ଭୁବନେଶ୍ୱର: ଜେଲରୁ ବିଜେଡି ନେତା ବିକ୍ରମ ପଣ୍ଡା ମୁକୁଳିବା ଘଟଣାକୁ ନେଇ ତେଜିଲା ରାଜନୀତି । ଜୋର ଧରିଲା ବିଜେପି ବିଜେଡି ବୟାନବାଜି । ଜେଲରୁ ବାହାରିବା ପରେ ବିକ୍ରମ ପଣ୍ଡାଙ୍କୁ ଶୋଭାଯାତ୍ରାରେ ନିଆଯିବା ନେଇ ସମାଲୋଚନା କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ବେଲ ମିଳିବା ଦୋଷ ମୁକ୍ତ ହେବା ନୁହେଁ ବୋଲି କହିବା ସହିତ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ବିକ୍ରମ ପଣ୍ଡାଙ୍କୁ ଶୋଭାଯାତ୍ରାରେ ନିଆଯିବା ଲଜ୍ଜାଜନକ । ପୀତବାସ ପଣ୍ଡାଙ୍କୁ ନିଶ୍ଚିନ୍ତ ନ୍ୟାୟ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ପରିବହନ ମନ୍ତ୍ରୀଙ୍କର ମନ୍ତବ୍ୟର କଡା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ବିଜେଡି କହିଛି ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ଏକ ରାଜନୈତିକ ଷଡଯନ୍ତ୍ର ଏବଂ ଆକ୍ରୋଶର ଉଦାହରଣ । ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ସତ୍ୟ ନୁହେଁ ବୋଲି କୋର୍ଟଙ୍କ ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି । ବେଲ ମିଳିବା ପରେ ସବୁ ଚକ୍ରାନ୍ତ ପଣ୍ଡ ହୋଇଛି ବୋଲି କହିଛି ବିଜେଡି ।









