ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ବିଲକୁ ବିରୋଧ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି । ସର୍ବ ଦଳୀୟ ବୈଠକ ଡାକିବାକୁ ଏବଂ ବିଧାନସଭାର ସ୍ପେସିଆଲ ସେକ୍ସନ କରିବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି ନବୀନ । ଆହୁରି କହିଛନ୍ତି,2000 ମସିହାରେ ଯେତେବେଳେ ଆମେ ଓଡିଶା ଶାସନ ଦାୟିତ୍ୱ ନେଲୁ, ସେତେବେଳେ ଓଡିଶା ର ଅର୍ଥନୀତି ବହୁତ ଖରାପ ଅବସ୍ଥା ରେ ଥିଲା। ଆମକୁ ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡୁଥିଲା। 2024 ରେ ଯେତେବେଳେ ସରକାର ପରିବର୍ତ୍ତନ ହେଲା, ସେତେବେଳେ ପଚାଶ ହଜାର କୋଟି ଟଙ୍କା ର ଅତିରିକ୍ତ ରାଜସ୍ୱ ଆମେ ଛାଡି ଯାଇଥିଲୁ। ଆମରଦୃଢ଼ ଆର୍ଥିକ ପରିଚାଳନାଯୋଗୁଁ ଏହା ସମ୍ଭବ ହୋଇ ପାରିଥିଲା। ରାଜସ୍ୱ ବଳକା ରାଜ୍ୟ ସହ ଦ୍ରୁତ ପ୍ରଗତି ଆମେ ଆଣି ପାରିଥିଲୁ। ଗରିବୀ କମିଥିଲା। ଭିତ୍ତିଭୂମିର ବିକାଶ ହୋଇଥିଲା ଓ ଅନେକ ଜନ କଲ୍ୟାଣ କାମ କରି ଥିଲୁ।ଏହି ଦ୍ରୁତ ବିକାଶ ରେ ଖଣି କର ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ଓଡିଶା ର ଅର୍ଥନୀତି ଆଜି ବିପଦରେ।
ଆପଣ ମାନେ ଜାଣନ୍ତି, ନିକଟରେ ପାର୍ଲିଆମେଣ୍ଟରେ , ଖଣି ଏବଂ ଖଣିଜ ବିକାଶ ଏବଂ ନିୟନ୍ତ୍ରଣ ଆଇନ ସଂଶୋଧନ ପାସ ହୋଇଛି। ଏହା ଓଡିଶା ଓ ଓଡିଶା ବାସୀଙ୍କ ର ବହୁତ କ୍ଷତି କରିବାକୁ ଯାଉଛି।ଏତେ ଗୁରୁତ୍ୱପୂର୍ଣ ସଂଶୋଧନ,ବିଲ l କିନ୍ତୁ ବିନା ଆଲୋଚନାରେ କେନ୍ଦ୍ର ସରକାର ପାସ କରିଦେଲେ। କେବଳ ବିଜେଡି ସାଂସଦ ମାନେ ଏହାକୁ ରାଜ୍ୟ ସଭାରେ ବିରୋଧ କରିଥିଲେ।ଓଡିଶା ଓ ଓଡିଶା ବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହେଁ। ଦଳ ନୁହେଁ ମାଟିର ସ୍ୱାର୍ଥ ପାଇଁ ଆମକୁ ଆଜି ଏକାଠି ହେବାକୁ ପଡିବ।MMDR ସଂଶୋଧନ ବିଲ ଆମ ଖଣି ଉପରେ ଆମ ଅଧିକାର ଶେଷ କରି ଦେଇଛି। ଆପଣ ଜାଣନ୍ତି ଓଡିଶା ରେ କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, କୋଇଲା ଏବଂ ମାଙ୍ଗାନିଜ୍ର ସର୍ବାଧିକ ସଂରକ୍ଷଣ ରହିଛି ।କିନ୍ତୁ MMDR ସଂଶୋଧନ ବିଲ ଏ ସବୁ ଉପରୁ ଆମ ଅଧିକାର ଛାଡେଇନେଇଛି । ଆମ ଲୋକଙ୍କ କଲ୍ୟାଣ ପାଇଁ ଆମ ଖଣି ରୁ ଆମେ କାହିଁକି ଟାକ୍ସ ସଂଗ୍ରହ କରିପାରିବୁନି? ଆମ ଲୋକ ଧୂଳି, ଧୂଆଁ ସହିବେ। କିନ୍ତୁ ଦିଲ୍ଲୀ ଦରବାର ଆମ ସମ୍ପଦ ରେ ସମୃଦ୍ଧ ହେବ। ଏହା ଆମେ ହେବାକୁ ଦେବାନି।
ଚବିଶ ବର୍ଷ ଧରି ମୁଁ ଓଡିଶା ର ସ୍ୱାର୍ଥ କୁ ଜଗିଥିଲି। କେନ୍ଦ୍ର ରେ ବିଭିନ୍ନ ଦଳ ର ସରକାର ଥିଲେ ମଧ୍ୟ ଓଡିଶା ର ଅଧିକାର ରେ କ୍ଷତି ଆଣିବାକୁ କେହି ସାହସ କରି ନ ଥିଲେ। ଆପଣମାନେ 2024 ରେ ପରିବର୍ତ୍ତନ କରି ନୂଆ ବିଜେପି ସରକାର ଆଣିଲେ।କିନ୍ତୁ ମାତ୍ର ଦୁଇ ବର୍ଷ ଭିତରେ ସବୁ ବଦଳି ଗଲା। ଓଡିଶା କୁ ଏଵେ କେନ୍ଦ୍ର ର ଦୟା ଉପରେ ନିର୍ଭର କରିବାକୁ ହେବ।ଆପଣମାନେ ଓଡିଶା ରୁ ଲୋକସଭା କୁ 20 ଜଣ ବିଜେପି ଏମପି ଦେଲେ। କିନ୍ତୁ ଏ ମାଟି ପାଇଁ କେହିବି ପାଟି ଖୋଲିଲେନି। ସେମାନେ ରାଜ୍ୟ ଏବଂ ଏହାର ସ୍ୱାର୍ଥ ପ୍ରତି ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । କେବଳ ବିଜେଡି ହିଁ ରାଜ୍ୟସଭାରେ ଏ ସଂଶୋଧନ ବିଲ କୁ ଦୃଢ଼ ବିରୋଧ କରିଥିଲା।ବିଜୁ ବାବୁ ସବୁବେଳେ ରାଜ୍ୟ ର ରାଜ୍ୟ ର ବିକାଶ ପାଇଁ ଆର୍ଥିକ ସ୍ୱାୟତ୍ତତାଉପରେ ଜୋର ଦେଉଥିଲେ।ଏହି ସଂଶୋଧନ ବିଲ ଦ୍ୱାରା ଆଜି ଓଡିଶାର କର ସମ୍ବଳ ବହୁତ କମିଯିବ। ପ୍ରତି ବର୍ଷ ଆମେ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବା।ଏହି ଟଙ୍କାରେ ଓଡିଶା ରେ ଅନେକ ସ୍କୁଲ , କଲେଜ, ହସ୍ପିଟାଲ ହୋଇଥାନ୍ତା। ରୋଡ , ବ୍ରିଜ , ପାୱାର ଓ ଅନ୍ୟ ଭିତ୍ତିଭୂମି ହୋଇଥାନ୍ତା। ନୂଆ ନୂଆ କଲ୍ୟାଣ କାମ ହୋଇଥାନ୍ତା। ଚାଷୀ ଉପକାର ପାଇଥାନ୍ତା। ଗରିବ ଲୋକ ଉପକାର ପାଇଥାନ୍ତା।କିନ୍ତୁ ଏଵେ ଏତେବଡ଼ କ୍ଷତି ଓଡିଶା ସହି ପାରିବ ତ? ଆମ ପିଲାମାନଙ୍କୁ, ଆମଭବିଷ୍ୟତ ପିଢ଼ି କୁ ଆମେ କଣ ଜବାବ ଦେବା? Gen z ର ଭବିଷ୍ୟତ କଣ ହେବ ଏଭଳି କିଛି ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ନବୀନ । ଆହୁରି କହିଛନ୍ତି ,ଓଡିଶା କୁ ଦୁର୍ବଳ କରିବାକୁ ଚାଲିଥିବା ଏହି ଭୟଙ୍କର ଚକ୍ରାନ୍ତ କୁ ଓଡିଶା ବାସୀ କେବେ ବରଦାସ୍ତ କରିବେନି।ଏ ମାଟି ଆମର। ଏ ଖଣି ଆମର। ଆମ ଅଧିକାର ର ସୁରକ୍ଷା ପାଇଁ ମୁଁ ଲଢ଼ିବି। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡିଶା ଓ ଓଡିଶା ବାସୀଙ୍କ ଅଧିକାର ପାଇଁ ମୋର ଲଢେଇ ଜାରି ରହିବ। ଏହି ଲଢେଇ ରେ ଓଡିଶା ବାସୀ ସାମିଲ ହେବାକୁ ନିବେଦନ କରିଛନ୍ତି ନବୀନ ପଟନାୟକ ।










