ନୂଆପଡ଼ା: ବହୁ ଚର୍ଚ୍ଚିତ କୋମନା ମୁଣ୍ଡାପଲା ଜମି ଠକେଇ ଘଟଣା । ପୂର୍ବରୁ ଦୁଇ ନକଲି ଜମି ମାଲିକ ଗିରଫ ହୋଇଥିବା ବେଳେ ଆଜି ଆଉ ୩ ଦଲାଲଙ୍କୁ ଗିରଫ କଲା କୋମନା ପୋଲିସ । କୋମନା ଥାନା ପେଣ୍ଡରାବନ୍ଧ ଗାଁର ମୁଖ୍ୟ ଜମି ଦଲାଲ ସନ୍ତୋଷ ଦୁରିଆ ସହ ବୋଡେନ ଥାନା କରଙ୍ଗାମାଲର ରାମଲାଲ ପଣ୍ଡା ଓ ସହଯୋଗୀ ବୋଟୋ ଗାଁର ଯାକ୍ସନ ବାଗ ଗିରଫ ହୋଇଛନ୍ତି । କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଳା ସ୍ଥିତ NH-353 କଡ଼ରେ ଥିବା ୪ ଏକର ୪୦ ଡିସିମିଲ ଜମିକୁ ଚଞ୍ଚକତା କରି ଏମାନେ ବିକ୍ରି କରି ଦେଇଥିଲେ । ଯାହା ପ୍ରମାଣିତ ହେବାପରେ କୋମନା ସବ୍ ରେଜିଷ୍ଟାର ତଥା ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ନିଲମ୍ବନ କରିବା ସହ ଡିଲିଂ କ୍ଲର୍କ ରାମନାଥ ମିଶ୍ରଙ୍କୁ ନିଲମ୍ବନ କରାଯାଇଥିଲା । ଆଜି କୋମନା ପୋଲିସ ଜମି କାରବାର ମାମଲାରେ ଜଡିତ ୩ ଦଲାଲଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କୋମନା ଥାନା ଅଧିକାରୀ କହିଛନ୍ତି ।










