ବାଲେଶ୍ୱର: ଉପରମୁଣ୍ଡରେ ଲାଗି ରହିଥିବା ପ୍ରବଳ ବର୍ଷା ଏବେ ବସ୍ତାବାସୀଙ୍କ ଚିନ୍ତା ବଢ଼ାଇଛି । ଜଳକା ନଦୀର ଜଳସ୍ତର ଆଜି ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବସ୍ତାର ମଥାନିଠାରେ ଜଳସ୍ତର ବଢ଼ିବାରେ ଲାଗିଛି । ମଥାନିଠାରେ ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ୬.୯୦ ମିଟରରେ ପହଞ୍ଚିଛି । ଫଳରେ ନଦୀକୂଳିଆ ଅଞ୍ଚଳରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି । ସ୍ଥିତି ଏଭଳି ଯେ, ମଥାନି ମୁଖ୍ୟ ରାସ୍ତା ଉପରେ ପ୍ରାୟ ୧ରୁ ୨ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି ।ଅନ୍ୟପଟେ, ଜଳକା ନଦୀର ବନ୍ୟାଜଳ ଯୋଗୁଁ ୨୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଉପରମୁଣ୍ଡରେ ବର୍ଷା ଜାରି ରହିଲେ ଜଳକା ନଦୀର ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ରହିଛି । ତେଣୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ପୁଣି ଛନକା ପଶିଛି ।










