ନୂଆଦିଲ୍ଲୀ : ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ଆବେଦନକୁ ନେଇ ପୁଣି ଘୁଞ୍ଚିଲା ଶୁଣାଣି । ଦାରା ସିଂଙ୍କ ମୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବାକୁ ଓଡ଼ିଶା ବନ୍ଦୀ ମୁକ୍ତି ସମୀକ୍ଷା ବୋର୍ଡକୁ ଆଉ ଏକ ଶେଷ ସୁଯୋଗ ଦେଇଛନ୍ତି ସୁପ୍ରିମକୋର୍ଟ ।ପୂର୍ବ ଶୁଣାଣିରେ ଆଜି ସୁଦ୍ଧା ଦାରା ସିଂଙ୍କ ମୁକ୍ତି ଉପରେ ନିଷ୍ପତ୍ତି ନେବାକୁ ଓଡ଼ିଶା ସରକାରଙ୍କୁ କୁହାଯାଇଥିଲା । ହେଲେ ଆଜି ମଧ୍ୟ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା କୋର୍ଟଙ୍କୁ ଜଣାଇଥିଲେ ସରକାରୀ ପକ୍ଷ । ଏହାପରେ ମାମଲାକୁ ଆଉ କିଛି ସମୟ ଘୁଞ୍ଚାଇବାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ଏଥିରେ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି ପ୍ରଶ୍ନ କରିଥିଲେ ଏପର୍ଯ୍ୟନ୍ତ ନିଷ୍ପତ୍ତି କାହିଁକି ନିଆଯାଇନାହିଁ, ଜେଲ୍ ମହାନିର୍ଦ୍ଦେଶାଳୟର ଏକ ଚିଠି କୋର୍ଟରେ ଦାଖଲ କରାଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିଚାରପତି ।
ଦାରା ସିଂ ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହୋଇଥିବାରୁ ସେଠାରୁ ତାଙ୍କ ପୂର୍ବ ପୃଷ୍ଠଭୂମି ଓ ଆଚରଣ ସମ୍ପର୍କିତ ତଥ୍ୟ ମଗାଯାଇଥିବା କୁହାଯାଇଛି । ଏହାପରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ସମୀକ୍ଷା ବୋର୍ଡକୁ ନିଷ୍ପତ୍ତି ନେବାକୁ ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ ନିଷ୍ପତ୍ତି ନହେଲେ କୋର୍ଟ ନିଜେ ଦାରା ସିଂଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବେ ବୋଲି ମୌଖିକ ଭାବେ ସ୍ପଷ୍ଟ କରିଛନ୍ତି । ଏବେ ଆଗାମୀ ଶୁଣାଣି ଉପରେ ସମସ୍ତଙ୍କ ନଜର ।










