ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ବୁଧବାର ରାଜ୍ୟସାରା ତମାଖୁ ଓ ନିକୋଟିନ୍ ଜାତୀୟ ଗୁଟଖା ଏବଂ ପାନ୍ ମସଲାର ଉତ୍ପାଦନ, ମହଜୁଦ୍, ବଣ୍ଟନ, ପରିବହନ ଓ ବିକ୍ରି ଉପରେ ଏକ ବର୍ଷ ପାଇଁ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି। ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ଆୟୁକ୍ତଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ର ଧାରା ୩୦ (୨) (ଏ) ଏବଂ ଖାଦ୍ୟ ସୁରକ୍ଷା ଓ ମାନକ ନିୟମାବଳୀ, ୨୦୧୧ର ନିୟମ ୨.୩.୪ ଅଧୀନରେ ଏହି କଟକଣା ଲାଗୁ କରାଯାଇଛି।ବିଜ୍ଞପ୍ତି ପତ୍ର ପ୍ରକାଶ ପାଇବା ଦିନଠାରୁ ଏକ ବର୍ଷ ପର୍ଯ୍ୟନ୍ତ ଏହି ନିୟମ ସମଗ୍ର ରାଜ୍ୟରେ ବଳବତ୍ତର ରହିବ। କେବଳ ପ୍ରତ୍ୟକ୍ଷ ଗୁଟଖା ନୁହେଁ, ବରଂ ଅଲଗା ଅଲଗା ପ୍ୟାକେଟରେ ବିକ୍ରି ହେଉଥିବା ଏବଂ ଗ୍ରାହକ ନିଜେ ମିଶାଇ ବ୍ୟବହାର କରୁଥିବା ନିକୋଟିନ୍ କିମ୍ବା ତମାଖୁଯୁକ୍ତ ସମସ୍ତ ପ୍ରକାର ଉତ୍ପାଦ ଉପରେ ଏହି କଟକଣା ଲାଗୁ ହେବ। ଉତ୍ପାଦଗୁଡ଼ିକର ନାମ ଯାହା ହୋଇଥାଉ ନା କାହିଁକି, ତାହା ପ୍ୟାକେଟରେ ଥାଉ କିମ୍ବା ଖୋଲାରେ ବିକ୍ରି ହେଉଥାଉ, ଯଦି ସେଥିରେ ନିକୋଟିନ୍ କିମ୍ବା ତମାଖୁ ରହୁଛି, ତେବେ ତାହା ଆଇନଗତ ଭାବେ ବେଆଇନ୍ ବିବେଚିତ ହେବ ବୋଲି ସ୍ପଷ୍ଟ କରାଯାଇଛି, ଏବଂ ଯେପରି ଆଗାମୀ ଦିନରେ ନିୟମରେ କୌଣସି ଉଲଘଂନ ନହୁଏ ସେନେଇ କର୍ଣ୍ଣାଟକ ସରକାର କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।









