34.1 C
Bhubaneswar
Friday, March 29, 2024
Homeଓଡିଶାଗୁଣିଗାରେଡ଼ି ସନ୍ଦେହରେ ଗାଁ’ରୁ ବାସନ୍ଦ ପରିବାର

ଗୁଣିଗାରେଡ଼ି ସନ୍ଦେହରେ ଗାଁ’ରୁ ବାସନ୍ଦ ପରିବାର

ରାୟଗଡା : ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜିଞ୍ଜିଲିବାଡି ଗ୍ରାମରେ ଗୁଣିଆ ସନ୍ଦେହରେ ମୂର୍ତ୍ତୀ ହିମିରିକାଙ୍କ ପରିବାରକୁ ନିସ୍ତୁକ ମାଡ଼ ମାରି ନିର୍ଯାତନା ଦେବା ପରେ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏମିତିକି ଗ୍ରାମବାସୀଙ୍କ ମାଡ଼ ଭୟରେ ମୂର୍ତ୍ତୀ ହିମିରିକାଙ୍କ ସାନପୁଅ ଧର୍ମେନ୍ଦ୍ର ଓ ବୋହୁ ନିର୍ମଳା ଅନ୍ୟତ୍ର ଚାଲିଯାଇଛନ୍ତି । ଏମାନଙ୍କ ଖୋଜ ଖବର ଦୀର୍ଘ ୧୦ ଦିନ ହେବ ଜଣାପଡୁନି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତ ୧୬ ତାରିଖ ଦିନ ଗ୍ରାମର ସାଙ୍ଗନା ହିମିରିକାଙ୍କ ପୁଅ କାମିଆ ହିମିରିକା(୩୫) କୌଣସି ଏକ ରୋଗରେ ମୃତ୍ୟୁବରଣ କରିଥିଲେ । ତେବେ ଉକ୍ତ ଦିନ ହିଁ ମୃତକଙ୍କ ଶବଶତ୍କାର କରାଯାଇଥିବା ବେଳେ ମୃତ କାମିଆଙ୍କ ପରିବାରର ଭେଙ୍କେଟୀ,ମୁଦୁ ଓ ଲାଲା ହିମିରିକା ମୂର୍ତ୍ତୀ ହିମିରିକାଙ୍କ ଘରକୁ ଆସି ଗୁଣି କରି ଆମ ପୁଅକୁ ମାରିଦେଇଛୁ କହି ପରିବାର ଲୋକଙ୍କୁ ସଂଘବଧ ଭାବେ ଆକ୍ରମଣ କରିଥିଲେ । ତେବେ ଏସବୁ ସମସ୍ୟାକୁ ନେଇ ଗାଁର ମୁଖିଆମାନଙ୍କୁ ନେଇ ଗ୍ରାମସଭା ବସିଥିଲେ ହେଁ ସମସ୍ତେ ମୂର୍ତ୍ତୀଙ୍କ ପରିବାରକୁ ଗୁଣିଆର ଆଖ୍ୟା ଦେଇଥିଲେ । ପରବର୍ତ୍ତୀ ସମୟରେ ଗାଁ ଲୋକେ ମୂର୍ତ୍ତୀ ହିମିରିକାଙ୍କ ପରିବାର ସହ କଥାବାର୍ତ୍ତା ବନ୍ଦ କରିଦେବା ସହ ନିଆଁପାଣି ବାସନ୍ଦ କରିଦେଇଥିଲେ । ତେବେ ଏସବୁ ସମସ୍ୟା ନେଇ ପରିବାର ଲୋକେ ଅଗଷ୍ଟ ୧୬ ତାରିଖ ଦିନ ଚାନ୍ଦିଲି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ ହେଁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ତେବେ ଚାନ୍ଦିଲି ପୁଲିସ ନିଷ୍କ୍ରିୟତାକୁ ଦେଖି ମୃତ କାମିଆଙ୍କ ପରିବାର ଲୋକେ ପୁଣିଥରେ ୨୬ ତାରିଖ ରାତି ପ୍ରାୟ ୮ଟା ବେଳକୁ ମୂର୍ତ୍ତୀ ହିମିରିକାଙ୍କ ଘରେ ପସି ମୂର୍ତ୍ତୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ସାହିମୁଣ୍ଡରେ ଥିବା ଏକ ନଳକୂପରେ ହାତକୁ ବାନ୍ଧି ଅମାନୁସିକ ଭାବେ ଅତ୍ୟାଚାର ଦେବା ସହ କିରାସିନି ଢାଳି ପରିବାର ଲୋକଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ପରେ ଜୀବନ ବିକଳରେ ପରିବାର ୮ ଜଣ ସଦସ୍ୟ ଜଙ୍ଗଲ ମୁହାଁ ହେବା ପରେ ନିଜ ସଂପର୍କିୟ ଲୋକଙ୍କ ଗ୍ରାମକୁ ଚାଲିଯାଇଥିଲେ । ତେବେ ଜିଞ୍ଜିଲିବାଡି ଗ୍ରାମରେ ନିଜ ପୈତୃକ ସମ୍ପତ୍ତି ସହ ଅନ୍ୟାନ୍ୟ ଅତ୍ୟାବଶକ ସାମଗ୍ରୀ ରହିଥିବା ବେଳେ ଲୋକେ ଗାଁରେ ପସିବାକୁ ଦେଉନାହାନ୍ତି ବୋଲି ମୂର୍ତ୍ତୀ ଅଭିଯୋଗ କରିଛନ୍ତି । ଏନେଇ ଆଜି ନିର୍ଯାତିତ ମୂର୍ତ୍ତୀ ହିମିରିକାଙ୍କ ପରିବାର ଲୋକେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଜରିଆରେ ନ୍ୟାୟ ପ୍ରଦାନ ପାଇଁ ରାୟଗଡା ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ସେମାନଙ୍କୁ ବଞ୍ଚିବାର ଅଧିକାର ନଦେଲେ ଆଗାମୀ ଦିନରେ ଆମେ ନିରୁପାୟ ହୋଇ ସମୂହ ଆତ୍ମହୁତି ଦେବୁ ବୋଲି ମୂର୍ତ୍ତୀ ହିମିରିକାଙ୍କ ପରିବାର ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ଚାନ୍ଦିଲି ପୁଲିସ ଗୁରୁତର ଭାବେ ଗ୍ରହଣ ନକରିବା ଜଣେ ଭାରତୀୟର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking