30.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଏକ୍‌ଜିଟ୍ ପୋଲ୍‌; ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି

ଏକ୍‌ଜିଟ୍ ପୋଲ୍‌; ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି

କଂଗ୍ରେସ ଝୁଲାକୁ ଯିବ ଛତିଶଗଡ ଓ ତେଲେଙ୍ଗାନା
ମିଜୋରାମରେ ଏମଏନ୍‌ଏଫ୍‌-ଜେଡ୍‌ପିଏମ୍ ଟକ୍କର

ନୂଆଦିଲ୍ଲୀ: ଗୁରୁବାର ତେଲେଙ୍ଗାନା ବିଧାନସଭା ପାଇଁ ଭୋଟଗ୍ରହଣ ଶେଷ ହୋଇଥିବାବେଳେ ମୋଟ ୫ ରାଜ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଛି । ଡିସେମ୍ବର ୩ରେ ଭୋଟଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ ଓ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍ ପୋଲ୍ (ବୁଥ୍ ଫେରନ୍ତା ମତାମତ) ସର୍ଭେ କରାଯାଇଛି । ତଦନୁଯାୟୀ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତା ଅକ୍ତିଆର କରିବାକୁ ଯାଉଥିବାବେଳେ ଛତିଶଗଡରେ କଂଗ୍ରେସ ପତିଆରା ବଜାୟ ରଖିବ ବୋଲି ଆଶା କରାଯାଉଛି । ତେବେ ସବୁଠାରୁ ବଡ ବିପର୍ଯ୍ୟୟ ତେଲେଙ୍ଗାନାରେ ସୃଷ୍ଟି ହେବାକୁ ଯାଉଛି । ଦୁଇ ଦୁଇଥର କ୍ଷମତା ଉପଭୋଗ କରିଆସୁଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)କୁ ଏଥର ନିରାଶ ହେବାକୁ ପଡିପାରେ । ଏଠାରେ କଂଗ୍ରେସକୁ ଅଧିକ ଆସନ ମିଳିବାର ସମ୍ଭାବନା ରହିଛି । ମିଜୋରାମରେ କ୍ଷମତାସୀନ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନ୍‌ଏଫ୍‌) ଓ ଜେଡ୍‌ପିଏମ (ଜୋରାମ୍‌ସ ପିପୁଲ୍‌ସ ମୁଭ୍‌ମେଣ୍ଟ) ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ ।

ଏନ୍‌ଡିଟିଭି ପକ୍ଷରୁ ବିଭିନ୍ନ ସଂସ୍ଥାର ଏକ୍‌ଜିଟ୍ ପୋଲ୍‌କୁ ବିଶ୍ଲେଷଣ କରାଯାଇଛି । ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତା ବଜାୟ ରଖୁଥିବାବେଳେ କଂଗ୍ରେସକୁ ନିରାଶ ହେବାକୁ ପଡିପାରେ । ମଧ୍ୟପ୍ରଦେଶର ମୋଟ ୨୩୦ ଆସନ ମଧ୍ୟରୁ ସଂଖ୍ୟାଗରିଷ୍ଠତା ପାଇଁ ୧୧୬ ଆସନରେ ବିଜୟୀ ହେବା ଜରୁରୀ । କେବଳ ଏବିପି ନ୍ୟୁଜ୍‌-ସି ଭୋଟର ଓ ଦୈନିକ ଭାସ୍କର କଂଗ୍ରେସ ସପକ୍ଷରେ ଅଧିକ ଆସନ ଦର୍ଶାଇଥିବାବେଳେ ଇଣ୍ଡିଆ ଟୁଡେ, ଇଣ୍ଡିଆ ଟିଭି ସିଏନ୍‌ଏକ୍ସ, ଜନ୍ କୀ ବାତ୍‌, ଚାଣକ୍ୟ ଓ ରିପବ୍ଲିକ୍ ଟିଭି ବିଜେପିକୁ ଆଗୁଆ ଦର୍ଶାଇଛନ୍ତି । ସି-ଭୋଟର ବିଜେପି ସପକ୍ଷରେ ୮୮-୧୧୨ ଓ ଦୈନିକ ଭାସ୍କର ୯୫-୧୧୫ ଆସନ ଦର୍ଶାଇଥିବାବେଳେ କଂଗ୍ରେସ ୧୧୩-୧୩୭ ଓ ୧୦୫-୧୨୦ ଆସନରେ ବିଜୟୀ ହେବ ବୋଲି କୁହାଯାଇଛି । ତେବେ ଇଣ୍ଡିଆ ଟୁଡେ ବିଜେପି ସପକ୍ଷରେ ୧୪୦-୧୬୨, କଂଗ୍ରେସ ସପକ୍ଷରେ ୬୮-୯୦, ଇଣ୍ଡିଆ ଟିଭି ସିଏନ୍‌ଏକ୍ସ ବିଜେପି ସପକ୍ଷରେ ୧୪୦-୧୫୯, କଂଗ୍ରେସକୁ ୭୦-୮୯, ଚାଣକ୍ୟ ବିଜେପିକୁ ୧୩୯-୧୬୩, କଂଗ୍ରେସକୁ ୬୨-୮୬ ଏବଂ ରିପବ୍ଲିକ ଟିଭି ବିଜେପିକୁ ୧୧୮-୧୩୦ ଏବଂ କଂଗ୍ରେସକୁ ୯୭-୧୦୭ ଆସନ ମିଳିବ ବୋଲି କହିଛନ୍ତି ।

ତେବେ ଜନ୍ କୀ ବାତ୍ ପକ୍ଷରୁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଇଛି । ବିଜେପି ୧୦୦-୧୨୩ ଓ କଂଗ୍ରେସ ୧୦୨-୧୨୫ ଆସନ ହାତେଇବ ବୋଲି କୁହାଯାଇଛି । ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସକୁ ଗାଦିଚ୍ୟୁତ କରି ବିଜେପି ସରକାର ଗଠନ କରିପାରେ । ସି-ଭୋଟର ବିଜେପିକୁ ୯୪-୧୧୪ ଏବଂ କଂଗ୍ରେସକୁ ୭୧-୯୧ ଆସନ ଦେଇଥିବାବେଳେ ଜନ୍ କୀ ବାତ୍ ବିଜେପିକୁ ୧୦୦-୧୨୨, କଂଗ୍ରେସକୁ ୬୨-୮୫, ଚାଣକ୍ୟ ବିଜେପିକୁ ୭୭-୧୦୧, କଂଗ୍ରେସକୁ ୮୯-୧୧୩ ଏବଂ ରିପବ୍ଲିକ୍ ଟିଭି ବିଜେପିକୁ ୧୧୫-୧୩୦ ଏବଂ କଂଗ୍ରେସକୁ ୬୫-୭୫ ଆସନରେ ସୀମିତ ରଖିଛି । ମିଜୋରାମରେ କ୍ଷମତାସୀନ ଏମଏନ୍‌ଏଫ୍‌କୁ ନିରାଶ ହେବାକୁ ପଡିବ ।

୪୦ ମଧ୍ୟରୁ ସଂଖ୍ୟାଗରିଷ୍ଠତା ପାଇଁ ୨୧ଟି ଆସନ ହାତେଇବାକୁ ପଡିବ । ଅପରପକ୍ଷରେ ଜେଡ୍‌ପିଏମ୍ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଇଣ୍ଡିଆ ଟୁଡେ, ଜନ୍ କୀ ବାତ୍ ଇତ୍ୟାଦି ଆକଳନ କରିଛନ୍ତି । ଆଉ କେତେକ ଚ୍ୟାନେଲ ଏମଏନ୍‌ଏଫ୍‌କୁ ଅଗ୍ରାଧିକାର ଦେଇଛନ୍ତି । ଫଳରେ ଏଠାରେ ଏମଏନ୍‌ଏଫ୍ ଓ ଜେଡ୍‌ପିଏମ ମଧ୍ୟରେ ଟକ୍କର ଦେଖିବାକୁ ମିଳିପାରେ । ତେଲେଙ୍ଗାନାରେ ସବୁ ଚ୍ୟାନେଲ କଂଗ୍ରେସ ସପକ୍ଷରେ ମତ ଦେଇଥିବାବେଳେ ବିଆର୍‌ଏସ୍‌କୁ କ୍ଷମତାଚ୍ୟୁତ ହେବାକୁ ପଡିପାରେ । ତେବେ ଛତିଶଗଡରେ କଂଗ୍ରେସ ପୁଣି କ୍ଷମତା ବଜାୟ ରଖିବ ବୋଲି କୁହାଯାଇଛି । ଅଧିକାଂଶ ସଂସ୍ଥା କଂଗ୍ରେସ ଅଧିକ ଆସନ ହାତେଇବ ବୋଲି ଆକଳନ କରିଛନ୍ତି । ମୋଟ ୯୦ ମଧ୍ୟରୁ ସଂଖ୍ୟାଗରିଷ୍ଠତା ପାଇଁ ଗୋଟିଏ ଦଳକୁ ଅତିକମରେ ୪୬ ଆସନ ଅକ୍ତିଆର କରିବାକୁ ପଡିବ । ବିଜେପି କଡା ଟକ୍କର ଦେଉଥିବାବେଳେ କଂଗ୍ରେସ କିନ୍ତୁ ଏଠାରେ ଆଗୁଆ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking