ସୁନ୍ଦରଗଡ଼: ଚାଷ ଋତୁ ଆରମ୍ଭ ହେବା ସହ ସୁନ୍ଦରଗଡ଼ ଜିଲ୍ଲାରେ ଦେଖାଦେଇଛି ସାରର ଘୋର ସଙ୍କଟ । ସରକାର ସାରର କୌଣସି ଅଭାବ ନଥିବା ଦାବି କରୁଥିବା ବେଳେ, କାହାଣୀ ଅଧିକ ବୟାନ କରୁଛି । ସାର ଅଭାବ ଯୋଗୁଁ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଧାନ ତଳିକୁ ଠିକ୍ ସମୟରେ ସାର ମିଳୁନଥିବାରୁ ତାହାର ବୃଦ୍ଧି ବାଧାପ୍ରାପ୍ତ ହେଉଛି । ଅନେକ ସ୍ଥାନରେ ତଳି ପାଚିବା ଆରମ୍ଭ କରିଥିବା ଅଭିଯୋଗ ମଧ୍ୟ ଆସିଛି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ବଢ଼ିଛି ଚିନ୍ତା । ସାର ପାଇବା ଆଶାରେ ଦିନରାତି ପ୍ୟାକ୍ସ ସମ୍ମୁଖରେ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି ଚାଷୀ ।
ରାତି ଅନିଦ୍ରା ହୋଇ ଅପେକ୍ଷା କରିବା ପରେ ମଧ୍ୟ ଅନେକଙ୍କୁ ଖାଲି ହାତରେ ଫେରିବାକୁ ପଡ଼ୁଛି । ଫଳରେ ବାଧ୍ୟ ହୋଇ କିଛି ଚାଷୀ ଅଧିକ ଦର ଦେଇ କଳାବଜାରରୁ ସାର କିଣୁଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ଦାବି, ଚାଷ ସମୟରେ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆନଗଲେ ଚଳିତ ବର୍ଷ ଫସଲ ଉତ୍ପାଦନ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ । ତେଣୁ ସରକାର ତୁରନ୍ତ ସାର ଯୋଗାଣକୁ ସ୍ୱାଭାବିକ କରିବା ସହ କଳାବଜାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।










