ବାରିପଦା : ମୟୂରଭଞ୍ଜର ସମୃଦ୍ଧ ଲୋକକଳା , ନୃତ୍ୟ, ସଙ୍ଗୀତ ଓ ହସ୍ତଶିଳ୍ପ ପରମ୍ପରାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ନଭେମ୍ବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଐତିହାସିକ ବେଲଗାଡିଆ ପ୍ୟାଲେସରେ ମୟୂରଭଞ୍ଜ ଲିଭିଙ୍ଗ ହେରିଟେଜ୍ ଫେଷ୍ଟିଭାଲ୍ ଆୟୋଜିତ ହେବ । କଣ୍ଟାକ୍ଟ ବେସ୍ (ବାଙ୍ଗଲାନାଟକ ଡଟ୍ କମ୍ ) ପକ୍ଷରୁ ଆକ୍ସିସ ବ୍ୟାଙ୍କ ଫାଉଣ୍ଡେସନର ସହଯୋଗରେ ଏହି ତିନିଦିନିଆ ଉତ୍ସବ ଆୟୋଜନ କରାଯାଉଛି ।ତେବେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ବାଙ୍ଗଲାନାଟକ ଡଟ୍ କମ୍ ଓ କଣ୍ଟାକ୍ଟ ବେସ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାଞ୍ଚନ ରାୟ ଚୌଧୁରୀ, ମୁଖ୍ୟ ପ୍ରବନ୍ଧକ ପ୍ରବୀର ବାନାର୍ଜୀ, ଅଭିପ୍ସା ଘୋଷ, ଛଉ ନୃତ୍ୟ ଗୁରୁ ଲୋକନାଥ ଦାସ ଓ ଛଉ ଗବେଷକ ସୁଧୀର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବର ରୂପରେଖ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କଳାକାରଙ୍କ ଦକ୍ଷତା ବିକାଶ, ଡିଜାଇନ୍ ଉନ୍ନତି ଓ ବଜାର ସଂଯୋଗ ମାଧ୍ୟମରେ ପାରମ୍ପରିକ କଳାକୁ ଜୀବିକାର ମାଧ୍ୟମ ଭାବେ ସୁଦୃଢ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆଲୋକପାତ କରାଯାଇଥିବା ବେଳେ ରୁଟ୍ସ ଟୁ ପ୍ରସ୍ପେରିଟି ବିଲ୍ଡିଂ ସଷ୍ଟେନେବଲ୍ ଲାଇଭ୍ଲିହୁଡସ ଥ୍ରୁ ହେରିଟେଜ୍ କାର୍ଯ୍ୟକ୍ରମର ଅଂଶ ଭାବେ ଆୟୋଜିତ ଏହି ଉତ୍ସବ ମୟୂରଭଞ୍ଜର ୧୬୦୦ରୁ ଅଧିକ କଳାକାରଙ୍କ ସହ ସଂସ୍ଥାର ଦୀର୍ଘଦିନର କାର୍ଯ୍ୟ ଓ ସହଯୋଗକୁ ଆଧାର କରି ପ୍ରସ୍ତୁତ ହୋଇଛି ବୋଲି ସୂଚନା ଦିଆଯାଇଥିଲା ।










