ସମ୍ବଲପୁର: ଓଡ଼ିଶାରେ ଲଗାଣ ବର୍ଷାରୁ ଏବେ ରକ୍ଷା ମିଳିବାର ନାଁ ଧରୁନି । ବର୍ଷାକୁ ନେଇ ରାଜ୍ୟର ତିନି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଗତ ୨୪ ଘଣ୍ଟାର ବର୍ଷା ରେକର୍ଡ ଦେଖିଲେ, ମୟୂରଭଞ୍ଜ ଜିଲ୍ଲା ବହଳଦାରେ ସର୍ବାଧିକ ୨୭୩ ମିଲିମିଟର ବର୍ଷା ହୋଇଛି । ଏହା ସହ ରାଜ୍ୟର ଅନେକ ଅଞ୍ଚଳରେ ମଧ୍ୟ ଭାରୀରୁ ଅତିଭାରୀ ବର୍ଷା ରେକର୍ଡ ହୋଇଛି ।ସେପଟେ ଲଗାଣ ବର୍ଷା ଯୋଗୁଁ ନଦୀନାଳରେ ଜଳସ୍ତର ବଢ଼ିବା ସହ ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ଅଧିକ ପାଣି ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ୍ର ଆଉ ୩ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।ଫଳରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କାକୁ ନେଇ ଚିନ୍ତା ବଢ଼ିଛି । ପ୍ରଶାସନ ପକ୍ଷରୁ ନଦୀକୂଳିଆ ଓ ତଳିଆ ଅଞ୍ଚଳ ଉପରେ ନଜର ରଖାଯାଉଛି । ଲୋକଙ୍କୁ ସତର୍କ ରହିବା ସହ ନଦୀ ଓ ଜଳାଶୟ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଆଗାମୀ ଦିନରେ ବର୍ଷାର ପରିମାଣ ଓ ହୀରାକୁଦରୁ ଜଳ ନିଷ୍କାସନ ଉପରେ ସମସ୍ତଙ୍କ ନଜର ରହିଛି ।










