37.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଇସ୍ରାଏଲ ଆକ୍ରମଣରେ ମୃତ୍ୟୁସଂଖ୍ୟା ୨୦୦ ଟପିଲା

ଇସ୍ରାଏଲ ଆକ୍ରମଣରେ ମୃତ୍ୟୁସଂଖ୍ୟା ୨୦୦ ଟପିଲା

ଜେରୁଜେଲମ : ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ଅବ୍ୟାହତ ରହିଛି । ଏହି ଲଢେଇର ନାଭିକେନ୍ଦ୍ର ପାଲଟିଥିବା ଗାଜା ସହର ଉପରେ ଇସ୍ରାଏଲ ଯୁଦ୍ଧବିମାନଗୁଡିକ ସୋମବାର ସକାଳେ ପ୍ରବଳ ବୋମା ଓ କ୍ଷେପଣାସ୍ତ୍ର ମାଡ କରିଥିବାବେଳେ ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ପାଲେଷ୍ଟାଇନରେ ସକ୍ରିୟ ଥିବା ହାମାସ ଆତଙ୍କବାଦୀ ସଂଗଠନର କାର୍ଯ୍ୟାଳୟଗୁଡିକୁ ମୁଖ୍ୟତଃ ଟାର୍ଗେଟ କରାଯାଇଥିଲା । ଏଥିଯୋଗୁଁ ୨୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଶତାଧିକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ସମଗ୍ର ଅଞ୍ଚଳରେ ବିତ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବାବେଳେ ଲୋକେ ସମ୍ପୂର୍ଣ୍ଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ବିଗତ ଏକ ସପ୍ତାହ ମଧ୍ୟରେ ଇସ୍ରାଏଲର ବିମାନ ଆକ୍ରମଣରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ସହସ୍ରାଧିକ ଆହତ ହୋଇସାରିଲେଣି । ଏଭଳି ଆକ୍ରମଣ ସେମାନେ ପୂର୍ବରୁ କେବେ ଦେଖିନଥିଲେ ବୋଲି ଗାଜାରେ ବାସ କରୁଥିବା କେତେକ ନାଗରିକ ମନ୍ତବ୍ୟ ଦେଇଛନ୍ତି । ପାଲେଷ୍ଟାଇନର ନିରୀହ ନାଗରିକଙ୍କୁ ଟାର୍ଗେଟ ନକରିବାକୁ ସେମାନେ ଇସ୍ରାଏଲକୁ ବିନତି କରିଛନ୍ତି । ଅପରପକ୍ଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହି ଆକ୍ରମଣକୁ ଯଥାର୍ଥ ଦର୍ଶାଇଛନ୍ତି । ହାମାସ ପକ୍ଷରୁ ପ୍ରଥମେ ଆକ୍ରମଣ କରାଯାଇଥିବାରୁ ଇସ୍ରାଏଲ ପ୍ରତିଶୋଧ ନେବାକୁ ବାଧ୍ୟ ହେଉଥିବା ସେ କହିଛନ୍ତି । ଯେତେଦିନ ପର୍ଯ୍ୟନ୍ତ ଆବଶ୍ୟକ ପଡୁଥିବ, ସେତେଦିନ ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ସେ ପରୋକ୍ଷରେ ଧମକ ମଧ୍ୟ ଦେଇଛନ୍ତି ।

ଏହି ଲଢେଇକୁ ନେଇ ଜାତିସଂଘରେ ଉଦ୍‌ବେଗ ପ୍ରକାଶ ପାଇଛି । ରବିବାର ଜାତିସଂଘ ନିରାପତ୍ତା ପରିଷଦର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଲଢେଇ ତୁରନ୍ତ ଶେଷ କରିବାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଜିରେଜ୍ ଉଭୟପକ୍ଷକୁ ଅନୁରୋଧ କରିଛନ୍ତି । ଜାତିସଂଘରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଟି.ଏସ.ତିରୁମୂର୍ତ୍ତି ଆଲୋଚନାରେ ଭାଗନେଇ କହିଛନ୍ତି ଯେ ଭାରତ ଏଭଳି ଲଢେଇକୁ ନାପସନ୍ଦ କରୁଥିବାବେଳେ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ ତୁରନ୍ତ ଅସ୍ତ୍ରବିରତି ଘୋଷଣା କରିବା ଉଚିତ । ଇସ୍ରାଏଲ ଓ ପାଲେଷ୍ଟାଇନ ସହ ଭାରତର କୂଟନୈତିକ ସମ୍ପର୍କ ସୁଦୃଢ ଥିବାବେଳେ କୌଣସି ପ୍ରକାର ଯୁଦ୍ଧ ସ୍ଥିତିକୁ ଭାରତ ସମର୍ଥନ କରେନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking