କେନ୍ଦୁଝର : ବନ୍ୟାଜଳରେ ଭାସି ଜଣେ ମୃତ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ଘୁରୁଡିଆ ନାଳ ବନ୍ୟାଜଳରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କରଦାଙ୍ଗି ଆମ୍ବତଇଳା ସାହିର ଭକ୍ତବନ୍ଧୁ ମହାନ୍ତ । ସେ ଶନିବାର ସ୍ବାଧୀନତା ଦିବସ ଦିନ ଅପରାହ୍ନ ୧୨ ଟା ବେଳେ ଘୁରୁଡିଆ ନାଳ ନିକଟସ୍ଥ ହାଟୁଆବାଟ ଚାଷ ଜମିକୁ ଆସିଥିଲେ । ତା’ପରେ ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା ।ନିଖୋଜ ନେଇ ତେଲକୋଇ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି । ତେବେ ଆଜି ସକାଳୁ ଘଟଣା ସ୍ଥଳରୁ ୮୦୦ ମିଟର ଦୂର ଘୁରୁଡିଆ ନାଳ ପାତ୍ରସାହି ତୁଠ ନିକଟରେ ଶବ ଗଛ ବୁଦାରେ ଲାଖି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଚାଷ ଜମି ବୁଲାବୁଲି ସାରି ନାଳକୁ ଗାଧୋଇବା ପାଇଁ ଆସିଥିବା ବେଳେ ବନ୍ୟାଜଳରେ ଭାସିଯାଇଥିବା ଅନୁମାନ କରାଯାଉଛି ।










