29.1 C
Bhubaneswar
Monday, May 4, 2026
Homeଓଡିଶାଲୋକାଭିମୁଖୀ ଲୋକସେବା ନିମନ୍ତେ ପ୍ରତିଜ୍ଞାବଦ୍ଧ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଲୋକାଭିମୁଖୀ ଲୋକସେବା ନିମନ୍ତେ ପ୍ରତିଜ୍ଞାବଦ୍ଧ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଭୁବନେଶର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନବୀକୃତ ସମ୍ମିଳନୀ କକ୍ଷରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭାଗର ବିଭିନ୍ନ ସଫଳତା, ପାରଦର୍ଶୀ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନମାନଙ୍କରେ ବିଭାଗର କାର୍ଯ୍ୟଧାରା ସମ୍ପର୍କରେ ଉପସ୍ଥାପନା ପ୍ରଦର୍ଶିତ ହୋଇଥିଲା l ଏଥିସହିତ ମାନ୍ୟବର ମନ୍ତ୍ରୀଙ୍କ ପରାମର୍ଶ ସହ ବିଭାଗର ବିଭିନ୍ନ ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଥିଲା l ଏହି ଅବସରରେ ବିଭାଗର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ସମ୍ଵନ୍ଧରେ ସମୀକ୍ଷା କରି ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି lସୂଚନାଯୋଗ୍ୟ ଯେ, ଇତିମଧ୍ୟରେ କଲମ୍ ୨ ଖତିଆନ୍ ସଂଶୋଧନ ପ୍ରକ୍ରିୟାରେ ପ୍ରାୟ ୬୨,୨୫,୫୦୨ ଖାତାକୁ ସର୍ଭେ କରାଯାଇ ୫୮,୦୯,୭୨୨ଗୋଟି ଖାତାକୁ ସମ୍ପୂର୍ଣ ଭାବେ ପ୍ରଜା ଖାତା ସଂଶୋଧନ କରାଯାଇଅଛି l ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ଏକ ମୋବାଇଲ୍ ଆପ୍ଲିକେସନର ମଧ୍ଯ ବିକାଶ କରାଯାଇଛି।

ସବ୍‌-ପ୍ଲଟ୍ ରେଜିଷ୍ଟ୍ରେସନ୍ ପ୍ରକ୍ରିୟାକୁ ସରଳ ଓ ରାଜ୍ୟ ସାରା ସମାନ ରୂପ ଦେବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି। ଓଡ଼ିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସେସ୍‌ (ORTPS) ଆଇନ୍‌ ଆଧାରରେ ଗତ ଆର୍ଥିକ ବର୍ଷରେ ୧ କୋଟିରୁ ଅଧିକ ସେବା ପ୍ରଦାନ କରାଯାଇଛି ; ଯେଉଁଥିରେ ଜମି ରେକର୍ଡ୍, ରେଜିଷ୍ଟ୍ରେସନ୍ ଓ ସାର୍ଟିଫିକେଟ୍ ସେବା ଅନ୍ତର୍ଭୁକ୍ତ। ଡିଜିଟାଲ୍ ସେବା ପ୍ରଦାନକୁ ଅଧିକ ଫଳପ୍ରଦ କରିବା ଉଦ୍ଦେଶ୍ଯରେ ଆମ ସାଥୀ ୟୁନିଫାଏଡ୍ ହ୍ବାଟସଆପ୍ ଚାଟବଟ୍‌ରେ ୧୧ଟି ରାଜସ୍ୱ ସେବା ଯୋଡ଼ାଯାଇଛି, ଯାହା ଦ୍ୱାରା ନାଗରିକମାନେ ସହଜରେ ଘରେ ବସି ହାତପାହାନ୍ତାରେ ସେବା ପାଇପାରୁଛନ୍ତି l ସେହିପରି ସାଧାରଣ ଜନତାଙ୍କ ସୁବିଧା ପାଇଁ ୨୦୨୫-୨୬ ବର୍ଷରେ ୧୦୮ଟି ନୂତନ ସବ୍‌-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଖୋଲାଯାଇଛି। ଏହା ସହିତ ଅନଲାଇନ୍ ମାଧ୍ୟମରେ ସୀମା ନିର୍ଦ୍ଧାରଣ (ଡିମାର୍କେସନ୍) ସେବା ଆରମ୍ଭ ହୋଇଛି ; ଯାହା ଦ୍ୱାରା ନାଗରିକମାନେ ସ୍ଵଚ୍ଛ ପ୍ରକ୍ରିୟାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରି ସୁଫଳ ପାଇପାରୁଛନ୍ତି l

ଡିଜିଟାଲ ପ୍ରଶାସନକୁ ଅଧିକ ସହଜଲବ୍ଧ କରିବା ଉଦ୍ଦେଶ୍ଯରେ “ଇ-ରେଜିଷ୍ଟ୍ରେସନ୍ ଓଡ଼ିଶା” ମୋବାଇଲ୍ ଆପ୍‌ ମାଧ୍ୟମରେ ଡକ୍ୟୁମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ଓ ଭାରମୁକ୍ତ ପ୍ରମାଣପତ୍ର (EC), ସାର୍ଟିଫାଏଡ୍ କପି (CC) ପରି ସେବା ଉପଲବ୍ଧ ହୋଇଛି। ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ବ୍ୟବସ୍ଥାର ସରଳୀକରଣ ଓ ଭୂମି ସଂଶୋଧନରେ ମଧ୍ୟ ଅନେକ ପ୍ରମୁଖ ପଦକ୍ଷେପ ଗ୍ରହଣ କରାଯାଇଛି। ଆପାର୍ଟମେଣ୍ଟରେ ଥିବା ସାଧାରଣ କ୍ଷେତ୍ର ଏବଂ ସୁବିଧା ଗୁଡି଼କର ପଞ୍ଜିକରଣ ପାଇଁ ଆସୋସିଏସନ୍ ଅଫ୍ ଆଲଟିଜଙ୍କୁ ମାତ୍ର ୫୦,୦୦୦ ଟଙ୍କା ଷ୍ଟାମ୍ପ ଦେୟ ଦେବାର ବ୍ଯବସ୍ଥା କରାଯାଇଛି l ସେହିପରି ବ୍ୟକ୍ତିଗତ ଆପାର୍ଟମେଣ୍ଟ୍ ୟୁନିଟ୍ ବିକ୍ରି ସମୟରେ ଆପାର୍ଟମେଣ୍ଟ ସହ ସାଧାରଣ କ୍ଷେତ୍ର ଏବଂ ଅସୁବିଧାଗୁଡ଼ିକ ଅବିଭକ୍ତ ଅଂଶ ଉପରେ ୫% ଷ୍ଟାମ୍ପ୍ ଦେୟ ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯାଇଛି l ଓଡ଼ିଶା ସର୍ଭେ ଏବଂ ବନ୍ଦୋବସ୍ତ ନିୟମ, ୧୯୬୨ରେ ସଂଶୋଧନ କରାଯାଇ ତହସିଲଦାରମାନଙ୍କୁ ବନ୍ଦୋବସ୍ତ ପୂର୍ବରୁ ହେଉଥିବା ଜମି କବଲାର ସଂଶୋଧନ ନିମନ୍ତେ ଅଧିକାର ପ୍ରଦାନ କରାଯାଇଛି l ଜମିଜମା ବିଭାଗୀକରଣକୁ ସୁବ୍ୟବସ୍ଥିତ କରାଯାଇ ପୂର୍ବରୁ ଥିବା ୭,୭୯୭ ପ୍ରକାରର ‘କିସମ’କୁ ମାତ୍ର ୨୨ଟିକୁ ହ୍ରାସ କରାଯାଇଛି। ସେହିପରି ୭୫୦ ପ୍ରକାରର ‘ସତ୍ତ୍ୱ’କୁ କମାଇ କେବଳ ୪ଟି ଯଥା ରୟତି/ସ୍ଥିତିବାନ୍, ପଟ୍ଟାଦାର, ଧର୍ମାନୁଷ୍ଠାନ ଏବଂ ଅମୃତମଣୋହିରେ ସୀମିତ ରଖାଯାଇଛି l

