ପୁରୀ: ଆଜି କାର୍ତ୍ତିକ ଶୁକ୍ଳ ଏକାଦଶୀ ବା ବଡ ଏକାଦଶୀ । ଏହି ପବିତ୍ର ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଞ୍ଚୁକ । ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଦୁର୍ଲଭ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ଏହି ବେଶକୁ ଠିଆକିଆ ବେଶ ବୋଲି ମଧ୍ୟ କୁହାଯାଏ । ମହାପ୍ରଭୁଙ୍କ ଏହି ଦିବ୍ୟ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । ପଞ୍ଚୁକର ପ୍ରଥମ ଦିନରେ ଶ୍ରୀ ଜିଉମାନଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ । ପଞ୍ଚୁକ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରୁଥିବା ବେଲେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ବାହାରକାଠ ନିକଟରୁ ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରୁଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ପାରମ୍ପରିକ ପାଞ୍ଚ ଦିନ ପରିବର୍ତ୍ତେ ଚାରି ଦିନ ପାଳନ ହେଉଛି ପଞ୍ଚୁକ । ଏହି ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ଦୁର୍ଲଭ ବେଶ ଅନୁଷ୍ଠିତ ହେବ । ଏହି ପବିତ୍ର ଅବସରରେ ପୁରୀକୁ ଭକ୍ତଙ୍କ ଆଗମନ ବୃଦ୍ଧି ପାଇଥାଏ । ମହାପ୍ରଭୁଙ୍କ ଦର୍ଶନ ସହ ପଞ୍ଚୁକ ବ୍ରତ ପାଳନ କରିଭକ୍ତମାନେ ଆଧ୍ୟାତ୍ମିକ ପୁଣ୍ୟ ଲାଭର କାମନା କରିଥାନ୍ତି ।









