ରାଜସ୍ଥାନ: ରାଜସ୍ଥାନ ଡୁଙ୍ଗରପୁର ଜିଲ୍ଲାର ରତନପୁର ପୋଷ୍ଟକୁ ତଦନ୍ତ ଦଳ ସହିତ ଆସିଥିବା ଜଣେ କନଷ୍ଟେବଳଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ମଦ ଚୋରାଚାଲାଣ ଏବଂ ମଦ କାରବାର କରୁଥିବା ଟ୍ରକ ଡ୍ରାଇଭରକୁ ଛାଡିଦେବା ଅଭିଯୋଗରେ ବିଛିବାଡା ଥାନା ପୋଲିସ ବିରୋଧରେ ତଦନ୍ତ ଚାଲିଛି । ପୋଲିସର ସୂଚନାନୁସାରେ, ଚୋରା ଚାଲାଣ ମାମଲାର ତଦନ୍ତ ପାଇଁ ଡିଏସପିଙ୍କ ସହ କନଷ୍ଟେବଳ ବୁଧବାର ରତନପୁରରେ ପହଞ୍ଚିଥିଲେ । ଅଗଷ୍ଟ ୨୯ ରେ, ବିଛିବାଡା ପୋଲିସ ଷ୍ଟେସନ ଅଞ୍ଚଳର ରତନପୁର ଆଉଟ ପୋଷ୍ଟ (ଫାଣ୍ଡି) ପୋଲିସ ଦ୍ୱାରା ଏକ ମଦ ଭର୍ତ୍ତି ଟ୍ରକ ଧରାପଡିଥିଲା । ଏହି ମାମଲାରେ ଏସପି କିଛି ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ । ତେବେ ଏହି ମାମଲାର ତଦନ୍ତ ସାଗୱାଡା ଡିଏସପି ନରପତ ସିଂଙ୍କୁ ଦିଆଯାଇଥିଲା । ତଦନ୍ତ ପାଇଁ ୩୦ ବର୍ଷୀୟ କନଷ୍ଟେବଳ କିରିଟ୍ ଭଟ୍ଟ ମଧ୍ୟ ତାଙ୍କ ସହ ଥିଲେ । ରତନପୁର ପୋଷ୍ଟରେ ପୋଲିସ କର୍ମଚାରୀଙ୍କ ବୟାନ ରେକର୍ଡ କରିବା ପରେ ଡିଏସପି ଯିବାକୁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ହଠାତ୍ କନଷ୍ଟେବଳ କିରିଟ୍ ଭଟ୍ଟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ସେ ତଳେ ପଡି ଯାଇଥିଲେ । ସାଙ୍ଗରେ ଥିବା ଅନ୍ୟ କନେଷ୍ଟବଲ ମାନେ ତାଙ୍କୁ ଉଠାଇଥିଲେ । ଡିଏସପି ତାଙ୍କ କାରରେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ଡୁଙ୍ଗରପୁର ହସ୍ପିଟାଲର ଚିକିତ୍ସକ ଡକ୍ଟର ଅଜେଶ ଦାମୋର କନଷ୍ଟେବଳଙ୍କୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିଥିଲେ । ହେଲେ ତାଙ୍କ ଜୀବନ ରକ୍ଷା ହୋଇପାରିନଥିଲା । କନଷ୍ଟେବଳଙ୍କୁ ମୃତ ଘୋଷଣା କରିବା ମାତ୍ରେ ଡିଏସପି ନରପତ ସିଂ ବହୁ ଜୋରରେ ହସ୍ପିଟାଲ ପରିସରରେ କାନ୍ଦିଥିଲେ । ଡିଏସପି କହିଛନ୍ତି କିରିଟ ମୋର ପ୍ରିୟ ସୈନିକ ଥିଲା ।