ନୂଆଦିଲ୍ଲୀ: ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଚରିତ୍ରହୀନ ନୁହେଁ । ଏକ ମାମଲାର ଶୁଣାଣି କରି ଏଭଳି କହିଛନ୍ତି ସୁପ୍ରିମକୋର୍ଟ । ଦୁଇ ଅବିବାହିତ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସମ୍ମତିପ୍ରାପ୍ତ ଶାରୀରିକ ସମ୍ପର୍କ ସେମାନଙ୍କ ଚରିତ୍ର ପ୍ରତି ଅଙ୍ଗୁଳି ଉଠାଇ ପାରିବ ନାହିଁ । ଏହି ପର୍ଯ୍ୟବେକ୍ଷଣ ସହ ତେଲେଙ୍ଗାନାରେ ଚୟନ ଜଣେ ପୁଲିସ୍ କନଷ୍ଟେବଳ ରଦ୍ଦ ନିଷ୍ପତ୍ତିକୁ କୋର୍ଟ ଖାରଜ କରିଛନ୍ତି । ଜଷ୍ଟିସ୍ ମନମୋହନ ଏବଂ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ରାୟ ଶୁଣାଇଚନ୍ତି । ଦୁଇ ସମ୍ମତିପ୍ରାପ୍ତ ଅବିବାହିତ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସେହି ସମ୍ପର୍କରେ ଥିବା ବ୍ୟକ୍ତିଙ୍କ ଚରିତ୍ର ବିଷୟରେ ପ୍ରତିକୂଳ ଧାରଣା ସୃଷ୍ଟି କରିବାର କାରଣ ହୋଇପାରିବ ନାହିଁ ଏବଂ ହେବା ଉଚିତ୍ ମଧ୍ୟ ନୁହେଁ ।କୌଣସି ଆଇନ୍ ନାହିଁ ଯାହା ଦୁଇ ସମ୍ମତିପ୍ରାପ୍ତ ଅବିବାହିତ ପ୍ରାପ୍ତବୟସ୍କଙ୍କୁ ସେମାନଙ୍କ ପସନ୍ଦର ସମ୍ପର୍କ ରଖିବାରୁ ବାରଣ କରେ ବୋଲି କୋର୍ଟ କହିଛନ୍ତି । ବେଞ୍ଚ ଜୋର ଦେଇ କହିଛନ୍ତି , ପ୍ରତି ସମ୍ପର୍କ ବିବାହରେ ପରିଣତ ହୁଏ ନାହିଁ ଏବଂ କର୍ତ୍ତୃପକ୍ଷମାନେ ପରିବର୍ତ୍ତନଶୀଳ ସାମାଜିକ ବାସ୍ତବତା ପ୍ରତି ସମ୍ବେଦନଶୀଳ ହେବା ଉଚିତ୍ । ସମ୍ପର୍କ ବିବାହରେ ପରିଣତ ନ ହେବା ଯୋଗୁଁ ଜଣେ ପକ୍ଷ ଅନ୍ୟ ପକ୍ଷକୁ ପ୍ରତାରଣା କରିଛି ବୋଲି ବିଶ୍ୱାସ କରିବାର କୌଣସି କାରଣ ନାହିଁ ବୋଲି ଖଣ୍ଡପୀଠ ରାୟରେ କହିଛନ୍ତି ।










