ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଡକ୍ଟର ଅଭିନ ଚନ୍ଦ୍ର ହୋମିଓପାଥିନ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆୟୋଜିତ ହେଉଛି ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ-୨୦୨୬ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଭାକାର୍ଯ୍ୟ ଆରମ୍ଭରେ ଡକ୍ଟର ଏ ସି ଏଚ ଏମ. ସି. ଏଚ ଭୁବନେଶ୍ୱରର ଅଧ୍ୟକ୍ଷା ଡକ୍ଟର ପୁଷ୍ପାଞ୍ଜଳି ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଓଡିଶାର ରାଜ୍ୟପାଳ ବ୍ରଜମୋହନ ରାମଙ୍କ ଦ୍ୱାରା ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ -୨୦୨୬ର ସ୍ମରଣିକା ‘’ଏୟୁଡିଇ ଏସଏପିଇଆରଇ ‘’ ଉନ୍ମୋଚନ କରାଯାଇଥିଲା ଏବଂ ଏହାର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ରାଜ୍ୟପାଳ । ତେବେ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେଇ ସଭାକୁ ସମ୍ବୋଧିତ କରି କହିଥିଲେ ଯେ, ହୋମିଓପାଥିକ ଶିକ୍ଷା ଓ ଗବେଷଣାରେ ବୈଜ୍ଞାନିକ ଦୃଷ୍ଟିକୋଣ , ସ୍ୱଚ୍ଛତା ଏବଂ ମାନବିକ ସେବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି ।
ଏଆଇ, ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଯୁକ୍ତି, ଜେନୋମିକ୍ସ ଓ ବିଗ୍ ଡାଟା ଆନାଲିଟିକ୍ସ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଆଣୁଥିବା ବେଳେ, ମାନବିକ ସମବେଦନା ଚିକିତ୍ସାର ମୂଳଦୂଆ ହୋଇ ରହିବା ଉଚିତ ବୋଲି ସେ କହିଛନ୍ତି। ପ୍ରତ୍ୟେକ ରୋଗୀଙ୍କ ପଛରେ ଜଣେ ମଣିଷ ରହିଛି, ଯାହାର ଆଶା, ଭୟ ଓ ଆତ୍ମସମ୍ମାନ ରହିଛି—ଏହାକୁ କେବେ ବି ଭୁଲିବା ଉଚିତ ନୁହେଁ ବୋଲି ସେ ସତର୍କ କରାଇଛନ୍ତି।’ସ୍ୱାସ୍ଥ୍ୟ ହିଁ ସମ୍ପଦ’ ବୋଲି ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ଯେ, ଧନସମ୍ପତ୍ତି ଥିଲେ ମଧ୍ୟ ସ୍ୱାସ୍ଥ୍ୟ ଭଲ ନଥିଲେ ତାହାର କୌଣସି ମୂଲ୍ୟ ରହେ ନାହିଁ। ଶିକ୍ଷା ଓ ସ୍ୱାସ୍ଥ୍ୟକୁ ମନୁଷ୍ୟ ବିକାଶର ଦୁଇ ପ୍ରମୁଖ ସ୍ତମ୍ଭ ଭାବେ ଦର୍ଶାଇ ସେ ଗ୍ରାମାଞ୍ଚଳର ଲୋକଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଆହ୍ୱାନ ଜଣାଇଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଭୁବନେଶ୍ୱର ସାଂସଦ, ଜାତୀୟ ହୋମିଓପାଥି କମିଶନର ଅଧ୍ୟକ୍ଷ, କଲେଜ ଅଧ୍ୟକ୍ଷାଙ୍କ ସମେତ ବହୁ ବିଶିଷ୍ଟ ଅତିଥି, ବୈଜ୍ଞାନିକ, ଗବେଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।










