31.7 C
Bhubaneswar
Friday, July 24, 2026
Homeଓଡିଶାଫାଇଦା ପାଇଁ ବିରୋଧ ଓ ସମର୍ଥନ

ଫାଇଦା ପାଇଁ ବିରୋଧ ଓ ସମର୍ଥନ

ଭୁବନେଶ୍ୱର: ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ କେନ୍ଦ୍ରକରି କକ୍ରୋଜ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକାରୀଙ୍କ ଦାବିକୁ ନେଇ ସମଗ୍ର ଦେଶରେ ରାଜନୈତିକ ବାତାବରଣ ବେଶ୍ ସରଗରମ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସେମାନେ ଅଡ଼ି ବସିଥିବାବେଳେ ବିଜେଡି ସୁମ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଦାବି ଉତ୍‌ଥାପନ କରିବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଧର୍ମେନ୍ଦ୍ର ଏବେ ଏହି ଘଟଣା ନେଇ ରାଜନୈତିକ ମହଲରେ ଅଡ଼ୁଆ ପରିସ୍ଥିତିର ମୁକାବିଲା କରୁଥିବାରୁ ତାଙ୍କ ମନୋବଳକୁ ସୁଦୃଢ଼ କରିବା ପାଇଁ ଉଭୟ ଓଡ଼ିଶାର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ତାଙ୍କ ପଛରେ ଛିଡ଼ା ହେବାକୁ ବାହାରିଛନ୍ତି। ସାଂସଦ ଭର୍ତ୍ତୃହରି ମହତାବଙ୍କ ନେତୃତ୍ୱରେ ୧୧ ଜଣ ସାଂସଦ ସାମ୍ବାଦିକ ସମ୍ମିଳନୀ କରି ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି ଘଟଣାରେ ଧର୍ମେନ୍ଦ୍ରଙ୍କ ସହ ଓଡ଼ିଶାର ସବୁ ସାଂସଦ ଦୃଢ଼ ଭାବେ ଛିଡ଼ା ହେବା ବଦଳରେ ତାଙ୍କଠୁ ଦୂରେଇ ରହୁଥିବା ଦେଖାଯାଇଛି। ବିଶେଷକରି ସାଂସଦ ବୈଜୟନ୍ତ ପଣ୍ଡା, ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ପ୍ରଦୀପ ପାଣିଗ୍ରାହୀ, ରୁଦ୍ର ପାଣି, ସମ୍ବିତ ପାତ୍ର ପ୍ରମୁଖ ଏହି ସମ୍ବାଦିକ ସମ୍ମିଳନୀରେ ନିଜକୁ ଦୂରେଇ ରଖିଲେ।

ଏହାକୁ ନେଇ ରାଜ୍ୟ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି। ବିପଦ ବେଳେ ଜଣେ ବନ୍ଧୁଙ୍କ ପଛରେ ଛିଡ଼ା ହେବା ବଦଳରେ ଏମାନେ କାହିଁକି ଦୂରେଇ ରହିଲେ। କୁହାଯାଉଛି ମୁଖ୍ୟତଃ ଏମାନେ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ବିରୋଧୀ ବୋଲି ରାଜ୍ୟ ବିଜେପି ରାଜନୀତିରେ ଜଣାଶୁଣା। କିଛି ବିଜେପି ନେତା କହିବା କଥା ହେଉଛି ବିପଦ ସମୟରେ ଓଡ଼ିଶାର ସବୁ ସାଂସଦ ଏକ ହୋଇ ସ୍ୱର ଉଠାଇବା ଦରକାର। ଏହା ଦ୍ୱାରା ଏକ ବାର୍ତ୍ତା ଯିବ ଯେ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଧର୍ମେନ୍ଦ୍ରଙ୍କ କୌଣସି ହାତ ନାହିଁ। ବିରୋଧୀ ରାଜନୈତିକ ଉଦ୍ଦେଶ୍ୟରେ ଛାତ୍ର ଓ ଯୁବକମାନଙ୍କୁ ହତବାରିଶ କରି ଫାଇଦା ନେବାକୁ ଚାହୁଁଛନ୍ତି। ଏଣୁ ଓଡ଼ିଶାର ସବୁ ବିଜେପି ସାଂସଦ ଏକାଠି ହୋଇ ଛିଡ଼ା ହେଲେ ହୁଏତ ଏକ ଭିନ୍ନ ବାର୍ତ୍ତା ଯାଇଥାଆନ୍ତା ଯେ ଧର୍ମେନ୍ଦ୍ରଙ୍କ ଏଥିରେ କୌଣସି ହାତ ନଥିବାରୁ ତାଙ୍କର ଇସ୍ତଫା ଦେବାର ଆବଶ୍ୟକ ନାହିଁ। ଏପରି ନହେବା ଦ୍ୱାରା ଆଲୋଚନା ହେଉଛି ଯେ, ବିଜେପି ଭିତରେ ବି କିଛି ସାଂସଦ ଚାହୁଁଛନ୍ତି ଧର୍ମେନ୍ଦ୍ର ଇସ୍ତଫା ଦେବା ଦରକାର। ବିଜେପି କେନ୍ଦ୍ରରେ ସରକାର ଗଢ଼ିବା ପରଠାରୁ ଏବେଯାଏଁ କ୍ଷମତା ଉପଭୋଗ କରି ଚାଲିଛନ୍ତି। ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ସହ ଉତ୍ତମ ସମ୍ପର୍କ ଥିବାରୁ ସୁଯୋଗ ପାଇ ଚାଲିଛନ୍ତି। ବର୍ତ୍ତମାନ ଅଡ଼ୁଆ ପରିସ୍ଥିତିରେ ଧର୍ମେନ୍ଦ୍ର ପଡ଼ିଥିବାରୁ ଏହି ସୁଯୋଗରେ ସେ ଯଦି ହଟିଯିବେ ଆମ ପାଳି ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଧର୍ମେନ୍ଦ୍ର ଯଦି ଯାଆନ୍ତେ ଓଡ଼ିଶା କୋଟାରେ ଆଉ ଜଣେ କ୍ୟାବିନେଟ୍ ମନ୍ତ୍ରୀ ହୋଇପାରନ୍ତି କି ଦୁଇଜଣ ରାଷ୍ଟ୍ରମନ୍ତ୍ରୀ ହୋଇପାରନ୍ତି। ବିଶେଷକରି ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ ଓ ସମ୍ବିତ ପାତ୍ର ଆଶା ବାନ୍ଧି ବସିଥିବା କଥା ଆଲୋଚନା ହେଉଛି। ବୈଜୟନ୍ତ ଓ ଅପରାଜିତାଙ୍କ ନୀରବତାକୁ ଅଧିକ ସନ୍ଦେହ ଚକ୍ଷୁରେ ଦେଖାଯାଉଛି। ଏଥିପାଇଁ ଏମାନେ ଦୂରେଇ ରହିଥିବା କଥା କୁହାଯାଉଛି।

ଭର୍ତ୍ତୃହରି ମହାତାବ ବିଜେଡି ଆରମ୍ଭରୁ ଦଳ ସହିତ ଥିଲେ ଓ ସାଂସଦ ମଧ୍ୟ ହୋଇ ଚାଲିଥିଲେ। ୨୦୨୪ରେ ସେ ଦଳରୁ ଦୂରେଇ ଯାଇ ବିଜେପିର ସାଂସଦ ହେଲେ। ନବୀନ ପଟ୍ଟନାୟକ ତାଙ୍କୁ ୫ଥର ସାଂସଦ ହେବାର ସୁଯୋଗ ଦେଇଥିଲେ ବି ସେ ଏହାକୁ ଗୁରୁତ୍ୱ ନଦେଇ ଧର୍ମେନ୍ଦ୍ରଙ୍କ ପଛରେ ଛିଡ଼ାହୋଇ ଟାର୍ଗେଟ୍ କଲେ। ବିଜେପିର ସମାଲୋଚନା ଓ ବିରୋଧକୁ ବିଜେଡି ଯେତିକି ଗୁରୁତ୍ୱ ନଦେଉଛି ସେଥିରେ ଭର୍ତ୍ତୃହରିଙ୍କ ମତକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ବିଜେଡି ପକ୍ଷରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି। ଏକଥା ବି କୁହାଯାଉଛି ଭର୍ତ୍ତୃହରି ମହତାବ ଅତ୍ୟନ୍ତ ଚତୁର ନେତା। ସେ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରିବା ପଛରେ ତାଙ୍କର ଅନ୍ତର୍ନିହିତ ଉଦ୍ଦେଶ୍ୟ ମଧ୍ୟ ରହିଛି। ଯଦି ଧର୍ମେନ୍ଦ୍ରଙ୍କୁ ଇସ୍ତଫା ଦେବାକୁ ପଡ଼େ ତେବେ ସେ ନିଶ୍ଚୟ ମୋଦୀ ଓ ଶାହାଙ୍କ ପାଖରେ ପ୍ରସ୍ତାବ ରଖିବେ ତାଙ୍କ ବଦଳରେ ଭର୍ତ୍ତୃହରିଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଉ। ସେ ଜଣେ ବରିଷ୍ଠ ସାଂସଦ ଓ ପ୍ରଧାନମନ୍ତ୍ରୀଙ୍କ ସହ ଭଲ ଜଣାଶୁଣା ଅଛି। ନଚେତ୍ ଇସ୍ତଫା ନଦେଇ କ୍ଷମତାରେ ରହିଲେ ଧର୍ମେନ୍ଦ୍ରଙ୍କର କେନ୍ଦ୍ରୀୟ ବିଜେପି ରାଜନୀତିରେ ବେଶ୍ ପ୍ରଭାବ ଥିବାରୁ ତାଙ୍କ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ଭବିଷ୍ୟତରେ ହାସଲ କରିପାରିବେ ବୋଲି ଭର୍ତ୍ତୃହରି ଭାବି ଥିବା କଥା ଆଲୋଚନା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking