27.1 C
Bhubaneswar
Saturday, October 31, 2026
Homeଓଡିଶାଆକାଶମାର୍ଗରୁ ସର୍ଭେ କରିଦେଲେ ବିପର୍ଯ୍ୟୟ ପରିଚାଳନା ହୁଏ ନାହିଁ - ଭକ୍ତ

ଆକାଶମାର୍ଗରୁ ସର୍ଭେ କରିଦେଲେ ବିପର୍ଯ୍ୟୟ ପରିଚାଳନା ହୁଏ ନାହିଁ – ଭକ୍ତ

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୟାବହ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥିବା ଦୁର୍ଦ୍ଦଶା ପାଇଁ ବିଜେପି ସରକାରଙ୍କ ଚରମ ଅବହେଳା, ଅପାରଗତା ଓ ଦାୟିତ୍ୱହୀନ ଆଭିମୁଖ୍ୟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ ତୀବ୍ର ନିନ୍ଦା କରିଛନ୍ତି। ପ୍ରକୃତିର ପ୍ରକୋପକୁ ସମ୍ପୂର୍ଣ୍ଣ ରୋକିବା ସମ୍ଭବ ନୁହେଁ, କିନ୍ତୁ ଆଗୁଆ ସତର୍କ ସୂଚନା ଥିବା ସତ୍ତ୍ୱେ ଲୋକଙ୍କ ଜୀବନ, ଜୀବିକା ଓ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ପ୍ରସ୍ତୁତି ନ କରିବା ନିଶ୍ଚିତ ଭାବେ ସରକାରଙ୍କ ବିଫଳତା। ହଜାର ହଜାର ପରିବାର ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଅନେକ ଗାଁ ଜଳମଗ୍ନ, ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା କ୍ଷତିଗ୍ରସ୍ତ ଏବଂ ଚାଷଜମି ନଷ୍ଟ ହୋଇଛି। ଲୋକେ ଖାଦ୍ୟ, ପାନୀୟ ଜଳ ଓ ଔଷଧ ପାଇଁ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ନିରାଶାଜନକ।

ସବୁଠାରୁ ଗୁରୁତର ପ୍ରଶ୍ନ ହେଉଛି, ଜଳଭଣ୍ଡାରରୁ ଜଳ ନିଷ୍କାସନ ପୂର୍ବରୁ ତଳମୁଣ୍ଡରେ ଥିବା ଗାଁ ଓ ଜନବସତିଗୁଡ଼ିକୁ କାହିଁକି ଉପଯୁକ୍ତ ସମୟରେ ସତର୍କ କରାଯାଇ ନଥିଲା? ଜଳ ନିଷ୍କାସନର ପରିମାଣ, ସମୟ ଓ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କୁ ସ୍ପଷ୍ଟ ସୂଚନା ଦିଆଯାଇଥିଲା କି? ଡହ ଜଳଭଣ୍ଡାର ପରିଚାଳନାରେ ବିଭାଗ, ଜିଲ୍ଲା ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ କି ସମନ୍ୱୟ ଥିଲା? ଜଳ ନିଷ୍କାସନ ଓ ବର୍ଷାଜନିତ ବନ୍ୟାର ମିଳିତ ପ୍ରଭାବକୁ ଆଗୁଆ ଆକଳନ କରାଯାଇଥିଲା କି? ଉଭୟ ଆଇଏମଡି ଓ ରାଜ୍ୟ ପାଣିପାଗ ବିଭାଗ କେବେ ସତର୍କ ସୂଚନା ଦେଲେ ଓ କର୍ତ୍ତୃପକ୍ଷ କେବେ ନିଷ୍ପତ୍ତି ନେଲେ ତାହା ମଧ୍ୟ ସରକାର ଦେଖନ୍ତୁ। ଏହି ସବୁ ପ୍ରଶ୍ନର ଉତ୍ତର ସରକାରଙ୍କୁ ଦେବାକୁ ପଡ଼ିବ। ପାଣିପାଗ ବିଭାଗର ଆଗୁଆ ସତର୍କ ସୂଚନା ସତ୍ତ୍ୱେ ବିପଦସଙ୍କୁଳ ଗାଁଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ କାହିଁକି ଆଗୁଆ ବ୍ୟବସ୍ଥା କରାଯାଇ ନଥିଲା? ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ କି ସ୍ୱତନ୍ତ୍ର ବ୍ୟବସ୍ଥା ଥିଲା? ଆଶ୍ରୟସ୍ଥଳୀ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଆପତ୍କାଳୀନ ଚିକିତ୍ସାର ବ୍ୟବସ୍ଥା କେତେ ପରିମାଣରେ ଥିଲା? ଅନେକ ଅଞ୍ଚଳରେ ଯଦି ଲୋକଙ୍କୁ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆକାଶମାର୍ଗରୁ ପକାଇବାକୁ ପଡ଼ୁଛି, ତେବେ ଏହା ତୃଣମୂଳ ସ୍ତରରେ ପ୍ରଶାସନିକ ବ୍ୟବସ୍ଥା କେତେ ଦୁର୍ବଳ ତାହା ପ୍ରମାଣିତ କରୁଛି।

ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀମାନଙ୍କ ଭୂମିକା ମଧ୍ୟ ନୈରାଶ୍ୟଜନକ। ସଙ୍କଟ ସମୟରେ ମନ୍ତ୍ରୀମାନଙ୍କ ଦାୟିତ୍ୱ କେବଳ ସମୀକ୍ଷା ବୈଠକ କିମ୍ବା ଗଣମାଧ୍ୟମରେ ବିବୃତି ଦେବା ନୁହେଁ। ଜିଲ୍ଲାର ପ୍ରତ୍ୟେକ ବିପନ୍ନ ଅଞ୍ଚଳରେ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମନ୍ୱୟ କରିବା ସେମାନଙ୍କ ରାଜନୈତିକ ଓ ପ୍ରଶାସନିକ ଦାୟିତ୍ୱ। ମନ୍ତ୍ରୀମାନେ ନିଜ ଦାୟିତ୍ୱ ନିର୍ବାହରେ ବିଫଳ ହୋଇ କାହିଁକି ହୀନସ୍ତା ଓ ହଟହଟା ହେଉଛନ୍ତି ସେମାନେ ଜାଣିଥିବେ। ଏହି ବନ୍ୟା କେବଳ ଘରଦ୍ୱାର ଓ ରାସ୍ତାଘାଟର କ୍ଷତି ନୁହେଁ, ଏହା ହଜାର ହଜାର ପରିବାରର ଜୀବିକା ଉପରେ ମଧ୍ୟ ଏକ ବଡ଼ ଆଘାତ। ଚାଷୀଙ୍କ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି। ମତ୍ସ୍ୟଜୀବୀଙ୍କ ପୋଖରୀ, ମାଛ ଚାଷ ଓ ଜାଲ ଆଦି ନଷ୍ଟ ହୋଇଥିବା ସମ୍ଭାବନା ରହିଛି। ଗୃହପାଳିତ ପଶୁଙ୍କ ମୃତ୍ୟୁ ଓ ଚାରଣଭୂମି ନଷ୍ଟ ହେବା ଦ୍ୱାରା ଗ୍ରାମୀଣ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବ। ଦିନମଜୁରିଆ, କ୍ଷୁଦ୍ର ବ୍ୟବସାୟୀ ଓ ଗରିବ ପରିବାରଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏହି ସମସ୍ତ କ୍ଷତିର ଯଥାର୍ଥ ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଦେବା ଆବଶ୍ୟକ।

ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସଙ୍କଟ ମଧ୍ୟ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ। ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଛି। ପ୍ରଭାବିତ ଗାଁଗୁଡ଼ିକରେ ଶୁଦ୍ଧ ପାନୀୟ ଜଳ, ବ୍ଲିଚିଂ ପାଉଡର, ଆବଶ୍ୟକ ଔଷଧ ଓ ମୋବାଇଲ୍ ମେଡିକାଲ୍ ଟିମ୍ ତୁରନ୍ତ ପହଞ୍ଚାଇବା ଦରକାର। ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥାର ତୁରନ୍ତ ପୁନରୁଦ୍ଧାର ସହ ବିପନ୍ନ ଆଦିବାସୀ ଓ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯାଉ। କୌଣସି ଅଞ୍ଚଳ ଯେପରି ପ୍ରଶାସନିକ ଅବହେଳାର ଶିକାର ନ ହୁଏ, ତାହା ସୁନିଶ୍ଚିତ କରାଯାଉ। ଶ୍ରୀ ଦାସ କହିଛନ୍ତି, “ଜଳଭଣ୍ଡାରରୁ ଜଳ ନିଷ୍କାସନ ପୂର୍ବରୁ ତଳମୁଣ୍ଡର ଲୋକଙ୍କୁ ସତର୍କ କରାଯାଇଥିଲା କି? କାହିଁକି ଆଗୁଆ ଲୋକଙ୍କୁ ସ୍ଥାନାନ୍ତର କରାଗଲା ନାହିଁ? ମନ୍ତ୍ରୀ ଓ ଅଧିକାରୀମାନେ କେଉଁଠି ଥିଲେ? ଯେଉଁଠି ରୁଲ କର୍ଭରେ ବିଚ୍ୟୁତି ହୋଇଛି ସେ ପାଇଁ ଦାୟୀ କିଏ? ସରକାର ତୁରନ୍ତ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରି କାର୍ଯ୍ୟାନୁଷ୍ଠାନ କରନ୍ତୁ।

ଶ୍ରୀ ଦାସ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ଗଞ୍ଜାମ ଓ ଗଜପତିର ବନ୍ୟା ଓ ଭୂସ୍ଖଳନ ଜନିତ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତୁରନ୍ତ ଏକ କେନ୍ଦ୍ରୀୟ ଟିମ୍ ପଠାଉ। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (NDRF)ରୁ ରାଜ୍ୟକୁ ଅତିରିକ୍ତ ଓ ଯଥେଷ୍ଟ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ। ଏହି ସହାୟତା କେବଳ ତତ୍କାଳୀନ ରିଲିଫ୍ ପାଇଁ ନୁହେଁ, ବରଂ ଘର, ରାସ୍ତା, ପୋଲ, ଜଳଯୋଗାଣ, ବିଦ୍ୟୁତ୍ ଓ ଅନ୍ୟାନ୍ୟ ଭିତ୍ତିଭୂମିର ପୁନର୍ନିର୍ମାଣ ଏବଂ ଜୀବିକାର ପୁନରୁଦ୍ଧାର ପାଇଁ ମଧ୍ୟ ଉଦ୍ଦିଷ୍ଟ ହେବା ଆବଶ୍ୟକ। ଚାଷୀ, ମତ୍ସ୍ୟଜୀବୀ, ଦିନମଜୁରିଆ ଓ ଘର ହରାଇଥିବା ପରିବାରଙ୍କୁ ସ୍ୱତନ୍ତ୍ର ସହାୟତା ଦିଆଯାଉ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦାବି କରୁଛି ଯେ, ସରକାର ତୁରନ୍ତ ଏକ ସ୍ୱଚ୍ଛ ଓ ଘରଘର ବୁଲି କ୍ଷୟକ୍ଷତି ଆକଳନ ବ୍ୟବସ୍ଥା ଆରମ୍ଭ କରନ୍ତୁ। ମୃତକ ଓ ନିଖୋଜଙ୍କ ସଠିକ୍ ତଥ୍ୟ, ପ୍ରଭାବିତ ଗାଁ, କ୍ଷତିଗ୍ରସ୍ତ ଘର, ଚାଷଜମି ଓ ଜୀବିକାର ଜିଲ୍ଲାୱାରୀ ତଥ୍ୟ ସାର୍ବଜନୀନ କରାଯାଉ। କ୍ଷତିଗ୍ରସ୍ତ ଘର ପାଇଁ ଯଥେଷ୍ଟ ସହାୟତା, ଫସଲ ନଷ୍ଟ ପାଇଁ କ୍ଷତିପୂରଣ, ଗୃହପାଳିତ ପଶୁଙ୍କ କ୍ଷତି ପାଇଁ ସହାୟତା ଏବଂ ମତ୍ସ୍ୟଜୀବୀଙ୍କୁ ଜୀବିକା ପୁନର୍ଗଠନ ପାଇଁ ଆର୍ଥିକ ସହାୟତା ଦିଆଯାଉ। ରିଲିଫ୍ ବଣ୍ଟନରେ ଯେପରି କୌଣସି ଦଳୀୟ ପାତରଅନ୍ତର ନ ହୁଏ, ତାହା ମଧ୍ୟ ସୁନିଶ୍ଚିତ କରାଯାଉ।

ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର ପ୍ରଭାବ କମାଇବା ପାଇଁ ଜଳଭଣ୍ଡାର ପରିଚାଳନା, ଜଳ ନିଷ୍କାସନ ସମୟରେ ଆଗୁଆ ସତର୍କ ସୂଚନା, ନଦୀ ଓ ନାଳର ଜଳ ପ୍ରବାହ, ଭୂସ୍ଖଳନ ପ୍ରବଣ ଅଞ୍ଚଳର ଚିହ୍ନଟ ଏବଂ ଗ୍ରାମସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତିକୁ ନେଇ ଏକ ସ୍ଥାୟୀ ବ୍ୟବସ୍ଥା ଗଠନ କରାଯାଉ। ଏହି ବିପର୍ଯ୍ୟୟରେ ହୋଇଥିବା ପ୍ରଶାସନିକ ତ୍ରୁଟିର ଏକ ସ୍ୱାଧୀନ ତଦନ୍ତ କରାଯାଇ ଦାୟୀ ଅଧିକାରୀ ଓ ମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯାଉ। ଶ୍ରୀ ଦାସ କହିଛନ୍ତି, “ଓଡ଼ିଶା ବାତ୍ୟା ଓ ବନ୍ୟା ସହିତ ଲଢ଼ିବାର ଦୀର୍ଘ ଅଭିଜ୍ଞତା ରଖିଛି। ତେଣୁ ଆଗୁଆ ସତର୍କ ସୂଚନା ଥାଇ ମଧ୍ୟ ଲୋକଙ୍କ ଏଭଳି ଦୁର୍ଦ୍ଦଶା ଅତ୍ୟନ୍ତ ଲଜ୍ଜାଜନକ। ଆକାଶମାର୍ଗରୁ ସର୍ଭେ, ସମୀକ୍ଷା ବୈଠକ ଓ ଗଣମାଧ୍ୟମରେ ପ୍ରଚାର କେବେହେଲେ ତୃଣମୂଳ ସ୍ତରର ଶାସନର ବିକଳ୍ପ ହୋଇପାରିବ ନାହିଁ। ଗଞ୍ଜାମ ଓ ଗଜପତିର ଲୋକଙ୍କୁ ଆଶ୍ୱାସନା ନୁହେଁ, ତୁରନ୍ତ ରିଲିଫ୍, ଯଥେଷ୍ଟ କ୍ଷତିପୂରଣ ଓ ନ୍ୟାୟ ଦରକାର। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିଜ ଦାୟିତ୍ୱ ନିର୍ବାହ କରନ୍ତୁ। କଂଗ୍ରେସ ପାର୍ଟି ବିପନ୍ନ ଲୋକଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ସେମାନଙ୍କ ନ୍ୟାୟସଙ୍ଗତ ଦାବି ପାଇଁ ଲଢ଼େଇ ଜାରି ରଖିବ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking