ଭୁବନେଶ୍ୱର: ଭୁବନେଶ୍ୱରରେ ଗର୍ଜିଲା ଅନଲାଇନ ଚାଳକ ମିଳିତ ମଞ୍ଚ । ଲୋୟର ପିଏମଜି ଓ ମାଷ୍ଟର କ୍ୟାଣ୍ଟିନ ଛକରେ ଜୋରଦାର ପ୍ରତିବାଦ କରିଛନ୍ତି ପ୍ରତିବାଦକାରୀ । ରେଲୱେ ଷ୍ଟେସନରୁ ଏୟାର ପୋର୍ଟ ଯାଏଁ ରାସ୍ତା ଜାମ ହୋଇଛି । ତୃତୀୟ ଦିନରେ ଓଏଲଏ, ଉବେର, ରାପିଡୋ ଡ୍ରାଇଭରଙ୍କ ଆନ୍ଦୋଳରେ ରାସ୍ତା ଜାମ ହୋଇଛି । ଶହ ଶହ ଗାଡି ରାଜରାସ୍ତାରେ ଥିବାରୁ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରିଥିଲେ ମଧ୍ୟ ବ୍ୟାରିକେଡ଼ ଭାଙ୍ଗି ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଆନ୍ଦୋଳନକାରୀ ମାନେ ପୋଲିସ ଉପରକୁ ପଥର ମାଡ କରିଥିଲେ । ପୋଲିସ ମଧ୍ୟ ସେମାନଙ୍କ ଉପରକୁ ପାଣି ମାଡ କରିଛି । ଆଉ କିଛି ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇ ଧାରଣାସ୍ଥଳରୁ ଉଠାଇ ପୋଲିସ ଭ୍ୟାନରେ ପଠାଯାଇଛି ।
୩୦ ଦଫା ଦାବି ନେଇ ଏକ ଅଭିନବ ପ୍ରକ୍ରିୟାରେ ଆନ୍ଦୋଳନ କରୁଛନ୍ତି ଅଲ ଓଡିଶା ବିଗ ୱାର୍କର୍ସ ୟୁନିଅନ । ଅନଲାଇନ ଟ୍ୟାକ୍ସିର ଭଡା ଉପରେ ସରକାରଙ୍କର ନିୟନ୍ତ୍ରଣ ରହିବା ସହିତ ଯାତ୍ରୀଙ୍କ ପାଇଁ ଫିକ୍ସ ରେଟ ନିର୍ଦ୍ଧାରଣ କରିବାକୁ ସଂଗଠନ ଦାବି କରିଛି । ଦିନରେ କିଲୋମିଟର ପିଛା ୧୨ ଟଙ୍କା ଏବଂ ରାତିରେ କିଲୋମିଟରେ ପିଛା ୧୫ ଭଡା ନିର୍ଦ୍ଧାରଣ ପାଇଁ ଦାବି କରିଛନ୍ତି ଡ୍ରାଇଭର ମାନେ । ଏହା ସହିତ ଇନ୍ଧନ ଦର ବଢିଲେ ଭଡା ବୃଦ୍ଧି , ପିକ ଆୱାର ଏବଂ ସପ୍ତାହନ୍ତ ବୋନସ , ଦୀର୍ଘ ଦୂରତା ପିକଅପ ପାଇଁ କ୍ଷତିପୂରଣ ଏବଂ ଅପେକ୍ଷା ସମୟର ଚାର୍ଜ ବୃଦ୍ଧି ଦାବି କରିଛନ୍ତି । ସରକାର ସଂଘ ସହ ତୁରନ୍ତ ଆଲୋଚନା କରି ଦାବିଗୁଡିକ ଲାଗୁ କରିବାକୁ ୟୁନିଅନ ପକ୍ଷରୁ ଅନୁରୋଧ କରାଯାଇଛି । ତେବେ ବଡ କଥା ହେଉଛି , ବିକ୍ଷୋଭକାରୀଙ୍କ ଯେଉଁ ଦାବି ରହିଛି ସେ ଦାବି ପୂରଣ ହେବ ନା ଆଗକୁ ଜାରି ରହିବ ତାହା ଦେଖିବାକୁ ବାକି ରହିଲା ।









