37.1 C
Bhubaneswar
Sunday, April 28, 2024
Homeଅପରାଧଖେଳ ଖତମ, ବନ୍ଧାହେଲେ ବାପ-ପୁଅ

ଖେଳ ଖତମ, ବନ୍ଧାହେଲେ ବାପ-ପୁଅ

ଖୋର୍ଦ୍ଧା : ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଯୋଡିହେବା ପରେ ଆଜି ତାଙ୍କୁ ଭୁବନେଶ୍ୱର ସହୀଦନଗର ସ୍ଥିତ ବାସଭବନରୁ ଖୋର୍ଦ୍ଧା ପୋଲିସ ଉଠାଇ ଆଣିଛି । ବେଗୁନିଆଥାନା ଅଭିମାନପୁର ଡିଙ୍ଗର ଗ୍ରାମର ସତ୍ୟବ୍ରତ ନାୟକଙ୍କ ଅମାନୁଷିକ ହତ୍ୟା ଘଟଣାରେ ମାନସଙ୍କୁ ଗିରଫ କରାଯାଇଥିବାର ଆଜି ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି । ଏଥିସହିତ ଭାଇରାଲ ହୋଇଥିବା ବାପ – ପୁଅଙ୍କୁ ମାଡ ଘଟଣାରେ ସମ୍ପୃକ୍ତଥିବା ମାନସଙ୍କ ପୁଅ ମନୋରଞ୍ଜନଙ୍କୁ ମଧ୍ୟ ପୋଲିସ ଗିରଫ କରିଯାଇଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଅଗଷ୍ଟ ୨ତାରିଖ ଅଭିମାନପୁର ଗ୍ରାମର ସତ୍ୟବାନ ନାୟକଙ୍କୁ ମାନବବାଦ ସଙ୍ଗଠନର କେତେଜଣ କର୍ମକର୍ତା ତାଙ୍କୁ ବୈଠକ ଅଛି କହି ତାଙ୍କୁ ଘରୁ ଉଠାଇ ଆଣିଥିଲେ । କରଡଗାଡିଆରେ ଏକ ବନ୍ଦ କୋଠରୀରେ ରାତିସାରା ମାଡ ମାରିଥିଲେ । ସେହି ଏକା ପ୍ରଶ୍ନ କାହିଁକି ତମେ ସଙ୍ଗଠନ ପାଇଁ କାମ କରୁନ । ପରେ ତାଙ୍କୁ ପିଟି ହତ୍ୟା ପରେ ନିକଟ ଜଙ୍ଗଲରେ ଶବକୁ ଜୁଇରେ ଶୋଇ ତାଙ୍କ ପୁତୁରା ବସନ୍ତଙ୍କୁ ଡାକି ତାଙ୍କ ଦ୍ୱାରା ଜୋରଜବଦସ୍ତ ଶବଦାହ କରାଇଥିଲେ । ସତ୍ୟବାନଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଗୁରୁଜୀଙ୍କ ଆଦେଶ ରହିଛି, ଏଠାରେ ଶବ ସତ୍କାର କରି ଏଠାରୁ ଚାଲିଯାଅ ବୋଲି କର୍ମକର୍ତା ମାନେ ବସନ୍ତଙ୍କୁ ଧମକ ଚମକ ଦେଇଥିବା ବସନ୍ତ ଏ ସମ୍ପର୍କରେ ଥାନାରେ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ ।ଏହି ହତ୍ୟାକାଣ୍ଡରେ ପୁଲିସ ବେଗୁନିଆ ଥାନା ଅନ୍ତର୍ଗତ ଅଭିମାନପୁର ଡିଙ୍ଗରର ସ୍ୱପ୍ନେଶ୍ୱର ନାୟକ, ସଦରଥାନା ଅନ୍ତର୍ଗତ କରଡଗାଡିଆ ଟୁଲୁ ବେହେରା, ଖୋର୍ଦ୍ଧା ଆଦର୍ଶଥାନା ହଳଦୀପଦାର ବିଜୟ ନାୟକ, ନିମାପଡା ଥାନା ତାଳତମାଳର ଶ୍ୟାମଘନ ନାୟକ, ପିପିଲି ଯୁନୁପଦିଆର ବୈକୁଣ୍ଠ ନାୟକ ଏବଂ ତାଳଚେର ସଦରଥାନା ଅନ୍ତର୍ଗତ ବାଲିଯୋଡି ଗ୍ରାମର ଯୋଗେଶ୍ୱର ନାୟକ ପ୍ରମୁଖ ୬ଜଣଙ୍କୁ କେସ ନଂ ୧୪୯/୨୧ ରେ ଗିରିଫ କରିଥିଲା । ଆଜି ଏହି ଘଟଣାରେ ସମ୍ପୃକ୍ତଥିବା ମାନବବାଦର ମୁଖ୍ୟ କୁହାଯାଉଥିବା ମାନସ ଦାସଙ୍କୁ ପୋଲିସ ଗିରଫ କରିଛି । ସେହିପରି ବାପ ପୁଅଙ୍କୁ ନିର୍ମମଭାବେ ମାଡମରାଯିବା ଘଟଣା ରେ ତାଙ୍କ ପୁଅ ମନୋରଞ୍ଜନକୁ ଗିରଫ କରାଯାଇଛି । ମାଗୁଣୀ ଗତ ୨୭ ତାରିଖରେ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଥିସହିତ ଝିଙ୍କିଝାରୀ ଗ୍ରାମର ଶୁଭାଶିଶ ବେହେରାଙ୍କୁ ସଂଗଠନର କାମ ନକରିବା ଯୋଗୁ ମାରଧର ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ଗିରଫ କରାଯାଇଛି । ତାଙ୍କ ବିରୋଧରେ ସଦରଥାନାରେ ୧୨୭/୨୧ରେ ଏକ କେଶ ହୋଇଥିବାବେଳେ ତାଙ୍କ ଦୁଇଟିଯାକ ମାମଲାରେ ଗିରଫ କରାଯାଇଛି ବୋଲି ଭୋଳ କହିଛନ୍ତି । ମାଗୁଣି ଅଭିଯୋଗ ଉପରେ ପୁଲିସ ପୂର୍ବରୁ ଗିରଫ ହୋଇଥିବା ୬ଜଣଙ୍କ ମଧ୍ୟରୁ ୩ଜଣ ଯଥା ବେଗୁନିଆ ଥାନା ଅନ୍ତର୍ଗତ ଅଭିମାନପୁର ଡିଙ୍ଗରର ସ୍ୱପ୍ନେଶ୍ୱର ନାୟକ, ସଦରଥାନା ଅନ୍ତର୍ଗତ କରଡଗାଡିଆ ଟୁଲୁ ବେହେରା, ପିପିଲି ଯୁନୁପଦିଆର ବୈକୁଣ୍ଠ ନାୟକଙ୍କୁ କୋର୍ଟରୁ ରିମାଣ୍ଡରେ ଆଣି ତଦନ୍ତ ଚଳାଇଛି । ଆଜି ଗିରଫ ହୋଇଥିବା ଗୁରୁଜୀ ମାନସ ଓ ମନୋରଞ୍ଜନଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ସେମାନଙ୍କୁ ୫ଦିନ ରିମାଣ୍ଡରେ ଆଣିବା ଲାଗି ପୁଲିସ ଆବେଦନ କରିବ ବୋଲି ଆଇଜି ଶ୍ରୀ ଭୋଳ ସୂଚନା ଦେଇଛନ୍ତି । ମାନସଙ୍କ ବିରୋଧରେ ଯାହାର କିଛି ଅଭିଯୋଗ ଥିବ ସେମାନେ ନିଦ୍ୱନ୍ଦରେ ନିକଟସ୍ଥ ଥାନାରେ ଅଭିଯୋଗ କରିବୋ ପୋଲିସ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଇଜି ଶ୍ରୀ ଭୋଳ ସୂଚନା ଦେଇଛନ୍ତି । ସେହିପରି ଗୁରୁଜୀ ଏବଂ ତାଙ୍କ ପୁଅଙ୍କୁ ପୁଲିସ ଗିରଫ କରିବା ପରେ ସମର୍ଥକମାନେ ଆଜି ସନ୍ଧ୍ୟାରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି । ପୁଲିସ ଗେଟ ସମ୍ମୁଖରେ ଛାଉଣୀ ହୋଇ ରହିଥିବାବେଳେ ଲୋକମାନେ ସେମାନଙ୍କ ଗୁରୁଜୀଙ୍କୁ ଫେରାଇଦେବାଲାଗି ଜିଦରେ ଅଟଳ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking