ସମ୍ବଲପୁର: ସମ୍ବଲପୁରରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଶନିବାର ହୋଇଛି । ସମ୍ବଲପୁର ଜିଲ୍ଲା ଝାଙ୍କରପାଲି ଗ୍ରାମ ପଞ୍ଚାୟତର ରସିଆପାଲି ଗ୍ରାମର ୪୪ ବର୍ଷୀୟ ଯୁବକ ବିଶ୍ୱଜିତ ସାହୁ ଆଜି ସକାଳ ପ୍ରାୟ ୯ଟା ସମୟରେ କାମକୁ ଯାଇଥିଲେ । ତେବେ ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଏଣୁ ଖବର ପାଇ ପରିବାର ଲୋକେ ତାଙ୍କୁ ତୁରନ୍ତ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ଆଣିଥିଲେ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅପରପକ୍ଷେ ପରିବାର ଲୋକେ ଏହା ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ କରିଛନ୍ତି । ସେହିପରି ଗ୍ରାମବାସୀମାନେ ମଧ୍ୟ ଏହା ନିଶ୍ଚିତ ଭାବେ ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଛି ବୋଲି କହିଛନ୍ତି । ଏଣୁ ସରକାର ତାଙ୍କୁ ଉଚିତ କ୍ଷତି ପୂରଣ ଦିଅନ୍ତୁ ବୋଲି ଗ୍ରାମବାସୀ କହିଛନ୍ତି । ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର କହିଛନ୍ତି ଯେ,ଏ ସମ୍ପର୍କରେ ଆମେ ଖବର ପାଇଛୁ । ବ୍ୟବଚ୍ଛେଦ ହେଲା ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ । ସେହିପରି ଜନତାଙ୍କୁ ଅତି ଆବଶ୍ୟକ ନହେଲେ ଖରାରେ ନ ବାହାରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ବିଗତ କିଛି ଦିନ ହେବ ସମ୍ବଲପୁର ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି ।










