ବାରିପଦା: ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ । ଶିକାରୀମାନଙ୍କୁ ଏଆଇ ଟ୍ରେଲଗାର୍ଡ କ୍ୟାମେରାରେ କଏଦ କରାଯାଇଥିଲା । ସେମାନଙ୍କ ନିକଟରୁ ୨ ଟି ହାତ ତିଆରି ବନ୍ଧୁକ, ଗନ୍ ପାଉଡର, ୨ ଟି ହେଡ ଟର୍ଚ୍ଚ ଏବଂ ଅନ୍ୟାନ୍ୟ ନିଷିଦ୍ଧ ଜିନିଷ ଜବତ କରିଛନ୍ତି ଶିମିଳିପାଳ ଦକ୍ଷିଣ ପଶ୍ଚିମ ବନ୍ୟପ୍ରାଣୀ ଡିଭିଜନର କର୍ମଚାରୀମାନେ । ଗିରଫ ଅଭିଯୁକ୍ତ ଶିକାରୀ ମାନେ ହେଲେ ଫାଗୁରାମ ଟୁଡୁ (୨୩), ରାମ ଚନ୍ଦ୍ର କିସ୍କୁ, (୫୬), ରଂଜନ କିସ୍କୁ (୨୬), ବିଶ୍ବନାଥ ହାଁସଦା (୬୫) । ଏମାନଙ୍କ ନାମରେ ପୋଡାଡିହା ବନ୍ୟପ୍ରାଣୀ ରେଞ୍ଜରେ ଏକ ମାମଲା ରୁଜୁ କରାଯାଇଛି । ଜାମିନ ଆବେଦନ ଖାରଜ ହେବା ପରେ ସେମାନଙ୍କୁ ଜେଲ ହାଜତକୁ ପଠାଯାଇ ଅଧିକ ତଦନ୍ତ ଜାରି ରହିଛି ।










