35.1 C
Bhubaneswar
Saturday, May 4, 2024
Homeଅପରାଧନକଲି ମାର୍କେଟିଂ ମ୍ୟାନେଜର ଗିରଫ: ବିଏମ୍‌ସିରେ ଦୋକାନ ଦେବା ନାଁରେ ୧.୪୮ଲକ୍ଷ ଠକେଇ

ନକଲି ମାର୍କେଟିଂ ମ୍ୟାନେଜର ଗିରଫ: ବିଏମ୍‌ସିରେ ଦୋକାନ ଦେବା ନାଁରେ ୧.୪୮ଲକ୍ଷ ଠକେଇ

ଭୁବନେଶ୍ୱର: ବିଏମ୍‌ସି ସ୍ୱୀକୃତିପ୍ରାପ୍ତ ଦୋକାନ ଯୋଗାଇଦେବା ନାଁରେ ୧ଲକ୍ଷ ୪୮ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ଅଭ୍ୟାସଗତ ଠକକୁ ସହିଦନଗର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ସହିଦନଗର ଥାନା ଅଞ୍ଚଳର ବିକାଶ ସ୍ୱାଇଁ (୩୬) । ଗିରଫ ପରେ ଅଭିଯୁକ୍ତ ବିକାଶଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ବିକାଶ ପୂର୍ବରୁ ମଧ୍ୟ ବିଭିନ୍ନ ସଂସ୍ଥାର ନାଁ ନେଇ ଏକାଧିକ ଠକେଇ କରି ଜେଲ ଯାଇଥିଲା । ତା’ ନାଁରେ ବିଭିନ୍ନ ଥାନାରେ ୪ଟି ମାମଲା ରହିଥିବା ଡିସିପି ପ୍ରତୀକ ଗୀତା ସିଂ କହିଛନ୍ତି । ସେପଟେ ବିକାଶ ଗଣମାଧ୍ୟମ ଆଗରେ ନିଜ ଭୁଲ୍ ସ୍ୱୀକାର କରିଛି । ଏପରି ଠକେଇ ଆଉ କରିବେନି ବୋଲି ହାତଯୋଡ଼ି କ୍ଷମାପ୍ରାର୍ଥନା କରିଛନ୍ତି ।

ସୂଚନା ଅନୁଯାୟୀ, ସ୍ଥାନୀୟ ଥାନା ଅଞ୍ଚଳର ପ୍ରତୀମା ସାହୁଙ୍କ ବିଏମ୍‌ସି ଭବାନୀ ମଲ୍ ନିକଟରେ ଏକ ଅସ୍ଥାୟୀ ଭେରାଇଟି ଦୋକାନ ରହିଛି । ବିଏମ୍‌ସି ପକ୍ଷରୁ ଅନେକ ଥର ତାଙ୍କ ଦୋକାନ ଉଚ୍ଛେଦ କରାଯାଇଥିଲା । ତେଣୁ ସେ ଏକ ସ୍ଥାୟୀ ଦୋକାନ କରିବାକୁ ଚିନ୍ତା କରୁଥିଲେ । ଗତ ଜାନୁୟାରୀରେ ବିକାଶ ତାଙ୍କ ନିକଟକୁ ଆସି ବିଏମ୍‌ସିର ମାର୍କେଟିଂ ସେକ୍ସନ୍‌ରେ ମ୍ୟାନେଜର ଥିବା ପରିଚୟ ଦେଇଥିଲା । ଏପରିକି ମୁଁ କମିଶନରଙ୍କ ଡାହଣ ହାତ, ମୋ ହାତରେ ସବୁ ଅଛି ବୋଲି କହି ବିଏମ୍‌ସି ସ୍ୱୀକୃତିପ୍ରାପ୍ତ ସପ୍ (ଦୋକାନ) କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲା । ପ୍ରତିମାଙ୍କଠୁ ସେ ବିଭିନ୍ନ ପର୍ଯ୍ୟାୟରେ ୧ଲକ୍ଷ ୪୮ହଜାର ଟଙ୍କା ନେଇଥିଲା । ଏହି ଟଙ୍କା ବାବଦକୁ ଜାଲି ମନି ରସିଦ୍ ମଧ୍ୟ ଦେଇଥିଲା । ହେଲେ ଦୋକାନ ହସ୍ତାନ୍ତର କଥା କହିବାରୁ ବିକାଶ ଆଉ ଧରାଛୁଆଁ ଦେଇନଥିଲା । ତେଣୁ ପ୍ରତୀମା ତା’ ଉପରେ ସନ୍ଦେହ କରିଥିଲେ । ପରେ ବିଏମ୍‌ସି ଅଫିସରେ ବୁଝିବାରୁ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ଟଙ୍କା ଫେରାଇଦେବାକୁ ବିକାଶକୁ କହିଥିଲେ । ଏନେଇ ବିକାଶ ତାଙ୍କୁ ମାରିବାକୁ ଧମକ ଦେଇଥିଲା । ଏନେଇ ପ୍ରତୀମା ବୁଧବାର ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking