ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ପୁଣିଥରେ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ।ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପ୍ରଥମେ ଉତ୍ତର-ଉତ୍ତରପଶ୍ଚିମ ଏବଂ ପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଅତିକ୍ରମ କରିବାର ସମ୍ଭାବନା ରହିଛି । ଅବପାତ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ମଙ୍ଗଳବାର ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଅଛି । ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି । ସେହିପରି ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗୀର ଜିଲାକୁ ୟେଲୋ ଓ୍ବାର୍ନିଂ ଏବଂ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲାରେ ଘଡ଼ଘଡ଼ି ସହିତ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।










