ରାଞ୍ଚି : ଧାନବାଦ୍ ଜଜ୍ ଉତ୍ତମ ଆନନ୍ଦଙ୍କ ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇକୁ ଝାଡ଼ଖଣ୍ଡ ହାଇକୋର୍ଟ ପୁଣିଥରେ ଭର୍ତ୍ସନା କରିଛନ୍ତି । ମୁଖ୍ୟ ବିଚାରପତି ରବି ରଞ୍ଜନ ଓ ବିଚାରପତି ଏସ୍ଏନ୍ ପ୍ରସାଦଙ୍କ ଖଣ୍ଡପୀଠ କହିଛନ୍ତି, ଜଣାପଡ଼ୁଛି ସିବିଆଇ ତଦନ୍ତ ଦାୟିତ୍ୱରୁ ଓହରିଯିବା ସହ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ଚାହୁଁଛି । ଖଣ୍ଡପୀଠ କହିଥିଲେ, ସିବିଆଇ କୋର୍ଟରେ ଗୋଟେ କଥା କହୁଥିବା ବେଳେ ଅନ୍ୟ ପ୍ରକାର ପ୍ରମାଣ ଦେଉଛି । ଆନନ୍ଦ ଜଣେ ଜଜ୍ ଜାଣି ସୁଦ୍ଧା ତାଙ୍କୁ ଧକ୍କା ଦେଇଥିବା ଅଟୋ ଡ୍ରାଇଭର୍ ଓ ତା’ ସହଯୋଗୀ ନାର୍କୋ ଟେଷ୍ଟରେ ସ୍ୱୀକାର କରିଥିବା ବେଳେ ସିବିଆଇ ଏହାକୁ ମୋଇବାଲ୍ ଚୋରି ମାମଲା କିପରି କହୁଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷରେ ଘଟଣା ସମୟରେ ଜଜ୍ଙ୍କ ହାତରେ ରୁମାଲ ଥିଲା, ମୋବାଇଲ୍ ନୁହେଁ । ଏପରି ସ୍ଥିତିରେ ମୋବାଇଲ୍ ଲୁଟ୍ ପାଇଁ ଜଣେ ଜଜ୍ଙ୍କୁ ହତ୍ୟା କରାଯାଇଛି ବୋଲି ସିବିଆଇ କିପରି କହିପାରୁଛି । ସିବିଆଇ ମାମଲାର ମୂଳ ପର୍ଯ୍ୟନ୍ତ ଯାଇ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୮ ତାରିଖକୁ ସ୍ଥିର କରିଛନ୍ତି ।