ଭୁବନେଶ୍ୱର: ରାଜ୍ୟର ବିକାଶ ନେଇ ମିଛ ଡିଣ୍ଡିମ ପିଟୁଥିବା ଡବଲ ଇଞ୍ଜିନ ସରକାରରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଆଦିମ ଜନଜାତି । କେନ୍ଦୁଝର ଜିଲ୍ଲା ତେଲକୋଇ, ବାଂଶପାଳ, ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ୧୫ ଜଣ କାମ ଆଶାରେ ତାମିଲନାଡୁ ଯାଇ ଦୁଃଖଦ ମୃତୁ୍ୟ ହୋଇଛି । ଉକ୍ତ ଘଟଣାର ଅନୁଧ୍ୟାନ ପାଇଁ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଗସ୍ତ କରି ଶୋକସନ୍ତପ୍ତ ପରିବାରବର୍ଗକୁ ଭେଟିଛନ୍ତି ।
ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବରିଷ୍ଠ ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଉକ୍ତ କମିଟିର ସଦସ୍ୟ ଭାବେ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର, ଚାନ୍ଦବାଲି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ସଞ୍ଜୀବ ମଲ୍ଲିକ, ଆନନ୍ଦପୁର ବିଧାୟକ ଶ୍ରୀ ଅଭିମନୁ୍ୟ ସେଠୀ, ସୋର ବିଧାୟକ ଶ୍ରୀ ମାଧବ ଧଡା, ପୂର୍ବତନ ଏସ୍ଡିସି ଅଧ୍ୟକ୍ଷ ତଥା ମୟୂରଭଞ୍ଜ-୨ ଜିଲ୍ଲା ସଭାପତି ଡ଼ ଦେବାଶିଷ ମାରାଣ୍ଡି, ପୂର୍ବତନ ସାଂସଦ ଶ୍ରୀ ମାଧବ ସର୍ଦ୍ଦାର, ପୂର୍ବତନ ବିଧାୟକ ଶ୍ରୀ ଧନୁର୍ଜୟ ସିଦ୍ଧୁ, ପୂର୍ବତନ ବିଧାୟକ ଶ୍ରୀ ଜଗନ୍ନାଥ ନାୟକ, ବିଜେଡି ବିଧାୟିକା ପ୍ରାର୍ଥୀ ଶ୍ରୀମତୀ ମୀନା ମାଝୀ, କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ଶ୍ରୀ ଆଶିଷ ଚକ୍ରବର୍ତ୍ତୀ, କେନ୍ଦୁଝର ଜିଲ୍ଲା ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ବିଜୟ ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟ ଅରୁଣ ବାରିକ, ଜିଲ୍ଲାପରିଷଦ ସଦସ୍ୟ କେଦାର ପ୍ରଧାନ, ଜିଲ୍ଲାପରିଷଦ ସଦସ୍ୟା ଲକ୍ଷ୍ମୀ ଟିକା, ବାଂଶପାଳ ବ୍ଲକ ଅଧ୍ୟକ୍ଷ ମାନସ ଦେହୁରୀ, ତେଲକୋଇ ବ୍ଲକ ଅଧ୍ୟକ୍ଷ ବିକ୍ରମ ନାୟକ, ହରିଚନ୍ଦନପୁର ବ୍ଲକ ଅଧ୍ୟକ୍ଷା ସୁମେଲି ନାୟକ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଅମର କୁଅଁର, ଯୁବ ସଭାପତି ରାକେଶ ରାମ, ଛାତ୍ର ସଭାପତି ଅମରେନ୍ଦ୍ର ଧଳ, କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ପ୍ରମୁଖ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଉକ୍ତ ଘଟଣା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସ୍ଥାନୀୟ ଅଞ୍ଚଳରେ କାମ ନପାଇ ଘର ଠାରୁ ଅନେକ ଦୂର ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ । ତାମିଲନାଡୁରେ ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ (ଚିଙ୍ଗୁଡ଼ି) କମ୍ପାନୀରେ କାମ କରୁଥିଲେ । ସେଠାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁଁ ସେମାନଙ୍କ ଅକାଳ ମୃତୁ୍ୟ ହୋଇଛି । ଉକ୍ତ ଦୁଃଖଦ ଘଟଣା ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହାର ଅନୁଧ୍ୟାନ ପାଇଁ ଏକ ପ୍ରତିନିଧି ମଣ୍ଡଳୀ ପଠାଇଛନ୍ତି । କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ଅନ୍ତର୍ଗତ ପିତନାଳି, ଖୁଣ୍ଟାପଡ଼ା, ବିମଳା ଓ ରଙ୍ଗାମାଟିଆ ଗ୍ରାମ, ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡ଼ିପସା, ତଳଚମ୍ପେଇ ଓ ତଳରାଇଡିହା ଗ୍ରାମ ଏବଂ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଖରବା, ସୁନାପେଣ୍ଠ ଓ ରେବଣା ଗ୍ରାମ ଆଦି ପରିଦର୍ଶନ କରି ମୃତକଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରିଥିଲେ ବିଜେଡି ପ୍ରତିନିଧି ମଣ୍ଡଳୀ ।
ବରିଷ୍ଠ ଉପସଭାପତି ଶ୍ରୀ ଦାସବର୍ମା କହିଥିଲେ ଯେ, ଏହା ଏକ ଦୁଃଖଦ ଘଟଣା । ଏହା ରାଜ୍ୟ ପାଇଁ ଏକ କଳଙ୍କିତ ଅଧ୍ୟାୟ ହୋଇ ରହିବ । ବିଜେପି ସରକାରଙ୍କ ବିଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବାରମ୍ୱାର ଲଜ୍ଜ୍ୟାଜନକ ଘଟଣା ଘଟୁଛି । କିଛି ମାସ ପୂର୍ବେ କେନ୍ଦୁଝର ଜିଲ୍ଲାରେ କଙ୍କାଳ ବୋହିକି ବ୍ୟାଙ୍କକୁ ନେବା ଘଟଣା ଜାତୀୟ ସ୍ତରରେ ନିନ୍ଦିତ କରିଥିବା ବେଳେ ପୁଣି ଉକ୍ତ ଘଟଣା ଘଟିଛି । ଯାହାକି ବିଜେପି ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିପରି ଦୁଃଖଦ ଘଟଣା ପରେ ବି ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ ସମବେଦନା ଜଣାଇ କ୍ଷେତ୍ର ପରିଦର୍ଶନ କରିନାହାଁନ୍ତି । ବିଭିନ୍ନ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଥାଇ ମଧ୍ୟ ଆଦିମ ଜନଜାତିର ଲୋକେ କାମ ନପାଇ ଦାଦନ ଖଟିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଆଦିବାସି ସମ୍ପ୍ରଦାୟର ହୋଇଥିବା ବେଳେ ନିଜ ଜିଲ୍ଲାର ଆଦିବାସୀ ଲୋକ ଆଜି ଉପେକ୍ଷିତ । ମୃତକ ମାନଙ୍କ ଅଜ୍ଞାତରେ ତାଙ୍କ ଝିଅଙ୍କୁ ଦାଦନ ଖଟିବାକୁ ଚାଲାଣ କରାଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ସବୁ ଜାଣି ଆଖି ବୁଜି ଦେଇଛନ୍ତି । ବିଜେପି ସରକାର ପାଇଁ ଗତ ଦୁଇ ବର୍ଷ ହେବ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି । ତେଣୁକରି ସ୍ଥାନୀୟ ଅଞ୍ଚଳରେ କାମ ନପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଛନ୍ତି । ବିଜେପି ସରକାରର ଅବହେଳା ପାଇଁ ଆଦିମ ଜନଜାତି ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ଯାଇଛନ୍ତି ।
ସେହିପରି ବିଧାୟକ ଶ୍ରୀ ବଦି୍ର ପାତ୍ର କହିଥିଲେ ଯେ, ଉକ୍ତ ଘଟଣା କେବଳ ରାଜ୍ୟ ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ନିନ୍ଦନୀୟ । ଆଦିମ ଜନଜାତିଙ୍କ ଉନ୍ନତି ନେଇ ବିଜେପି ସରକାର ମିଛ ପ୍ରଚାର ପ୍ରସାର କରୁଛନ୍ତି । ଆଦିମ ଜନଜାତି ଲୋକେ କାମ ନପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲାଣ ହେଉଛନ୍ତି । ତାହା ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ, ଯାହାକି ଅତ୍ୟନ୍ତ ନିନ୍ଦନୀୟ । ଜୁଆଙ୍ଗ ଜନଜାତି ପାଇଁ ସରକାର ଟଙ୍କାଟିଏ ବି ଖର୍ଚ୍ଚ କରିଲେ ନାହିଁ । ଯାହା ଫଳରେ ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର, ଜୀବନ ଜୀବିକା, ସାମାଜିକ ସୁରକ୍ଷା ସବୁ କ୍ଷେତ୍ରରେ ଜୁଆଙ୍ଗ ଜନଜାତି ଆଜି ଉପେକ୍ଷିତ ହୋଇ ରହିଛନ୍ତି ।
ଉକ୍ତ ଘଟଣାରେ କେଉଁ ବିଭାଗର ଅଧିକାରୀ ମାନେ ଦାୟୀ, ସରକାରଙ୍କ ବିଫଳତା ଓ ପରବର୍ତ୍ତୀ ସମୟରେ ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହେବ, ତାହାର ଅନୁଧ୍ୟାନ କରିଥିଲେ ବିଜେଡି ପ୍ରତିନିଧି ମଣ୍ଡଳୀ । ଡବଲ ଇଞ୍ଜିନ ସରକାରର ବିଫଳତା ପାଇଁ ଆଜି ଦୁଃଖଦ ମୃତୁ୍ୟ ହୋଇଛି । ଏହା କେବଳ ଏକ ପରିବାରର ଦୁଃଖ ନୁହେଁ, ଏହା ରାଜ୍ୟ ସରକାରଙ୍କ ରୋଜଗାର ଓ ଆଦିବାସୀ ବିକାଶ ନୀତିର ବିଫଳତାର ପ୍ରତୀକ । ଡବଲ୍ ଇଞ୍ଜିନ ସରକାର ଦ୍ୱିତୀୟ ବର୍ଷ ପୂର୍ତ୍ତି ନେଇ ମିଛ ପ୍ରଚାର ପ୍ରସାରରେ ବ୍ୟସ୍ତ ରହିଛନ୍ତି । ଆଦିବାସୀ ଅଞ୍ଚଳରେ ସ୍ଥାନୀୟ ରୋଜଗାର ସୃଷ୍ଟି, ମହିଳାଙ୍କ ସୁରକ୍ଷା ଓ ସମ୍ମାନଜନକ ଜୀବିକା ସୁନିଶ୍ଚିତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଯଦି ଓଡ଼ିଶାରେ ରୋଜଗାର ଥାଆନ୍ତା, ତେବେ ଆଦିବାସୀ ମାନେ ଦାଦନ ଶ୍ରମିକ ହୋଇ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହୋଇନଥାନ୍ତେ । ବିଜେପି ସରକାର ଦାଦନ ସମସ୍ୟା ରୋକିବାରେ ବିଫଳତାର ଏହା ଏକ ନଗ୍ନ ଚିତ୍ର । ଆଜି ବି ଆଦିବାସୀ ଅଞ୍ଚଳର ଯୁବକ ଯୁବତୀ ମାନେ ଜୀବିକା ସନ୍ଧାନରେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ସେହି ଅବହେଳାର ପରିଣାମ ସେମାନଙ୍କୁ ଜୀବନ ଦେଇ ଭୋଗିବାକୁ ପଡ଼ୁଛି । ତେଣୁକରି ଏହି ଦୁର୍ଘଟଣାରେ ସମସ୍ତ ପୀଡ଼ିତ ପରିବାରଙ୍କୁ ନ୍ୟାୟ, ଉପଯୁକ୍ତ କ୍ଷତିପୂରଣ ଓ ସୁରକ୍ଷା ପ୍ରଦାନ ନିମନ୍ତେ ବିଜେଡି ଦାବି କରୁଛି । ନିରିହ ଓ ଗରିବ ଆଦିବାସୀ ଲୋକଙ୍କ ଜୀବନ ସହ ଖେଳ ଆଉ ଚାଲିବ ନାହିଁ । ବିଜେଡି ପ୍ରତିନିଧି ମଣ୍ଡଳୀ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରତିନିଧି ମଣ୍ଡଳୀ ସମସ୍ତ ରିପୋର୍ଟ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ।










