27.1 C
Bhubaneswar
Tuesday, May 21, 2024
Homeଓଡିଶାବିଜେଡି ଇସ୍ତାହାରକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ; ୨୪ ବର୍ଷର ପ୍ରତିଶ୍ରୁତି ପୂରଣ ନକରି ନୂଆ...

ବିଜେଡି ଇସ୍ତାହାରକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ; ୨୪ ବର୍ଷର ପ୍ରତିଶ୍ରୁତି ପୂରଣ ନକରି ନୂଆ ଭେଳିକି ଦେଖାଉଛି ବିଜେଡି

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଉ ମାତ୍ର ୨ଦିନ ପରେ ହେବାକୁ ଥିବାବେଳେ ବିଜୁ ଜନତା ଦଳ ତା’ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଏହି ଇସ୍ତାହାରରେ କିଛି ନୂତନତ୍ୱ ନାହିଁ, ଏହା କେବଳ ନିର୍ବାଚନ ଭେଳିକି । ଗତ ୨୪ବର୍ଷର ଶାସନ କାଳ ଭିତରେ ୫ ନିର୍ବାଚନ ସରିଲାଣି । ଏ ଭିତରେ ବିଜେଡି ସରକାର ଯାହା ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ଅଦ୍ୟାବଧି ପୂରଣ କରିନାହାନ୍ତି । ତେଣୁ ଏବେ ପୁଣି ନିର୍ବାଚନ ପାଇଁ ଯେଉଁସବୁ ପ୍ରତିଶ୍ରୁତି ଦେଇଛନ୍ତି ତାହାକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ମୁଖ୍ୟ ଡ. ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି ।

ଏକ ପ୍ରେସ ବିବୃତିରେ ଡ. ମହାନ୍ତି କହିଛନ୍ତି ଯେ ଗତ ୧୦ବର୍ଷ ମଧ୍ୟରେ ଦେଶରେ ଆମ ରାଜ୍ୟର କୃଷକଙ୍କ ଆୟ ସବୁଠୁ କମ୍ ହୋଇଛି । ଯାହାକି ମାତ୍ର ମାସିକ ୫ହଜାର ୨୦୦ ଟଙ୍କା । ବର୍ତମାନ ସମୟରେ ପରିବାର ଚଳିବା ପାଇଁ ୨୦ହଜାର ଟଙ୍କା ଖର୍ଚ୍ଚ ଆବଶ୍ୟକ ହେଉଥିବାବେଳେ କୃଷକଙ୍କ ଆୟ କମ୍ ଥିବାରୁ ସେମାନଙ୍କ ସ୍ଥିତି ଦୟନୀୟ ରହିଛି । ସରକାର ନିର୍ବାଚନ ସମୟରେ କାଳିଆ ଯୋଜନାରେ ୫ହଜାର ଟଙ୍କା ଦେବାକୁ ଘୋଷଣା କରୁଛନ୍ତି, ଅଥଚ ପରବର୍ତୀ ସମୟରେ ୨ହଜାର ଟଙ୍କା ଲେଖାଏଁ ଦେଉଛନ୍ତି । ଅଧିକ ଜମିକୁ ଜଳସେଚନ କରିବା କଥା କହୁଛନ୍ତି, କିନ୍ତୁ ଏହା କେତେ ସ୍ପଷ୍ଟ କରୁନାହାନ୍ତି । ୨୦୦୯ ନିର୍ବାଚନ ସମୟରେ ପ୍ରତି ବ୍ଲକରେ ୩୫ପ୍ରତିଶତ ଜମିକୁ ଜଳସେଚନ କରିବାକୁ ବିଜେଡି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ସିଏଜି ରିପୋର୍ଟ ଅନୁଯାୟୀ ୧୯୮ଟି ବ୍ଲକରେ ଏ ପର୍ଯ୍ୟନ୍ତ ୩୫ ପ୍ରତିଶତ ଜମିକୁ ଜଳସେଚନ ହୋଇପାରିଲା ନାହିଁ ।

ଚାଷୀଙ୍କୁ ବୋନସ ମିଳିଲା ନାହିଁ । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ପ୍ରତି ପଂଚାୟତରେ ଗୋଦାମଘର କରିବେ ବୋଲି କହିଥିଲେ, ତାହା ପ୍ରତିଶ୍ରୁତିରେ ରହିଗଲା । ସେହିପରି ଯୁବବର୍ଗଙ୍କ ପାଇଁ ନିଯୁକ୍ତିର ଭେଳିକି ଦେଖାଉଛନ୍ତି । ରାଜ୍ୟରେ ସାଢ଼େ ୫ ଲକ୍ଷ ସରକାରୀ ପଦବିରୁ ୨ଲକ୍ଷ ଖାଲି ପଡିଛି । ସରକାର କହିଥିଲେ ବର୍ଷକୁ ୨ଲକ୍ଷ ନୂଆ ନିଯୁକ୍ତି ଦେବେ । ନିଯୁକ୍ତି ତ ଦୂରର କଥା ଖାଲି ପଡିଥିବା ପଦବି ଏ ପର୍ଯ୍ୟନ୍ତ ପୂରଣ କଲେନି । ଯଦି ଗତ ୨୪ବର୍ଷରେ ୨ଲକ୍ଷ ଖାଲି ପଦବି ପୂରଣ କରିପାରିଲେ ନାହିଁ, ତେବେ ୫ବର୍ଷରେ କେତେ ଚାକିରି ଦେବେ ବୋଲି ଡ. ମହାନ୍ତି ପ୍ରଶ୍ନ କରିଛନ୍ତି । ଓଡ଼ିଶାକୁ ବଳକା ରାଜସ୍ୱ ରାଜ୍ୟ ବୋଲି କହୁଛନ୍ତି । କିନ୍ତୁ ବାସ୍ତବରେ ଯୁବକମାନଙ୍କୁ ନିଯୁକ୍ତି ନ ଦେବାକୁ ଯାଇ ଓଡ଼ିଶା ରାଜସ୍ୱ ବଳକା ରାଜ୍ୟ ହୋଇଛି । ଯୁବ ବଜେଟ ବୋଲି ଏକ ନୂଆ ଭେଳିକି ଦେଖାଇଛନ୍ତି ।

ଅତିତରେ ଜେଣ୍ଡର ବଜେଟ, ପୁଷ୍ଟି ବଜେଟ, ଶିଶୁ ବଜେଟ, ଜଳବାୟୁ ବଜେଟ କଥା କହିଥିଲେ । ତାହା କ’ଣ ହେଲା । ୧ଲକ୍ଷ କୋଟି ଟଙ୍କାରେ ଯୁବ ବଜେଟ କରିବେ କହୁଛନ୍ତି । ସରକାର ଏଥିପାଇଁ ସ୍ୱତନ୍ତ୍ର ବଜେଟ ଆଣନ୍ତୁ । ବିଭିନ୍ନ ବିଭାଗର ପ୍ରୋଭିଜନକୁ ମିଶାଇ ଦେଖାଇଲେ କିଛି ମୂଲ୍ୟ ନାହିଁ । ବିଜୁ ଯୁବ ବାହିନୀ ଫେଲ ମାରିଥିଲା, ଏବେ ସ୍ୱୟଂ ଯୋଜନା ଫେଲ ହେବାକୁ ବସିଲାଣି । ସରକାର ମେକ୍ ଇନ୍ ଓଡ଼ିଶା ନାଁରେ ୩୦ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ କହିଥିଲେ । ତାହା ମିଥ୍ୟା ପ୍ରମାଣିତ ହେଲା । ପ୍ରତି ପଂଚାୟତରେ ମିଶନ ଶକ୍ତି ବଜାର କରିବାକୁ ଘୋଷଣା କରିଥିଲେ । ତାହା କୁଆଡେ ଗଲା । ସରକାର କେବଳ ଟଙ୍କା ବାଂଟି ଭୋଟ୍ ହାତେଇବା କାମ କରିଛନ୍ତି, ନିଯୁକ୍ତି ସୃଷ୍ଟି କରିବାକୁ ବାସ୍ତବରେ ତାଙ୍କର ଆନ୍ତରିକତା ନାହିଁ ବୋଲି ଡ. ମହାନ୍ତି କହିଛନ୍ତି ।

ଗୃହ ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ୩ରୁ ୪ହଜାର କୋଟି ଟଙ୍କା ବଜେଟ ରହିଛି । ସରକାର ଏହି ଅର୍ଥରେ କ’ଣ କରିଛନ୍ତି ପ୍ରଥମେ ହିସାବ ଦିଅନ୍ତୁ । ବର୍ତମାନ ଆମ ରାଜ୍ୟ ଶ୍ରମିକ ଚାଲାଣ ରାଜ୍ୟ ହୋଇଗଲାଣି । କୋଭିଡ୍ ପରେ ଯେଉଁମାନେ ବାହାରକୁ କାମ କରିବାକୁ ଯାଇଛନ୍ତି ସରକାର ସେମାନଙ୍କ ପଞ୍ଜୀକରଣ କରିପାରିଲେ ନାହିଁ । ଦରଦାମ ବୃଦ୍ଧି ବର୍ତମାନ ସବୁଠାରୁ ବଡ଼ ପ୍ରସଙ୍ଗ ହୋଇଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ଇସ୍ତାହାରରେ କ’ଣ କରିଛନ୍ତି । କଂଗ୍ରେସ ଶାସିତ ରାଜ୍ୟରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ୫୦୦ ଟଙ୍କାରେ ଦିଆଯାଉଥିବାବେଳେ ଆମ ରାଜ୍ୟରେ କାହିଁକି ଦିଆଯାଉନାହିଁ ବୋଲି ଡ. ମହାନ୍ତି ପ୍ରଶ୍ନ କରିଛନ୍ତି ।

ପଛୁଆ ବର୍ଗଙ୍କ ପାଇଁ ଷ୍ଟେଟ୍ କମିଶନ ପୁନର୍ଗଠନ, ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ସ୍ୱତନ୍ତ୍ର ଲେଜିସଲେଟିଭ୍ ଆକ୍ଟ କଥା ସରକାର କହିଥିଲେ । କିନ୍ତୁ ସେ ଦିଗରେ କିଛି କଲେ ନାହିଁ । ଆଦିବାସୀ ଅଂଚଳର ବିକାଶ ପାଇଁ ଥିବା ଅର୍ଥ ସରକାର ଅନ୍ୟାନ୍ୟ ବାଟରେ ଖର୍ଚ୍ଚ କରିଛନ୍ତି ବୋଲି ଡ. ମହାନ୍ତି କହିଛନ୍ତି । ତେଲେଙ୍ଗାନା ଓ କର୍ଣ୍ଣାଟକରେ କଂଗ୍ରେସ ତା’ର ପ୍ରତିଶ୍ରୁତି ରକ୍ଷା କରିବା ପରେ ଓଡ଼ିଶାରେ ଯେଉଁ ପ୍ରତିଶ୍ରୁତି ସବୁ ଦେଇଛି ତାହା ଘରେ ଘରେ ପହଂଚିଛି । କଂଗ୍ରେସ ଶାସନକୁ ଆସିଲେ ଯୁବବର୍ଗଙ୍କୁ ପ୍ରଥମେ ନିଶ୍ଚିତ ନିଯୁକ୍ତି, ୩୦୦୦ ଟଙ୍କା ବେକାରୀ ଭତା, ରାଜ୍ୟରେ ୫ଲକ୍ଷ ନିଯୁକ୍ତି ସୃଷ୍ଟି, ଏସ୍‌ଏଚଜି ଋଣ ଛାଡ଼, ମହିଳାଙ୍କୁ ମାସିକ ୨୦୦୦ ଟଙ୍କା ପ୍ରଦାନ ସହ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇଦେବ ବୋଲି ଘୋଷଣା କରିଛି । ଏହା ନିଶ୍ଚିତ ପୂରଣ କରାଯିବ ବୋଲି ଡ. ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking