ନୂଆଦିଲ୍ଲୀ: ନିବେଶ ଆକର୍ଷଣ ଏବଂ ଆର୍ଥିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ-୨୦୨୬ ସମ୍ମିଳନୀରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଉଚ୍ଚସ୍ତରୀୟ ସମ୍ମିଳନୀର ଉଦ୍ଘାଟନ କରାଯାଇଛି । ଗସ୍ତ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେମିକନ୍ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବା ପାଇଁ ଓଡ଼ିଶାର ଏକ ପ୍ରତିନିଧିମଣ୍ଡଳ ଦିଲ୍ଲୀ ଯାଇଛି ।ଏହି ଅବସରରେ ୟୁରୋପ, ଜାପାନ ଏବଂ ଦକ୍ଷିଣ କୋରିଆର ପ୍ରତିନିଧିମାନଙ୍କ ସହ ନିବେଶ ସମ୍ପର୍କିତ ଆଲୋଚନା ହେବ । ଏହି ଅଞ୍ଚଳଗୁଡ଼ିକର କିଛି ନିବେଶକ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିବା ସେ ସୂଚନା ଦେଇଛନ୍ତି । ସେମିକଣ୍ଡକ୍ଟର କ୍ଷେତ୍ରରେ ବଡ଼ ନିବେଶ ଆକର୍ଷଣ କରି ଓଡ଼ିଶାକୁ ଏକ ପ୍ରମୁଖ ସେମିକଣ୍ଡକ୍ଟର ହବ୍ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ଏବେ ସକ୍ରିୟ ଭାବେ ପଦକ୍ଷେପ ନେଉଛନ୍ତି । ଏହି ଦିଲ୍ଲୀ ଗସ୍ତ ସମୟରେ ଆନ୍ତର୍ଜାତୀୟ ନିବେଶକଙ୍କ ସହ ଆଲୋଚନା ରାଜ୍ୟର ଶିଳ୍ପ ଓ ନିବେଶ କ୍ଷେତ୍ର ପାଇଁ ଗୁରୁତ୍ୱ ବହନ କରୁଛି ।