ଏମଏସଏମଇ (MSME) ଏବଂ ଷ୍ଟାର୍ଟଅପ୍‌ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଜମି କିସମ ପରିବର୍ତ୍ତନ ସମ୍ବନ୍ଧୀୟ ଅନୁମତିରୁ ଏସବୁକୁ ଛାଡ଼ ଦିଆଯାଇଛି l ୫୭ଟି ସ୍ଥାନର ଇଂରାଜୀ ନାମର ବନାନ୍ ସଂଶୋଧନ ପାଇଁ ସର୍ବସାଧାରଣଙ୍କ ମତାମତ ଆହ୍ଵାନ କରି ସୂଚନା ଜାରି କରାଯାଇଛି ; ଯେଉଁଥିରେ ବିଭିନ୍ନ ଜିଲ୍ଲା, ସଦର ମହକୁମା, ସବଡିଭିଜନ୍, ବ୍ଲକ୍ ଏବଂ ତହସିଲ୍ ସମ୍ପୃକ୍ତ ଅଛି l ଖୁବ୍ ଶୀଘ୍ର ଏ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇ ଓଡ଼ିଆ ନାମ ଅନୁସାରେ ଇଂରାଜୀରେ ଶୁଦ୍ଧ ସଂଶୋଧିତ ନାମ ଗ୍ରହୀତ ହେବ l ଏଥି ସହିତ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ଜମିର ସୁରକ୍ଷା ଏବଂ ସୁପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ ରାଜସ୍ୱ ବିଭାଗରେ ଏକ ସ୍ଵତନ୍ତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁ ଜମି ଉପବିଭାଗ ଅବସ୍ଥାପିତ ହୋଇଛି l

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍) ଏବଂ ଓଡ଼ିଶା ରାଜସ୍ୱ ସେବା ଅଧିକାରୀ (ଓଆରଏସ୍) ଅଧିକାରୀମାନଙ୍କ ପାଇଁ ନୂତନ ବଦଳି ନୀତି ଜାରି କରାଯାଇଛି, ଯାହା ପ୍ରଶାସନିକ କ୍ଷେତ୍ରରେ ସ୍ଵଚ୍ଛତା ଏବଂ ପାରଦର୍ଶିତାକୁ ବୃଦ୍ଧି କରିବ lବସୁନ୍ଧରା ଯୋଜନା ଅଧୀନରେ ୨୮,୫୩୧ ବାସହୀନ ପରିବାରଙ୍କୁ ୪ ଡେସିମିଲ ଘରବାରି ପଟ୍ଟା ସହିତ ଜମି ପ୍ରଦାନ ଯୋଗାଇ ଦିଆଯାଇଛି l ଏଥିସହିତ ୨୫୬୪୩ ଟି ସରକାରୀ ଏବଂ ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନ ନାମରେ ପଟ୍ଟା ଜାରି କରାଯାଇଛି l ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସରକାରଙ୍କ ପ୍ରମୁଖ ବିଭାଗ ଭାବରେ ଲୋକସେବାକୁ ସ୍ଵଚ୍ଛ, ପାରଦର୍ଶୀ ଏବଂ ଲୋକାଭିମୁଖୀ କରିବା ଦିଗରେ ପ୍ରତିଜ୍ଞାବଦ୍ଧ ଭାବେ କାର୍ଯ୍ୟ କରୁଛି l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏବଂ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking