ଭୁବନେଶ୍ୱର: ଆଜିର ଏହି ଐତିହାସିକ ନିର୍ବାଚନରେ ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀର ଜନସାଧାରଣ ଯେଉଁ ଜନମତ ଦେଇଛନ୍ତି, ତାହା ଗଣତନ୍ତ୍ରର ବିଜୟ । ଆମ ଦଳର ନୀତି ଓ ଆଦର୍ଶ ଉପରେ ଲୋକଙ୍କର ଭରସା ବୃଦ୍ଧି ପାଇଛି । ଏହି ବିଜୟ କେବଳ ଏକ ସଂଖ୍ୟା ନୁହେଁ, ବରଂ ଜନସେବା ପ୍ରତି ଥିବା ଆମର ପ୍ରତିବଦ୍ଧତାର ପ୍ରତିଫଳନ । ପଶ୍ଚିମବଙ୍ଗର ଭାଇଭଉଣୀମାନେ ବିକାଶ ଓ ପ୍ରଗତି ସପକ୍ଷରେ ମତ ଦେଇଛନ୍ତି । ଆସାମର ଜନସାଧାରଣ ସ୍ଥିରତା ଓ ସୁଶାସନକୁ ବାଛିଛନ୍ତି । ପୁଡୁଚେରୀରେ ଲୋକମାନେ ପରିବର୍ତନ ପାଇଁ ଆମ ଉପରେ ବିଶ୍ୱାସ ରଖିଛନ୍ତି । ଏହି ସଫଳତା ପ୍ରମାଣ କରୁଛି ଯେ, ଲୋକମାନେ ସକାରାତ୍ମକ ରାଜନୀତିକୁ ପସନ୍ଦ କରନ୍ତି । ଆମ ଦଳର ପ୍ରତ୍ୟେକ କର୍ମକର୍ତାଙ୍କ ନିଷ୍ଠା ଆଜି ଫଳପ୍ରଦ ହୋଇଛି । ଓଡିଶାର ମାଟିରୁ ଆରମ୍ଭ ହୋଇଥିବା ଆମର ଏହି ବିଜୟ ଯାତ୍ରା ଏବେ ସାରା ଦେଶରେ ପରିଚିତ । ଆମେ କେବଳ ନିର୍ବାଚନ ଜିତିବାକୁ ଚାହୁଁନାହୁଁ, ବରଂ ପ୍ରତିଟି ମଣିଷର ହୃଦୟ ଜିତିବାକୁ ଚାହୁଁ । ରାଜନୀତିରେ ଜୟ ପରାଜୟ ଲାଗିରହେ, କିନ୍ତୁ ଜନସେବା ସର୍ବଦା ଜାରି ରହିବା ଉଚିତ । ଆମକୁ ଅଧିକ ନମ୍ରତାର ସହ ଲୋକଙ୍କ ନିକଟକୁ ଯିବାକୁ ହେବ । ବିଜୟର ଏହି ଗର୍ବ ଆମକୁ ଅହଂକାରୀ ନୁହେଁ, ବରଂ ଅଧିକ ଦାୟିତ୍ୱବାନ କରିବା ଦରକାର । ପଡୋଶୀ ରାଜ୍ୟଗୁଡିକରେ ଆମର ଏହି ସଫଳତା ଓଡିଶାର ଗୌରବକୁ ଆହୁରି ବୃଦ୍ଧି କରିଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜୟ ଉତ୍ସବ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଆଜିର ଏହି ବିଜୟ ଉତ୍ସବ ହେଉଛି ନୂଆ ସଂକଳ୍ପ ନେବାର ସମୟ । ଆମେ ଗରିବ, ଚାଷୀ ଓ ମହିଳାମାନଙ୍କ ସଶକ୍ତିକରଣ ପାଇଁ କାମ କରିବା । ପ୍ରତିଟି ଗାଁ ଓ ସହରରେ ବିକାଶର ଧାରାକୁ ପହଁଚାଇବା ଆମର ଲକ୍ଷ୍ୟ । ଆମେ ମିଳିମିଶି ଏକ ସମୃଦ୍ଧ ଭାରତ ଗଠନ କରିବା । ଓଡିଶା ଆଜି ସାରା ଦେଶକୁ ମାର୍ଗଦର୍ଶନ କରୁଛି । ଆମର କଲ୍ୟାଣକାରୀ ଯୋଜନାଗୁଡିକ ଆଜି ଅନ୍ୟ ରାଜ୍ୟ ପାଇଁ ମଡେଲ ସାଜିଛି । ସେଥିପାଇଁ ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ଆମ ପ୍ରତି ଆକୃଷ୍ଟ ହେଉଛନ୍ତି । ଏହି ବିଜୟ ହେଉଛି ଭରସାର ବିଜୟ ଏବଂ ବିଶ୍ୱାସର ବିଜୟ । ଆମେ କେବେ ବି ଲୋକଙ୍କ ବିଶ୍ୱାସ ତୁଟାଇବାକୁ ଦେବୁ ନାହିଁ । ଆମ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସିଧାସଳଖ ସେବାକୁ ପ୍ରାଧାନ୍ୟ ଦିଆଯାଉଛି । ଏହି ବାର୍ତା ଏବେ କୋଣ ଅନୁକୋଣରେ ପହଁଚିସାରିଛି । ବିରୋଧୀଙ୍କ କୁତ୍ସାରଟନାକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି । ସତ୍ୟ ଓ ନ୍ୟାୟର ସବୁବେଳେ ଜୟ ହୁଏ । ତାହା ଆଜି ପୁଣି ପ୍ରମାଣିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ଆମକୁ ଆଗକୁ ଆହୁରି ଅନେକ ବାଟ ଯିବାକୁ ଅଛି । ଆଜିର ଏହି ସଫଳତା କେବଳ ଏକ ଆରମ୍ଭ ମାତ୍ର । ଆଗାମୀ ଦିନରେ ଆମକୁ ଆହୁରି ଶକ୍ତିଶାଳୀ ହେବାକୁ ପଡିବ । ସାଧାରଣ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ଆମର ପ୍ରାଥମିକତା ହେବା ଉଚିତ୍ । ବିଜୟ ପରେ ଦାୟିତ୍ୱ ବଢିଯାଏ, ଏହା ସମସ୍ତେ ମନେ ରଖିବା । ପଶ୍ଚିମବଙ୍ଗର ଭାଇଭଉଣୀମାନେ ଆମ ଉପରେ ଯେଉଁ ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି, ତାହା ଆମେ ପୂରଣ କରିବା । ଆସାମର ଐତିହ୍ୟ ଓ ବିକାଶକୁ ଆମେ ଆହୁରି ଆଗକୁ ନେବା । ପୁଡୁଚେରୀର ସାମଗ୍ରିକ ଉନ୍ନତି ପାଇଁ ଆମେ ସର୍ବଦା ଚେଷ୍ଟା କରିବା । ଏହା ହିଁ ଆମର ସେବା ମନୋଭାବ । ଆମେ ସାମୁହିକ ଭାବେ କାମ କଲେ କୌଣସି ଶକ୍ତି ଆମକୁ ରୋକି ପାରିବ ନାହିଁ । ଆଜିର ଏହି ଦିନ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ନବ ନିର୍ବାଚିତ ପ୍ରତିନିଧିମାନେ ନିଜ ଅଂଚଳରେ ଆଦର୍ଶ ଜନପ୍ରତିନିଧି ଭାବେ କାର୍ଯ୍ୟ କରନ୍ତୁ । ଲୋକଙ୍କ ସେବା ପାଇଁ ସର୍ବଦା ତତ୍ପର ରୁହନ୍ତୁ । ଶାସନ ଓ ପ୍ରଶାସନ ମଧ୍ୟରେ ଥିବା ଦୂରତାକୁ କମାନ୍ତୁ । ସୋସିଆଲ ମିଡିଆ ଓ ତୃଣମୂଳ ସ୍ତରରେ ପ୍ରଚାର କରୁଥିବା ଯୁବ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନେ ଆଧୁନିକ ପ୍ରଣାଳୀରେ ଆମର ବାର୍ତା ଲୋକଙ୍କ ପାଖରେ ପହଁଚାଇଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସଠିକ୍ ବ୍ୟବହାର ଆମକୁ ଆଜି ସଫଳତା ଦେଇଛି । ଆଗାମୀ ଦିନରେ ଏହି ଉତ୍ସାହକୁ ବଜାୟ ରଖନ୍ତୁ । ଆମେ ଏକ ନୂତନ ଓଡିଶା ଓ ନୂତନ ଭାରତ ଗଢିବା । ଜନସାଧାରଣଙ୍କ ଆଶୀର୍ବାଦ ହିଁ ଆମର ସବୁଠୁ ବଡ ପୁଞ୍ଜି । ସେମାନଙ୍କ ଭଲପାଇବା ଆମକୁ କାମ କରିବା ପାଇଁ ପ୍ରେରଣା ଦିଏ । ଆଜିର ଏହି ବିଜୟ ପାଇଁ ମୁଁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ କୃତଜ୍ଞତା ଜଣାଉଛି । ପଶ୍ଚିମବଙ୍ଗର କଳା ଓ ସଂସ୍କୃତି ସହ ଓଡିଶାର ଗଭୀର ସମ୍ପର୍କ ରହିଛି । ସେଠାକାର ବିଜୟ ଆମ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ । ଆସାମର ବନ୍ଧୁମାନେ ଆମର ଆତିଥ୍ୟତା ଓ ବିକାଶ ଶୈଳୀକୁ ଗ୍ରହଣ କରିଛନ୍ତି । ପୁଡୁଚେରୀର ଶାନ୍ତ ପରିବେଶରେ ପ୍ରଗତିର ଲହରୀ ଖେଳିଯିବ । ଆମେ ସମସ୍ତେ ମିଶି ଏକ ସୁନ୍ଦର ଭବିଷ୍ୟତ ଗଢିବା । ଦଳର ବରିଷ୍ଠ ନେତାମାନଙ୍କ ସଠିକ୍ ଦିଗଦର୍ଶନ ପାଇଁ ଆଜି ଏହି ସଫଳତା ହାସଲ ହୋଇଛି । ଏକଜୁଟ ହୋଇ କାମ କଲେ ସପଳତା ନିଶ୍ଚିନ୍ତ ମିଳିବ । ଏହି ଏକତା ହିଁ ଆମର ଅସଲ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ଆଜିର ଏହି ରାତି ଉତ୍ସବର ରାତି । କିନ୍ତୁ ଆସନ୍ତାକାଲି ସକାଳୁ ପୁଣି ଆମକୁ କର୍ମକ୍ଷେତ୍ରକୁ ଫେରିବାକୁ ହେବ । ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ହେବ । ଆମର ଲକ୍ଷ୍ୟ ହେଉଛି ଶେଷ ଧାଡିରେ ଥିବା ମଣିଷ ପାଖରେ ସେବା ପହଁଚାଇବା । ଆମେ ଓଡିଶାର ସ୍ୱାର୍ଥ ରକ୍ଷା ସହ ଜାତୀୟ ସ୍ତରରେ ମଧ୍ୟ ଯୋଗଦାନ ଦେବୁ । ଆମର ଯାତ୍ରା ଏବେ ଆରମ୍ଭ ହୋଇଛି । ଆମକୁ ଆହୁରି ଶିଖରରେ ପହଁଚିବାକୁ ହେବ । ଶାନ୍ତି, ମୈତ୍ରୀ ଓ ପ୍ରଗତିର ବାର୍ତା ନେଇ ଆମେ ଆଗକୁ ବଢିବା । ଗତ ନିର୍ବାଚନରେ ଆମ ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରିଥିଲୁ । ଓଡିଶା ଖାଲି ଏକ ଭୂଖଣ୍ଡ ନୁହେଁ, ଓଡିଶାର ପରିଚୟ ଏହାର ସଭ୍ୟତା ଓ ସଂସ୍କୃତି ସହ ଯୋଡି ହୋଇରହିଛି । ଆଜି ମୋ ପାଇଁ ଆନନ୍ଦର ଦିନ, ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବାକୁ ଯାଉଛି । ଅଙ୍ଗ- ବଙ୍ଗ- କଳିଙ୍ଗ କଥା ନିର୍ବାଚନରେ ଉଠିଥିଲା । ଆସାମରେ ବି ବିଜେପିର ବିଜୟ ହୋଇଛି । ମୋଦିଜୀଙ୍କ ନେତୃତ୍ୱରେ ଭାରତକୁ ଭାରତୀୟତା ସହ ଯୋଡିବାରେ ଆଜି ସମସ୍ତେ ମନପ୍ରାଣ ଦେଇ କାର୍ଯ୍ୟ କରିଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ଏହି ଅବସରରେ ମାନ୍ୟବର ରାଜ୍ୟ ସଭାପତି ଓ ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସଫଳ ନେତୃତ୍ୱ ଏବଂ ଜନକଲ୍ୟାଣ ନୀତି ଉପରେ ଅତୁଟ ବିଶ୍ୱାସ ରହିଛି, ଯାହା ଆଜି ବିଧାନସଭା ନିର୍ବାଚନର ଐତିହାସିକ ଫଳାଫଳରେ ପୁଣି ଥରେ ପ୍ରତିଫଳିତ ହୋଇଛି । ପଶ୍ଚିମବଙ୍ଗରେ ପ୍ରଥମ ଥର, ଆସାମରେ ଲଗାତାର ତୃତୀୟ ଥର ଏବଂ ପୁଡୁଚେରୀରେ ଦ୍ୱିତୀୟ ଥର ପାଇଁ ବିଜେପି ନେତୃତ୍ୱରେ ଏନଡିଏ ମେଂଟ ସରକାର ଗଠନ କରିବା ହେଉଛି ଏହି ବିଶାଳ ବିଶ୍ୱାସର ପରିଣାମ । ଏହି ଐତିହାସିକ ବିଜୟ ପାଇଁ ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀ ରାଜ୍ୟର ସମସ୍ତ ଉତ୍ସର୍ଗୀକୃତ ନେତୃତ୍ୱ, କଠିନ ପରିଶ୍ରମୀ କାର୍ଯ୍ୟକର୍ତ୍ତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ପଶ୍ଚିମବଙ୍ଗ ସୁରକ୍ଷା, ସମୃଦ୍ଧତା ଏବଂ ଉତମ ଶାସନ ଉପରେ ଲୋକମାନେ ନିଜର ଆର୍ଶୀବାଦ ଅଜାଡିଛନ୍ତି । ପଶ୍ଚିମବଙ୍ଗରେ ଦୀର୍ଘ ଦିନ ଧରି ବାମପନ୍ଥୀ ଏବଂ ତୃଣମୁଳ କଂଗ୍ରେସର କୁଶାସନକାଳ ରାଜ୍ୟର ବିକାଶକୁ ନିମ୍ନଗାମୀ କରିଥିଲା । ଆଜି ପଶ୍ଚିମବଙ୍ଗରେ ବିକାଶର ନୂତନ ବାଟ ଫିଟିଛି । ଭୟଯୁକ୍ତ ଶାସନର କଳା ଅନ୍ଧକାର ଦୂର ହୋଇ ଭୟମୁକ୍ତ ଶାସନ ସହ ଉନ୍ନତିର ନୂତନ ଆଲୋକ ପ୍ରତିଫଳିତ ହେବାକୁ ଯାଉଛି । ସେହିପରି ଆସାମ ଓ ପୁଡୁଚେରୀରେ ବିପୁଳ ବିଜୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାଦାୟୀ ନେତୃତ୍ୱ ଏବଂ ବିଜେପି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା, ସ୍ୱଚ୍ଛ ଶାସନ ଓ ପ୍ରଶାସନକୁ ପ୍ରତିଫଳିତ କରୁଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସ୍ୱଚ୍ଛ ଶାସନ ଉପରେ ଭରସା କରି ପୁଡୁଚେରୀରେ ମଧ୍ୟ ବିଜେପି–ଏନଡିଏ ମେଂଟକୁ ବିପୁଳ ଜନ ସମର୍ଥନ ମିଳିଛି । ଅଙ୍ଗ, କଳିଙ୍ଗ ପରେ ବଙ୍ଗ ବିଜୟ ପାଇଁ ମୋଦିଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ପୂରଣ ହୋଇଛି । ଏଥର ପଶ୍ଚିମବଙ୍ଗବାସୀ ଅସାମାଜିକ ତତ୍ୱର ଅନ୍ତ ଘଟାଇ ସତ୍ୟ ତଥା ପ୍ରଗତିର ମାର୍ଗକୁ ଆପଣାଇଛନ୍ତି । ଏହି ବିଜୟ ବିଜେପିର ବିଚାରଧାରା ଓ ରାଜନୈତିକ ଆନ୍ଦୋଳନର ପ୍ରଣେତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି । ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବାରେ ସଫଳ ହୋଇଥିବା ନିର୍ବାଚନ କମିଶନ ଏବଂ ସୁରକ୍ଷାକର୍ମୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ।
ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ, ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ସମେତ ସମସ୍ତ ସହଯୋଗୀ ଦଳ ଏବଂ କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । କାର୍ଯ୍ୟକର୍ତାମାନେ ବାଣ ଫୁଟାଇ, ବାଜା ବଜାଇ, ମିଠା ଓ ଝାଲମୁଢ଼ି ଖାଇ ବିଜୟ ଉତ୍ସବ ପାଳନ କରିଥିଲେ । ଆଜିର ଏହି ବିଜୟ କାର୍ଯ୍ୟକର୍ତାଙ୍କ ମନରେ ଅନେକ ଖୁସି ଓ ଆନନ୍ଦ ଆଣିଦେଇଛି । ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ, ରାଜସ୍ୱ ମନ୍ତ୍ରୀ ତଥା ପୁର୍ବତନ ରାଜ୍ୟ ସଭାପତି ଶ୍ରୀ ସୁରେଶ ପୁଜାରୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ମନ୍ତ୍ରୀ ରବି ନାରାୟଣ ନାୟକ, ଡ.ମୁକେଶ ମହାଲିଙ୍ଗ, ଗୋକୁଳାନନ୍ଦ ମଲ୍ଲିକ, ସଂପଦ ସ୍ୱାଇଁ, ମୁଖ୍ୟ ସଚେତକ ସରୋଜ ପ୍ରଧାନ, ସାଂସଦ ସୁକାନ୍ତ ପାଣିଗ୍ରାହୀ, ଡ.ବିଭୁ ପ୍ରସାଦ ତରାଇ, ଡ.ରବି ନାରାୟଣ ବେହେରା, ସୁଜିତ କୁମାର, ବିଧାୟକ ପ୍ରକାଶ ସେଠୀ, ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପତୀ, ବିରଂଚି ନାରାୟାଣ ତ୍ରିପାଠୀ, ସୀମାଂଚଳ ଖଟାଇ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।










