27.1 C
Bhubaneswar
Thursday, July 9, 2026
Homeଓଡିଶାସରକାର ଗୁଣାତ୍ମକ ଶିକ୍ଷା କଥା କହିବାର ନୈତିକ ଅଧିକାର ହରାଇ ସାରିଛନ୍ତି

ସରକାର ଗୁଣାତ୍ମକ ଶିକ୍ଷା କଥା କହିବାର ନୈତିକ ଅଧିକାର ହରାଇ ସାରିଛନ୍ତି

ଭୁବନେଶ୍ୱର:ଓଡ଼ିଶା ସରକାରଙ୍କ ପ୍ରଚଳିତ ପ୍ରଥମରୁ ଅଷ୍ଟମ ପିଲାଙ୍କ ପାଠ୍ୟପୁସ୍ତକରେ ହଜାର ହଜାର ତ୍ରୁଟି ଏବଂ ଏହାକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ଦିଆ ଯାଇଥିବା ଯୁକ୍ତିକୁ ନେଇ ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା କଂଗ୍ରେସର ଜାତୀୟ ମୁଖପାତ୍ର ଡ. ହାମିଦ ହୁସେନ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ ମୁଖପାତ୍ର ଡ. ମନିସା ଦାସ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ଡ. ହମିଦ ହୁସେନ କହିଥିଲେ ଯେ, ଏହା କେବଳ ଛାପା ଭୁଲ ନୁହେଁ; ଏହା ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ହୋଇଥିବା ଗୁରୁତର ଅବହେଳା। ଗୋଟିଏ କିମ୍ବା ଦୁଇଟି ଭୁଲକୁ ମାନବୀୟ ତ୍ରୁଟି କୁହାଯାଇପାରେ, କିନ୍ତୁ ହଜାର ହଜାର ତ୍ରୁଟି କେବଳ ଛାପା ଭୁଲ ନୁହେଁ, ବରଂ ସମ୍ପୂର୍ଣ୍ଣ ପ୍ରଶାସନିକ ବ୍ୟବସ୍ଥାର ବିଫଳତା। ଯେଉଁ ସରକାର ପିଲାଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ଦେଇପାରୁନାହିଁ, ସେ ଗୁଣାତ୍ମକ ଶିକ୍ଷାର କଥା କହିବାର ନୈତିକ ଅଧିକାର ହରାଇଛନ୍ତି।
ସେ ପ୍ରଶ୍ନ କରିଥିଲେ— ବହି ଛପା ପୂର୍ବରୁ ଅନ୍ତିମ ଅନୁମୋଦନ କିଏ ଦେଇଥିଲେ ? ବିଷୟ ବିଶେଷଜ୍ଞଙ୍କ ଯାଞ୍ଚ କାହିଁକି ହୋଇନଥିଲା ? ଗୁଣବତ୍ତା ପରିବର୍ତ୍ତେ ଟେଣ୍ଡରକୁ କାହିଁକି ପ୍ରାଧାନ୍ୟ ଦିଆଗଲା? କୋଟି କୋଟି ଟଙ୍କାର କ୍ଷତି ପାଇଁ ଦାୟୀ କିଏ? ଯଦି ଛାତ୍ରଛାତ୍ରୀମାନେ ଏହି ଭୁଲ ପାଠ୍ୟପୁସ୍ତକ ପଢ଼ି ପରୀକ୍ଷାରେ କ୍ଷତିଗ୍ରସ୍ତ ହୁଅନ୍ତି, ସରକାର କି ସେହି ଦାୟିତ୍ୱ ନେବେ?
