ସୁନ୍ଦରଗଡ଼: ଓଡ଼ିଆ ସାହିତ୍ୟ ଜଗତ ପାଇଁ ଆସିଛି ଦୁଃଖଦ ଖବର । ବିଶିଷ୍ଟ ସାହିତ୍ୟିକ, ଐତିହାସିକ ଗବେଷକ ତଥା ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କର ପରଲୋକ ହୋଇଛି । ବହୁଚର୍ଚ୍ଚିତ ‘ସୁନ୍ଦରଗଡ଼ ଇତିହାସ’ର ସ୍ରଷ୍ଟା ଭାବେ ଓଡ଼ିଆ ସାହିତ୍ୟ ଓ ଇତିହାସ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନ ରହିଛି ।ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ ଗିରି ଦଣ୍ଡସେନା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରାୟ ୫ ଦିନ ତଳେ ତାଙ୍କୁ ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସା ସତ୍ତ୍ୱେ ଆଜି ସକାଳ ପ୍ରାୟ ୮ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି ।ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତ ସହ ସୁନ୍ଦରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ‘ସୁନ୍ଦରଗଡ଼ ଇତିହାସ’ ଭଳି କୃତି ମାଧ୍ୟମରେ ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ତାଙ୍କୁ ସବୁଦିନ ପାଇଁ ମନେ ରଖିବ ।










