28.1 C
Bhubaneswar
Friday, April 26, 2024
Homeଓଡିଶାଟିକା ପାଇଁ ଗ୍ଲୋବାଲ ଟେଣ୍ଡର ବାତିଲ

ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ବାତିଲ

ଭୂବନେଶ୍ୱର : କୋଭିଡ୍ ଟିକା କିଣିବା ନେଇ ଗ୍ଲୋବାଲ ଟେଣ୍ଡର ବାତିଲ ହୋଇଛି । ଓଡ଼ିଶା ସରକାରଙ୍କ ଅଧିନସ୍ଥ ରାଜ୍ୟ ଔଷଧ ନିଗମ ଏହି ବାତିଲ ନୋଟିସ୍ ଦେଇଛି । ଫଳରେ ରାଜ୍ୟ ସରକାର ଆଉ କୋଭିଡ୍ ଟିକା ନେଇ ଇ-ଟେଣ୍ଡରକୁ ଯିବେ ନାହିଁ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଜୁନ ୯ରେ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ଏବଂ ଟିକା ପାଇଁ କୌଣସି ରାଜ୍ୟ ସରକାରଙ୍କୁ କିଛି ବି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ଘୋଷଣା କରିଥିଲେ । ତଦନୁଯାୟୀ ୨୧ରୁ ଏହି ଟିକାକରଣ କାର୍ଯ୍ୟ ଓଡ଼ିଶା ସମେତ ସାରା ଦେଶରେ ଜୋରସୋରରେ ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଓଡ଼ିଶା ଆଉ ‘ଗ୍ଲୋବାଲ ଟେଣ୍ଡର’ କରିବାର ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ମହାପାତ୍ର ସୂଚନା ଦେଇଥିଲେ । ସେତେବେଳେ ଶ୍ରୀ ମହପାତ୍ର କହିଥିଲେ, ଯଦି କେନ୍ଦ୍ର ସରକାର ୧୮ ବର୍ଷରୁ ୪୪ ବର୍ଷ ବର୍ଗଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ, ତାହାଲେ ରାଜ୍ୟ ସରକାରଙ୍କ ଆଉ ‘ଗ୍ଲୋବାଲ ଟେଣ୍ଡର’ ଆହ୍ୱାନ କରିବାରେ କିଛି କାରଣ ନାହିଁ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କ୍ରମେ ୧୮ ବର୍ଷରୁ ୪୪ ବର୍ଷ ବର୍ଗଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ଗ୍ଲୋବାଲ ଟେଣ୍ଡର ହୋଇଥିଲା । ରାଜ୍ୟ ସରକାର ପ୍ରାୟ ୩ କୋଟି ୮୦ ଲକ୍ଷ କୋଭିଡ୍ ଟିକା କିଣିବା ପାଇଁ ‘ଗ୍ଲୋବାଲ ଟେଣ୍ଡର’କୁ ଯାଇଥିଲେ । ଜୁନ ୯ରେ ଗ୍ଲୋବାଲ ଟେଣ୍ଡରର ‘ପ୍ରାଇସ୍ ବିଡିଂ’ଖୋଲାଯିବାର ଥିଲା । ଏହି ପ୍ରକ୍ରିୟାରେ ଫାଇଜର, ମଡର୍ଣ୍ଣା, ଜନସନ୍ ଆଣ୍ଡ ଜନସନ୍ ଭଳି କମ୍ପାନୀ ଟେଣ୍ଡର ପ୍ରକିୟାରେ ସାମିଲ ହୋଇପାରିବେ ବୋଲି ସରକାର ସ୍ପଷ୍ଟ କରିଥିଲେ । ହେଲେ ଗ୍ଲୋବାଲ୍ ଟେଣ୍ଡର ପ୍ରତି ପ୍ରଥମେ ବିଦେଶୀ ଟିକା ଉତ୍ପାଦନକାରୀ କମ୍ପାନୀ ଅନାଗ୍ରହ ଦେଖାଇବାରୁ ସମସ୍ୟା ସୃଷ୍ଟି ହୋଇଥିଲା । ଟିକା କମ୍ପାନୀ କେନ୍ଦ୍ର ସରକାରଙ୍କ ସହ ସିଧାସଳଖ ଡିଲ୍ କରିବାକୁ ଚାହୁଁଥିଲେ ।

ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ପାଇଁ ଅନେକ ନୀତିରେ ସରଳ କରିଥିଲେ ସରକାର । ଗତ ମଇ ୨୧ରେ କୋଭିଡ୍ ଟିକା କିଣିବା ନିମନ୍ତେ ନିୟମ କୋହଳ ପାଇଁ ଗ୍ଲୋବାଲ ଟେଣ୍ଡରର ନିୟମ ସର୍ତ୍ତାବଳୀ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିଲେ । ମାତ୍ର କୌଣସି ଟିକା କମ୍ପାନୀ ଆଗ୍ରହ ପ୍ରକାଶ କରି ନଥିଲେ । ଏଥିରେ କଣ୍ଟା ସାଜିଥିଲା କେନ୍ଦ୍ରର ନିୟମ । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ‘ଏକ ହେବାକୁ’ ଆହ୍ୱାନ ଦେଇଥିଲେ । ପଶ୍ଚିମବଙ୍ଗ, କେରଳ ଭଳି ୬ ରାଜ୍ୟ ଓଡ଼ିଶାକୁ ସମର୍ଥନ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମାଗଣା ଟିକା ଦିଆଯିବ ବୋଲି ଘୋଷଣା ପରେ ଓଡ଼ିଶା ଭଳି ଅନେକ ରାଜ୍ୟ ଆସ୍ୱସ୍ଥ ହୋଇଥିଲେ । ଏଥିପାଇଁ ବୁଧବାର ରାଜ୍ୟ ଓ୍ୟୌଷଧ ନିଗମ ଇ ଟେଣ୍ଡରକୁ ବାତିଲ ନେଇ ନୋଟିସ୍ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking