ଛତ୍ରପୁର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତକୁ ନେଇ ଗଞ୍ଜାମଜିଲ୍ଲାପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାକୁ ବର୍ତ୍ତମାନ ଅରେଞ୍ଜ୍ ୱାର୍ଣ୍ଣିଂ ଥିବାବେଳେ ୨୩ ଓ ୨୪ ତାରିଖରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।ଗଭୀର ଅବପାତ ଗଞ୍ଜାମ ଜିଲ୍ଲା ନିକଟ ଦେଇ ଗତି କରିବାର ସମ୍ଭାବନା ଥିବାରୁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି। ଜିଲ୍ଲା ଓ ବ୍ଲକସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଥିବାବେଳେ ଆବଶ୍ୟକ ସହାୟତା ପାଇଁ ନିର୍ଦ୍ଧାରିତ ଫୋନ୍ ନମ୍ବର ଜାରି କରାଯାଇଛି।ବର୍ଷା ସହ ବଜ୍ରପାତର ଆଶଙ୍କା ଥିବାରୁ ବିନା ଆବଶ୍ୟକତାରେ ଘରୁ ନବାହାରିବାକୁ ଜିଲ୍ଲାପାଳ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷକରି ଆଗାମୀ ୩ରୁ ୪ ଦିନ ଚାଷୀମାନେ ଚାଷଜମିକୁ ନଯିବାକୁ କୁହାଯାଇଛି।ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ପାଇଁ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇଛି। ସମସ୍ତ ବ୍ଲକରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ହେଲେ ନଦୀ ଓ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।