ଡ. ମନିସା ଦାସ ପଟ୍ଟନାୟକ ଶିକ୍ଷାମନ୍ତ୍ରୀଙ୍କ ‘ନିମ୍ବୁଡ଼ା’ ଗୀତ ସମ୍ପର୍କିତ ମନ୍ତବ୍ୟକୁ କଡ଼ା ସମାଲୋଚନା କରି କହିଥିଲେ ଯେ, ଓଡ଼ିଆ ଅସ୍ମିତାର ନାରା ଦେଉଥିବା ସରକାର ଆଜି ଓଡ଼ିଶାର ପିଲାଙ୍କ ପାଠ୍ୟପୁସ୍ତକରେ ରାଜସ୍ଥାନୀ ଗୀତକୁ ଯୁକ୍ତିସଙ୍ଗତ ବୋଲି ଦର୍ଶାଇ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଅବମାନନା କରୁଛନ୍ତି। ଯଦି ସେହି ଗୀତ ରାଜସ୍ଥାନର ସଂସ୍କୃତିର ଅଂଶ, ତେବେ ରାଜସ୍ଥାନର ପାଠ୍ୟପୁସ୍ତକରେ ରହୁ; ଓଡ଼ିଶାର ପିଲାଙ୍କ ଉପରେ ତାହା କାହିଁକି ଲଦାଯାଉଛି?
ସେ କହିଥିଲେ, କେଜିରୁ ପିଜି ମାଗଣା ଶିକ୍ଷାର ପ୍ରଚାର କରିବା ସହଜ, କିନ୍ତୁ ଭୁଲରେ ଭରା ପାଠ୍ୟପୁସ୍ତକ ବଣ୍ଟନ କରିବା ଶିକ୍ଷା ପ୍ରତି ଘୋର ଅବହେଳା। ଭୋକିଲା ଲୋକଙ୍କୁ ବାସି ଖାଦ୍ୟ ଦେଇ ପୁଣ୍ୟ ଆଶା କରିବା ଯାହା, ପିଲାଙ୍କୁ ଭୁଲ ଶିକ୍ଷା ଦେଇ ମାଗଣା ଶିକ୍ଷାର ପ୍ରଚାର କରିବା ମଧ୍ୟ ସେହିଭଳି।
ଡ. ପଟ୍ଟନାୟକ କହିଥିଲେ ଯେ, ଏହି ସରକାର ରାସ୍ତା ନିର୍ମାଣର ଟେଣ୍ଡର ଓ ପାଠ୍ୟପୁସ୍ତକ ଛପାର ଟେଣ୍ଡର ମଧ୍ୟରେ ପାର୍ଥକ୍ୟ ବୁଝିପାରୁନାହାନ୍ତି। ଶିକ୍ଷା କୌଣସି ସାଧାରଣ ଠିକା କାମ ନୁହେଁ; ଏହା ଏକ ପିଢ଼ିର ଭବିଷ୍ୟତ ଗଢ଼ିବାର ଦାୟିତ୍ୱ। ଯେଉଁ ସରକାର “ବିକଶିତ ଓଡ଼ିଶା, ସମୃଦ୍ଧ ଓଡ଼ିଶା”ର ସ୍ଲୋଗାନ ଦେଉଛନ୍ତି, ସେମାନେ ପ୍ରଥମେ ପିଲାଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ଦେବାକୁ ସକ୍ଷମ ହୁଅନ୍ତୁ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ ସମସ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ତୁରନ୍ତ ପ୍ରତ୍ୟାହାର କରାଯାଇ ସମ୍ପୂର୍ଣ୍ଣ ମାଗଣାରେ ସଂଶୋଧିତ ପୁସ୍ତକ ବଣ୍ଟନ କରାଯାଉ। ସ୍ୱାଧୀନ ଶିକ୍ଷାବିତ୍, ଭାଷାବିତ୍ ଓ ଅଭିଜ୍ଞ ଶିକ୍ଷକଙ୍କୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଉ। ଦୋଷୀ ଅଧିକାରୀ ଓ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଭବିଷ୍ୟତରେ ତିନି-ସ୍ତରୀୟ ଯାଞ୍ଚ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଉ।
ଶେଷରେ କଂଗ୍ରେସ କହିଛି ଯେ, “ପିଲାଙ୍କ ଭବିଷ୍ୟତ ସହ କୌଣସି ପ୍ରକାର ପରୀକ୍ଷା-ନିରୀକ୍ଷା ଚାଲିବ ନାହିଁ। ଏହା ରାଜନୀତିର ପ୍ରସଙ୍ଗ ନୁହେଁ, ଓଡ଼ିଶାର ଆଗାମୀ ପିଢ଼ିର ପ୍ରସଙ୍ଗ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking