29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶହିନ୍ଦୁ ବିବାହରେ କନ୍ୟାଦାନ ବାଧ୍ୟତାମୂଳକ ନୁହେଁ: ଆହ୍ଲାବାଦ ହାଇକୋର୍ଟ

ହିନ୍ଦୁ ବିବାହରେ କନ୍ୟାଦାନ ବାଧ୍ୟତାମୂଳକ ନୁହେଁ: ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ହିନ୍ଦୁ ରୀତିନୀତି ଅନୁସାରେ ବିବାହ ପାଇଁ କନ୍ୟାଦାନ ପରମ୍ପରା ଜରୁରୀ ନୁହେଁ । ଏଭଳି ଚକିତ କରିବା ଭଳି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ । ସୂଚନା ଅନୁଯାୟୀ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଜଷ୍ଟିସ ସୁଭାଷ ବିଦ୍ୟାର୍ଥୀଙ୍କ ଏକକ ଖଣ୍ଡପୀଠ ଏଭଳି ମତ ଦେଇଛନ୍ତି । ଆଶୁତୋଷ ଯାଦବ ନାମକ ଜଣେ ଯାଚିକାକର୍ତ୍ତାଙ୍କ ଦ୍ୱାରା ଦାୟର କରାଯାଇଥିବା ଅପରାଧିକ ପୁନର୍ବିଚାର ପିଟିସନର ଶୁଣାଣି କରି ଜଷ୍ଟିସ୍ ସୁଭାଷ ବିଦ୍ୟାର୍ଥୀ ଏହା କହିଛନ୍ତି । ଯାଚିକା କର୍ତ୍ତା ଆଶୁତୋଷ ଯାଦବ ବିବାହ ଜନିତ ଏକ ଫୌଜଦାରୀ ମାମଲାରେ ଜଣେ ସାକ୍ଷୀଙ୍କୁ ପୁନଃ ସମନ କରିବା ପାଇଁ ଆବେଦନ କରିଥିଲେ । ଟ୍ରାଏଲ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ।

ଯାହା ପରେ ଏହା ବିରୁଦ୍ଧରେ ଆଶୁତୋଷ ହାଇକୋର୍ଟର ଆଶ୍ରୟ ନେଇଥିଲେ । କୋର୍ଟରେ ସେ ଦଲିଲ ରଖିଥିଲେ ଯେ ତାଙ୍କ ପତ୍ନୀଙ୍କ କନ୍ୟାଦାନ ହୋଇଛି ନା ନାହିଁ ଏହାକୁ ପ୍ରମାଣିତ କରିବା ପାଇଁ ବିବାହରେ ସାମିଲ ଥିବା ସାକ୍ଷୀଙ୍କୁ ତଥା ମାମଲାର ବାଦୀଙ୍କୁ ମଧ୍ୟ ସମନ କରାଇବାର ଆବଶ୍ୟକ ରହିଛି । ଏହା ଉପରେ ହାଇକୋର୍ଟ ହିନ୍ଦୁ ବିବାହ ଅଧିନିୟମର ଧାରା ୭କୁ ଉଲ୍ଲେଖ କରି କହିଥିଲେ ଯେ, ହିନ୍ଦୁ ବିବାହକୁ ମାନ୍ୟ ବୋଲି ବିବେଚନା କରିବା ପାଇଁ ସପ୍ତପଦୀ ବିଧିକୁ ଅତ୍ୟାବଶ୍ୟକ ବୋଲି ଧରାଯାଇଛି । ଉକ୍ତ ପ୍ରାବଧାନକୁ ନଜରରେ ରଖି କନ୍ୟାଦାନ ବ୍ୟବସ୍ଥା ହୋଇଥିଲା କି ନାହିଁ ଏହାର କୌଣସି ପ୍ରାସଙ୍ଗିକତା ନାହିଁ ।

ତେଣୁ ସାକ୍ଷୀମାନଙ୍କୁ ପୁନଃ ସମନ କରାଯିବାର କୌଣସି ଆବଶ୍ୟକତା ନାହିଁ । ଏହି ଟିପ୍ପଣୀ ଦେଇ ହାଇକୋର୍ଟ ଏହି ଅପିଲକୁ ଖାରଜ କରି ଦେଇଥିଲେ । ଏତଦ ସହିତ କୋର୍ଟ କହିଥିଲେ ଯେ ସିଆରପିସିର ଧାରା ୩୧୧ ଅନୁସାରେ ମିଳିଥିବା କ୍ଷମତା ବଳରେ କେବଳ ଆବେଦନକାରୀଙ୍କ କହିବା ଅନୁସାରେ କୋର୍ଟ କାହାରିକୁ ଆକସ୍ମିକ ଭାବେ ସମନ କରିପାରିବ ନାହିଁ । ଯେବେ କୌଣସି ମାମଲା ପାଇଁ ଉଚିତ ନିର୍ଣ୍ଣୟ ପାଇଁ ସାକ୍ଷୀମାନଙ୍କୁ ଡକାଇବାକୁ ପଡେ ତେବେ ଯାଇ କୋର୍ଟ ସମନ ଜାରି କରିପାରିବ । କନ୍ୟାଦାନ ପରମ୍ପରାରେ କନ୍ୟାପିତା ନିଜର କନ୍ୟାର ହାତକୁ ବରର ହାତରେ ଦେଇ ଦାୟିତ୍ୱ, ସଂସ୍କାର ଓ ସମ୍ପର୍କର ହସ୍ତାନ୍ତରୀକରଣ କରିଥାଏ ଓ ଗୋଟିଏ ପରିବାରର ଝିଅ ଅନ୍ୟ ଏକ ପରିବାରରେ ବୋହୂ ଭାବେ ସମ୍ମିଳିତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking