ଭୁବନେଶ୍ୱର: ବିଦ୍ୟୁତ ଟାୱାର ଉପରେ ଚଢିଗଲେ ଯୁବକ । ପିପିଲି ପରେ ଭୁବନେଶ୍ୱରରୁ ସାମ୍ନାକୁ ଆସିଛି ସମାନ ଖବର । ଭୁବନେଶ୍ୱର ସତ୍ୟ ବିହାର ବିଦ୍ୟୁତ ଟାୱାର ଚଢିଗଲେ ୪ ଜଣ ଯୁବକ । ଅନ୍ୟପଟେ ଆଚାର୍ଯ୍ୟ ବିହାରରେ ମଧ୍ୟ ଏକ ବିଦ୍ୟୁତ ଟାୱାର ଉପରେ ଚଢିଯାଇଛନ୍ତି ୨ ଯୁବକ। ତେବେ ବିଦ୍ୟୁତ ଟାୱାର ଉପରେ ଚଢି ବିଦ୍ୟୁତ କର୍ମଚାରୀମାନେ ପ୍ରତିବାଦ କରୁଥିବା ଜଣାପଡିଛି । ଛଟେଇ ହୋଇଥିବା ବିଦ୍ୟୁତ କର୍ମଚାରୀମାନେ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ପ୍ରତିବାଦ କରୁଛନ୍ତି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପୋଲିସ , ଅଗ୍ନିଶମ ବାହିନୀ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ପୋଲିସ ଅନୁରୋଧ କରିବା ସତ୍ୱେ ତଳକୁ ଆସିବାକୁ ନାରାଜ କର୍ମଚାରୀମାନେ। ସେମାନଙ୍କ କହିବା କଥା ଦାବି ପୂରଣ ନ ହେଲା ଯାଏ ତଳକୁ ଓଲ୍ହାଇବୁ ନାହିଁ । ତେବେ ବିଦ୍ୟୁତ କର୍ମଚାରୀଙ୍କ ଦାବି ମଧ୍ୟରେ ରହିଛି, ଦରମା ବୃଦ୍ଧି , ସ୍ଥାୟୀ ନିଯୁକ୍ତି। କିଛି ଦିନ ତଳେ ଲୋୟର ପିଏମଜିରେ ଦୀର୍ଘ ଦିନ ଧରି ଖରା,ବର୍ଷାରେ ଦିନ ରୁ ରାତି ଯାଏ ଅନଶନ ରହି ପ୍ରତିବାଦ କରିଥିଲେ । ତଥାପି ରାଜ୍ୟ ସରକାର ସେମାନଙ୍କ କଥାକୁ ଶୁଣିନଥିଲେ ଏବଂ କୌଣସି ପ୍ରକାର ପଦକ୍ଷେପ ନିଆଯାଇନଥିଲା। କେହି ମଧ୍ୟ ପାଖକୁ ଆସି ପ୍ରସଙ୍ଗକୁ ନେଇ ଆଲୋଚନା କରିନଥିଲେ । ସେନେଇ ଆଜି ୩୩ କେଭି, ୧୩୨ କେଭିର ବଡ ବଡ ଟାୱାର ଉପରେ ଚଢି ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନକୁ ବାଜି ଲଗାଇ ବିପଜ୍ଜନକ ଭାବେ ପ୍ରତିବାଦ କରିଛନ୍ତି କର୍ମଚାରୀମାନେ । ତେବେ ବଡ କଥା ହେଉଛି, ବିଦ୍ୟୁତ କର୍ମଚାରୀଙ୍କ ଏଭଳି ପ୍ରତିବାଦକୁ ନେଇ ନିରବଦ୍ରଷ୍ଟା ସାଜିଥିବା ରାଜ୍ୟ ସରକାର କେଉଁ ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।










