କୋରାପୁଟ : ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଜନଜୀବନ ପ୍ରଭାବିତ ହୋଇଛି । ବିଭିନ୍ନ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେବାରୁ ଯାତାୟାତ ଠପ୍ ହୋଇଛି ।ଚାଟୁଆ ପଞ୍ଚାୟତ ଦେଇ ପ୍ରବାହିତ ପାତାଳୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ତଳ କଣ୍ଡାପାଲି ନିକଟ ରେଳ ସେତୁ ତଳ ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ତଳ କଣ୍ଡାପାଲି, ଉପର କଣ୍ଡାପାଲି, ଏକଟାଗୁଡ଼ା, ଚିଡ଼ିଖଲାମ, ଡମନିଝୋଲା, ପଡ଼ାଗୁଡ଼ା, ବେତବାରୀ ଓ ନୂଆ କଲୋନୀ ଭଳି ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ସେହିପରି ଥୁବା ପଞ୍ଚାୟତର କୁକୁଡ଼ାପୁଟ ପୋଲ ଉପରେ ମଧ୍ୟ ପାଣି ମାଡ଼ିଯାଇଛି। ଫଳରେ ପାତ୍ରପଣ୍ଡି ଦେଇ ସାଗରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ହୋଇଛି । ଦୁଇ ଅଞ୍ଚଳରେ ପାଣି ବଢ଼ିଥିବାରୁ ଲୋକଙ୍କ ଯାତାୟାତ ଠପ୍ ହୋଇଛି । ଏଥିସହ ଜରୁରୀ ସେବା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି ।










