ଉମରକୋଟ: ଜମି ବିବାଦରୁ ହତ୍ୟା ମାମଲାରେ ୧୯ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ। ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ। ଏଥିସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଲେ ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜଜ୍।
ଜୋରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବେ ଦୋଷୀ। ସେହିପରି ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ୨୦୦୭ ଅକ୍ଟୋବର ୨୮ ତାରିଖରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଝାଲିଆଗୁଡ଼ା ଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଧାନ ଜମିରେ ଅପରିପକ୍ୱ ଧାନ ଗଛ କାଟିବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ହୋଇଥିଲା ବିବାଦ।
ଏହା ପରେ ଅଜବଲ ଭତ୍ରାଙ୍କ ପରିବାର ଉପରେ ବନ୍ଧୁକ, ଲାଠି, ଟାଙ୍ଗିଆ ଓ ବର୍ଚ୍ଛାରେ ଆକ୍ରମଣ ହୋଇଥିବା ଅଭିଯୋଗ। ଏଥିରେ ରଘୁନାଥ ଭତ୍ରାଙ୍କ ମୃତ୍ୟୁ ହୋଇଥିଲା। ମୋଟ ୨୨ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ।










