31.1 C
Bhubaneswar
Wednesday, May 8, 2024
Homeଓଡିଶାଟିକା ନେଲା ରେ ବି ୨୦%ଙ୍କ ଆଣ୍ଟିବଡି ନାହିଁ : ବୁଷ୍ଟର ଡୋଜ୍‌ର ଆବଶ୍ୟକତା ରହିଛି

ଟିକା ନେଲା ରେ ବି ୨୦%ଙ୍କ ଆଣ୍ଟିବଡି ନାହିଁ : ବୁଷ୍ଟର ଡୋଜ୍‌ର ଆବଶ୍ୟକତା ରହିଛି

ଭୁବନେଶ୍ୱର:  ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରକୁ ଆସୁଥିଲେ ହେଁ ପାର୍ବଣ ଋତୁ ଏବେ ଚିନ୍ତା ବଢ଼ାଇଛି । ପୁଣି ଟିକା ନେଲା ପରେ ବି ସଂକ୍ରମଣ ବଢ଼ିବାରେ ଲାଗିଛି । ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଜନସାଧାଣଙ୍କ ଭିତରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି । ଏହାବ୍ୟତୀତ ରାଜ୍ୟରେ ଶିଶୁ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି । ରାଜ୍ୟର କରୋନା ସ୍ଥିତି ନେଇ ମତ ରଖିଛନ୍ତି କରୋନା ବିଶେଷଜ୍ଞ । ଏନେଇ ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା କହିଛନ୍ତି ଯେ ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର ୬୦୦ ନମୁନା ଜେନମ୍ ସିକ୍ୱେନ୍ସିଂ କରାଯାଇଥିଲା । ସେଥିରୁ ୪୨୫ ଡେଲ୍ଟା ଭାରିଏଣ୍ଟ ବାହାରିଥିଲା । ବାକି ସବୁ ନମୁନା ଅନ୍ୟ ଭାରିଏଣ୍ଟ ରହିଛି । କୌଣସି ନୂଆ ମ୍ୟୁଟେସନ୍ ଚିହ୍ନଟ ହୋଇନି । ଟିକା ନେଲା ପରେ ବି ୨୦%ଙ୍କ ପାଖରେ ଆଣ୍ଟିବଡି ସୃଷ୍ଟି ହେଉନି । ଅଧିକ ନମୁନା ଜେନମ୍ ସିକ୍ୱେନ୍ସିଂରେ ଓଡ଼ିଶା ଦେଶରେ ୪ ନମ୍ବର ସ୍ଥାନରେ ରହିଛି ।

ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬ ହଜାର ସାମ୍ପଲ ଜେନମ୍ ସିକ୍ୱେନ୍ସିଂ ହୋଇଛି । ସେହିପରି ଡବଲ ଡୋଜ୍ ପରେ ବୁଷ୍ଟର ନା ତୃତୀୟ ଡୋଜ୍ ଦେବା ନେଇ ଅନୁଧ୍ୟାନ ଚାଲିଛି । ତେବେ ସମାନ କମ୍ପାନୀର କିମ୍ବା ଅନ୍ୟ କମ୍ପାନୀର ଡୋଜ୍ ଦିଆଯିବ, ଏହାକୁ ନେଇ ବିଶ୍ଳେଷଣ କରାଯାଉଛି । ଖୁବଶୀଘ୍ର ଭାରତ ସରକାର ଏ ସମ୍ପର୍କରେ ଘୋଷଣା କରିବେ । ସେ ପୁଣି କହିଛନ୍ତି ଯେ ପାର୍ବଣରେ ଲୋକଙ୍କ ସମାଗମ ଯୋଗୁଁ ପୁଣିଥରେ ସଂକ୍ରମଣ ବଢ଼ିପାରେ । କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ । ନୂଆଁଖାଇଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ । ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି । ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି। ତା ଅର୍ଥ ନୁହେଁ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛେ । ପାର୍ବଣ ପାଇଁ ସତର୍କ ରହିବାକୁ ପଡ଼ିବ ।

ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ କେରଳ ଏବଂ ଉତ୍ତର ପୂର୍ବ ରାଜ୍ୟରୁ ୮୦% କେସ ଆସୁଛି । ମହାରାଷ୍ଟ୍ରରେ ଟିକେ ବଢ଼ିଛି । ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି । ଟିକାର ପ୍ରଭାବ ୭୦ରୁ ୮୦% ରହୁଛି । ୧୮ ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ । ରାଜଧାନୀ ଭୁବନେଶ୍ୱରରେ ଅଧିକ ଗହଳି ରହୁଛି । ଅଧିକ ଲୋକଙ୍କ ଯାତାୟାତ ହେଉଛି । ଯେଉଁଥିପାଇଁ ପଜିଟିଭ ସାମାନ୍ୟ ଅଧିକ ରହୁଛି । ଭୁବନେଶ୍ୱରରେ ଆଉ ୧୦ରୁ ୧୫ ଦିନରେ ସଂକ୍ରମଣ କମିଯିବ ବୋଲି ସେ କହିଛନ୍ତି । ସେପଟେ ରାଜ୍ୟରେ ଆମକୁ ଆଉ ତିନି ଚାରି ମାସ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଆସନ୍ତା ଏପ୍ରିଲ ମାସ ସୁଦ୍ଧା କରୋନା କମିଯାଇଥିବ । ତୃତୀୟ ଲହର ଆସିଲେ ବି ବଡ଼ ଧରଣର ପ୍ରଭାବ ରହିବନି । ଆଇଆଇଟି କାନପୁରର ସଦ୍ୟତମ ଅଧ୍ୟୟନ କହୁଛି, ଭାଇରସର ମ୍ୟୁଟେସନ୍ ନହେଲେ ତୃତୀୟ ଲହର ଆସିବ ନାହିଁ । ବୁଷ୍ଟର ଡୋଜ୍‌ର ଆବଶ୍ୟକତା ରହିଛି । ଟିକା ନେବା ପରେ ଯେଉଁମାନଙ୍କ ଇମ୍ୟୁନିଟି ବଢୁନାହିଁ, ସେମାନଙ୍କ ପାଇଁ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking