ଭୁବନେଶ୍ୱର: ଆସନ୍ତାକାଲି ପୁଣିଥରେ ରତ୍ନଭଣ୍ଡାରରେ ରତ୍ନ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତାକାଲି ଓ ୨୭ ତାରିଖ ଦିନ ମାର୍ଗଦର୍ଶିକା ଆଧାରରେ ଅନୁମୋଦିତ ବ୍ୟକ୍ତିମାନେ ଗଣତି ପାଇଁ ଭଣ୍ଡାରକୁ ପ୍ରବେଶ କରିବେ । ସମ୍ଭବତଃ ଖଟ ଶେଜ ଘରେ କାଠ ବାକ୍ସରେ ଥିବା ଅଳଙ୍କାରର ଗଣତିମଣତି କରାଯିବ । ଏହି ସମୟରେ ପୂର୍ବ ଭଳି କେବଳ ବାହାର କାଠରୁ ଦର୍ଶନ ଚାଲିବ ।ଏହି ଗଣତି ମଣତି ସମୟରେ ନୀତିକାନ୍ତି ସୂଚାରୁ ରୂପେ ଚାଲିବା ନେଇ ସମସ୍ତ ସେବକ, ବିଶେଷକରି ପାଳିଆ ସେବକମାନେ ସହଯୋଗ କରିବା ନେଇ ଆଲୋଚନା ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ମାସରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମଧ୍ୟରେ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଶେଷଥର ପାଇଁ ଗତ ଅଗଷ୍ଟ ୩୧ ତାରିଖ ଓ ସେପ୍ଟେମ୍ବର ୧ ତାରିଖରେ ଗଣତି କରାଯାଇଥିଲା। ମାର୍ଚ୍ଚ ମାସରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ମୋଟ ୧୭ ଦିନ ଗଣତିମଣତି ହୋଇଛି ।










