ନୂଆଦିଲ୍ଲୀ: ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ଭଉଣୀ ନୌରିନ ନିୟାଜି ଓ ପତ୍ନୀ ବୁଶରା ବିବି ରାୱଲପିଣ୍ଡିର ଆଡିୟାଲା ଜେଲରେ ଭେଟିଥିଲେ। ନଅ ମାସ ପରେ ଭଉଣୀ ନୌରିନ ଇମ୍ରାନ ଖାନଙ୍କୁ ଭେଟିଥିଲେ। ୧୫ ମିନିଟର ଏହି ସାକ୍ଷାତ ସମୟରେ ପରିବାର ଲୋକ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ଚିକିତ୍ସା ପାଇଁ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଇମ୍ରାନ ପତ୍ନୀ ବୁଶରା ବିବିଙ୍କୁ ପାଖାପାଖି ୩୦ରୁ ୩୫ ମିନିଟ ଧରି ଭେଟିଥିଲେ। ସାକ୍ଷାତ ପରେ ନୌରିନ୍ ଇମ୍ରାନଙ୍କୁ ଭେଟିଥିବା ସ୍ପଷ୍ଟ କରିଛନ୍ତି। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଣମାଧ୍ୟମ ସହିତ ସେ କଥା ହୋଇନଥିଲେ।
ନୌରିନ୍ ତାଙ୍କ ଭଉଣୀ ଅଲିମା ଖାନ ଓ ଉଜମା ଖାନଙ୍କ ସହ ଆଡିୟାଲା ଜେଲକୁ ଯିବା ବାଟରେ ଦହଗଲ ଚେକପଏଣ୍ଟରେ ପହଞ୍ଚିଥିଲେ। ପୁଲିସ ତିନି ଜଣଙ୍କୁ ଅଟକାଇ ଦେଇଥିଲା। ପରେ କେବଳ ନୌରିନ୍ଙ୍କୁ ଇମ୍ରାନଙ୍କୁ ଭେଟିବା ପାଇଁ ଜେଲ ଭିତରକୁ ଅନୁମତି ଦିଆଯାଇଥିଲା। ୧୫ ମିନିଟ୍ର ସାକ୍ଷାତ ପରେ ନୌରିନ୍ ଇମ୍ରାନଙ୍କୁ ଭେଟିବା ନିଶ୍ଚିତ କରିଥିଲେ। ତେବେ କୋର୍ଟକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ସେ ଗଣମାଧ୍ୟମ ସହିତ କଥା ହୋଇ ନଥିଲେ। ସୁପ୍ରିମକୋର୍ଟ ମଙ୍ଗଳବାର ଇମ୍ରାନ ଖାନଙ୍କ ପରିବାରକୁ ସପ୍ତାହକୁ ଥରେ ଭେଟିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଛନ୍ତି ଯେ, ଇମ୍ରାନଙ୍କୁ ତାଙ୍କ ପରିବାର ଭେଟିବା ଏକ ଅନୁଗ୍ରହ ନୁହେଁ ବରଂ ଏକ ମୌଳିକ ଅଧିକାର।










