍ରାବାସ ଗୁଡିକର ନିର୍ମାଣ ସଂପର୍କରେ ସୂଚନା ଦେଇଥିଲେ । ଆଦିବାସୀ ବିଦ୍ୟାର୍ଥୀମାନେ ଅନ୍ୟ ବିଦ୍ୟାର୍ଥୀଙ୍କ ଭଳି ସିବିଏସଇ ପଦ୍ଧତିରେ ଶିକ୍ଷାଦାନ ପାଇବା ପାଇଁ ରାଜ୍ୟ ସରକାର କରିଥିବା ଏହି ଯୋଜନା ସମ୍ପ୍ରତି କାର୍ଯ୍ୟକାରୀ ହୋଇଛି । ଏହା ବ୍ୟତୀତ ଜିଲ୍ଲାରେ ଅନ୍ୟ ଅଞ୍ଚଳରେ ଆଉ କେତେକ ଛାତ୍ରାବାସର ନିର୍ମାଣ ହେବ ବୋଲି କହିଥିଲେ । ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ଏହି ଛାତ୍ରବାସ ନିର୍ମାଣ ହେବ ବୋଲି ସୂଚନା ଦେଇଥିଲେ । ଏବେ ବି ଏହି ଛାତ୍ରାବାସ ଗୁୁଡିକ ସମ୍ପୂର୍ଣ୍ଣର୍ ଭାବେ ବ୍ୟବହୃତ ହୋଇନଥିବାରୁ ଆହୁରି ବିଦ୍ୟାର୍ଥୀମାନେ ଏହି ସୁବିଧା ପାଇପାରିବେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking